ବାତ୍ୟାରେ ଲବଣଗିରି ବିଦ୍ୟାପୀଠ ଛାରଖାର୍: ୫୦ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର: ମୁଖ୍ୟ ଫାଟକ ଭାଙ୍ଗିଯିବା ସହ ନାମଫଳକ ନଷ୍ଟ ହେଇଛି। ପବନରେ ଅନେକ ଘରର ଛାତ ନାହିଁ। ସୁଦୀର୍ଘ ପାଚେରି ଭାଙ୍ଗି ମାଟିରେ ମିଶିଛି। ଦୁଇ ଶହରୁ ଅଧିକ ଗଛ ଏବେ ଧରାଶାୟୀ। ସବୁଜିମାଭରା ସୁସ୍ଥ ଓ ସୁନ୍ଦର ପରିବେଶ ଏବେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ‘ଫନି’ ବାତ୍ୟା ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତର ପ୍ରତିଷ୍ଠିତ ଶିକ୍ଷାୟତନ ଲବଣଗିରି ବିଦ୍ୟାପୀଠକୁ ଏଭଳି ଶ୍ରୀହୀନ କରିଦେଇଛି। ବିଦ୍ୟାଳୟର ଏପରି ଅବସ୍ଥା ଏହାକୁ ଗଢ଼ିଥିବା ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ବାତ୍ୟା ଯିବାର ୧୦ଦିନ ବିତିଥିଲେ ମଧ୍ୟ ଆଜି ଯାଏ ସରକାରୀ ଦୃଷ୍ଟି ନ ପଡ଼ିବା ସମସ୍ତଙ୍କୁ ଚକିତ କରିଛି।

ଚଳିତ ମାସ ୩ ତାରିଖ ବାତ୍ୟା ‘ଫନି’ ପ୍ରଭାବରେ ଜାମୁକୋଳି ପଞ୍ଚାୟତ ଅନ୍ତର୍ଗତ ଲବଣଗିରି ବିଦ୍ୟାପୀଠର ବିଲିଡିଂ ସମେତ ଏହାର ପରିବେଶ ଛାରଖାର ହୋଇଯାଇଛି। ସ୍କୁଲର ବିଲିଡିଂର ଦୁଇଟି ଆଜ୍‌ବେଷ୍ଟସ୍ ଘରର ଛପର ଉଠିଯିବା ସହ ଗୋଟିଏ କୋଠାଘର ଛାତ ଫାଟି ଯାଇଛି। ବିଦ୍ୟାଳୟକୁ ଘେରି ରହିଥିବା ୧୫ଶହ ମିଟର ଲମ୍ବର ପାଚେରି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଖାଲି ସେତିକି ନୁହେଁ, ସ୍କୁଲ ରୋଷେଇ ଘର ମଧ୍ୟ ଭାଙ୍ଗି ଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ବିଦ୍ୟାଳୟକୁ ଘେରି ରହିଥିବା ଏକ ବିରାଟ କାଜୁବାଦାମ ଫାର୍ମ ସମେତ ସମ୍ମୁଖ ଫଳ ବଗିଚାର ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ କାଜୁ ଗଛ ସମେତ ସମ୍ମୁଖରେ ଥିବା ଆମ୍ବ, ନିମ୍ବ, ବେଲ, ନଡ଼ିଆ ଆଦି ବହୁ ଦାମୀ ଗଛ ଉପୁଡି ପଡ଼ିଛି। ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଇକରାୟଙ୍କ କହିବା ଅନୁସାରେ ବାତ୍ୟାରେ ସ୍କୁଲର ବ୍ୟାପକ କ୍ଷତି ହୋଇଛି। ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କ୍ଷୟକ୍ଷତି ହୋଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି। ଅଞ୍ଚଳର ସର୍ବାଧିକ ଛାତ୍ରଛାତ୍ରୀ ପଢୁଥିବା ଏହି ଅନୁଷ୍ଠାନର ପୁନରୁଦ୍ଧାର ପାଇଁ ସରକାର ସହାୟତାର ହାତ ବଢ଼ାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର