ରାଜଧାନୀ ଭୁବନେଶ୍ବରରେ ୫୦ କେଜି ଗଂଜେଇ ଜବତ, ୩ ଗିରଫ

ଭୁବନେଶ୍ବର: ଭୁବନେଶ୍ୱର ତମାଣ୍ଡ ନିକଟରୁ ଏକ ପିକଅପ୍ ଭ୍ୟାନରୁ ୫୦ କେଜି ଗଂଜେଇ ଜବତ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଅବକାରୀ ଟିମ୍ ଭୁବନେଶ୍ୱର ତମାଣ୍ଡ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ପିକଅପ୍ ଭ୍ୟାନରୁ ଗଂଜେଇ ଜବତ କରିଛି । ଜବତ ଗଂଜେଇ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ବୋଲି ସୂଚନା ରହିଛି।

ସେପଟେ, ଗଜପତି ଜିଲ୍ଲାରେ ଦିନକୁ ଦିନ ନିଷିଦ୍ଧ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବକ ଏହି ବେପାରରେ ପଶୁଛନ୍ତି । ଆଇନ ଭୟ, କଡ଼ାକଡ଼ି ଚଢ଼ଉ ସତ୍ତ୍ବେ ସେମାନେ ଏହି କାରବାରରୁ ସଂପର୍କ ଛିନ୍ନ କରୁନାହାନ୍ତି। ମୋହନା, ରା.ଉଦୟଗିରି ବ୍ଲକରେ ମାଫିଆଙ୍କ ପ୍ରୋତ୍ସାହନରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି । ଏହାକୁ ବଜାରକୁ ଆଣି ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ବର୍ତ୍ତମାନ ଗଞ୍ଜେଇ ମାଫିଆଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି।

ପୁଲିସ ଏବଂ ଅବକାରୀ ଗୁଇନ୍ଦା ସଂସ୍ଥା ଧରପଗଡ଼ ମିସନ୍‌ ଜୋର୍‌ଦାର୍‌ କରିଛନ୍ତି । ଜିଲ୍ଲାରେ ଗତ ୨ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଗଞ୍ଜେଇ ବ୍ୟବସାୟୀଙ୍କୁ କାବୁ କରାଯାଇଛି । ତଥାପି ଗଞ୍ଜେଇ କାରବାର କମିନାହିଁ । ବେକାରୀ ସମସ୍ୟା ସହ ଅର୍ଥାଭାବ କାରଣରୁ ଯୁବପିଢ଼ି ଗଞ୍ଜେଇ ବେପାରୀଙ୍କ ପ୍ରଲୋଭନର ବଶବର୍ତ୍ତୀ ହେଉଛନ୍ତି । ଶତାଧିକ ଯୁବକ ଏହି ବେଆଇନ କାରବାରରେ ସଂପୃକ୍ତ ହେଉଛନ୍ତି।

ସମ୍ବନ୍ଧିତ ଖବର