ପ୍ରତି ଓ୍ଵାର୍ଡକୁ ଆଉ ୫୦ଲକ୍ଷ

ବିଏମ୍‌ସିର ପୌର ନିର୍ବାଚନ ପ୍ରସ୍ତୁତି

ଭୁବନେଶ୍ୱର: ବିଏମ୍‌ସିର ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଏମ୍‌ସି ନିର୍ବାଚନକୁ ଆଉ ବର୍ଷେ ଥିବାରୁ ଏହା ପୂର୍ବରୁ ରାଜଧାନୀର ରୂପ ବଦଳାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀର ଗଳିକନ୍ଦିରୁ ଆରମ୍ଭ କରି ପ୍ରମୁଖ ରାସ୍ତାଗୁଡ଼ିକ ଯେପରି ବର୍ଷକ ମଧ୍ୟରେ ଚକାଚକ୍‌ ଦେଖାଯିବ, ପାର୍କ, ଖେଳପଡ଼ିଆ, ଷ୍ଟ୍ରିଟ ଲାଇଟ୍‌, ଡ୍ରେନ୍‌ ହେବ ସେଥିପାଇଁ ଆଜି କାଉନସିଲ୍‌ ବୈଠକରେ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଉନ୍ନତି ସ୍କିମ୍‌ ବିଏମ୍‌ସିରେ ତୁରନ୍ତ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପ୍ରତି ଓ୍ଵାର୍ଡକୁ ୫୦ଲକ୍ଷ ଲେଖାଏ ମିଳିବ।

ଏବେ ବିଏମ୍‌ସିର ପ୍ରତ୍ୟେକ ଓ୍ଵାର୍ଡକୁ ବାର୍ଷିକ ଦେଢ଼ କୋଟି ମିଳୁଥିବାବେଳେ ଏହା ବାଦ୍‌ ପ୍ରତି ଓ୍ଵାର୍ଡକୁ ୫୦ଲକ୍ଷ ଲେଖାଏ ଦେବାକୁ ନିଷ୍ପତ୍ତି ହୋଇଛି। ଉନ୍ନତି ସ୍କିମ୍‌ରେ ଏହି ଟଙ୍କା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମାଧ୍ୟମରେ ମିଳିବ। ଏଥିରେ କେଉଁ ଓ୍ଵାର୍ଡରେ କେଉଁ କାମ ହେବ, ଡ୍ରେନ୍‌, ରାସ୍ତା, ଖେଳପଡ଼ିଆ, ପାର୍କ, ଷ୍ଟ୍ରିଟଲାଇଟ୍‌, ଜଳାଶୟ ପୁନରୁଦ୍ଧାର କି ଅନ୍ୟ କୌଣସି ବିକାଶମୂଳକ କାର୍ଯ୍ୟ ହେବ ତାହାର ସବିଶେଷ ସୂଚନା କର୍ପୋରେଟରମାନେ ବିଏମ୍‌ସିରେ ଦାଖଲ କରିବେ। ବିଏମ୍‌ସିର ଇଞ୍ଜିନିୟରିଂ ବିଭାବ ଏହି ସବୁ ପ୍ରକଳ୍ପର ଆକଳନ କରି ବଜେଟ୍‌ ପ୍ରସ୍ତୁତ କରିବ। ଏହାକୁ ଜିଲ୍ଲାପାଳଙ୍କୁ ପଠାଇଲେ ସେଠାରେ ଅର୍ଥ ଅନୁମୋଦନ ହେବ। ଏହି ଯୋଜନାରେ ଯେଉଁ କାମ ପାଇଁ ଅର୍ଥ ମିଳିବ କେବଳ ସେଥିପାଇଁ ଖର୍ଚ୍ଚ ହେବ। ବିଏମ୍‌ସି କମିସନର କ୍ରିଷନ କୁମାର କହିଛନ୍ତି ଯେ, ରାଜଧାନୀର ବହୁତ ଓ୍ଵାର୍ଡରେ ଖେଳ ପଡ଼ିଆ ନାହିଁ ତେଣୁ ଆମେ ଏହି ଯୋଜନାରେ ଖେଳପଡ଼ିଆକୁ ଅଧିକ ଗୁରୁତ୍ୱ ଦେବୁ।

୧୩ ଗ୍ରାମାଞ୍ଚଳ ଓ୍ଵାର୍ଡକୁ ମିଳିବ ଅଧିକ ୫୦ଲକ୍ଷ

ଉନ୍ନତି ସ୍କିମ୍‌ ବାଦ୍‌ ୧୩ଟି ଓ୍ଵାର୍ଡକୁ ଆହୁରି ୫୦ଲକ୍ଷ ଲେଖାଏଁ ମିଳିବ ବୋଲି ନିଷ୍ପତ୍ତି ହୋଇଛି। ରାଜଧାନୀ ଉପକଣ୍ଠରେ ଯେଉଁ ଓ୍ଵାର୍ଡ ଅଛି ଏବଂ ଗ୍ରାମାଞ୍ଚଳ ଥିବା ଓ୍ଵାର୍ଡଗୁଡ଼ିକର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଏଥିରେ ଏମ୍‌ସ ଅଞ୍ଚଳ, ପାଣ୍ଡରା, ପାହଳ, ପୁରୁଣା ଭୁବନେଶ୍ୱର, ସୁନ୍ଦରପଦା ଆଦି ଅଞ୍ଚଳରେ ଥିବା ଓ୍ଵାର୍ଡଗୁଡ଼ିକରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଏହି ସବୁ ଓ୍ଵାର୍ଡରେ ୩୦ରୁ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଖର୍ଚ୍ଚ ହେବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।

ପ୍ରତି ବସ୍ତିରେ ଗୋଟିଏ ବସ୍ତିକୁ ଥଇଥାନ କରାଯିବ

ପ୍ରତ୍ୟେକ ଓ୍ଵାର୍ଡର ଗୋଟିଏ ଲେଖାଏ ବସ୍ତିର ବାସିନ୍ଦାଙ୍କୁ ଅଗ୍ରାଧିକାର ଭିତ୍ତିରେ ଥଇଥାନ କରାଯିବ। କେଉଁ ଓ୍ଵାର୍ଡରେ କେଉଁ ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବ ସେନେଇ ରିପୋର୍ଟ ଶୀଘ୍ର ରିପୋର୍ଟ ଦେବାକୁ କର୍ପୋରେଟରମାନଙ୍କୁ କୁହାଯାଇଛି। କର୍ପୋରେଟରମାନେ ସେମାନଙ୍କ ଓ୍ଵାର୍ଡରେ ତିନିଟି ବସ୍ତି ବାଛିବେ। ସେଥିରୁ କେଉଁ ବସ୍ତିକୁ ଆଗ ଆବାସ ଯୋଜନାରେ ଘର ମିଳିବ, କେତେ ହିତାଧିକାରୀ ଅଛନ୍ତି, କ’ଣ ଅସୁବିଧା ରହିଛି ତାହାର ରିପୋର୍ଟ ଦେବେ। କର୍ପୋରେଟରଙ୍କ ରିପୋର୍ଟ ଏବଂ ଫିଜିବିଲିଟି ଷ୍ଟଡିକୁ ଆଧାର କରି ବସ୍ତି ବଛାଯିବ। ଏହି ବସ୍ତିବାସିନ୍ଦାଙ୍କୁ ପକ୍କା ଘରେ ରଖାଯିବ। ସେହି ଓ୍ଵାର୍ଡରେ ଯଦି ଆବଶ୍ୟକୀୟ ଜମି ଥିବ ତେବେ ସେଠାରେ ଗୃହ ପ୍ରକଳ୍ପ ହେବ। ନଚେତ୍‌ ଅନ୍ୟତ୍ର ବିଭିନ୍ନ ଓ୍ଵାର୍ଡର ବସ୍ତିବାସିନ୍ଦାଙ୍କୁ ଏକାଠି ରଖାଯିବ।

ଉଚ୍ଛେଦ ପାଇଁ ଜିରୋ ଟଲରାନ୍ସ

ରାଜଧାନୀରେ ଉଚ୍ଛେଦ ପାଇଁ ଜିରୋ ଟଲରାନ୍ସ ନୀତି ଆପଣାଯିବ। ଏହି ଉଚ୍ଛେଦ ପାଇଁ ବିଡିଏର ୬ଟି ସ୍କ୍ଵାର୍ଡ ବିଏମ୍‌ସିକୁ ଆସିବ। କେଉଁ ଅଞ୍ଚଳରେ ରାସ୍ତା, ଡ୍ରେନ୍‌ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ହେବ ସେନେଇ ଜଣେ ଡେପୁଟି କମିସନରଙ୍କୁ ନୂଆ କରି ଦାୟିତ୍ୱ ଦିଆଯିବ। ସେ ଉଚ୍ଛେଦ କାର୍ଯ୍ୟ ପରିଚାଳନା କରିବା ସହ ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ରିପୋର୍ଟ ଦେବେ। ଏହାକୁ ଭିତ୍ତିକରି ବିଏମ୍‌ସି ଉକ୍ତ ଓ୍ଵାର୍ଡରେ କାର୍ଯ୍ୟ କରିବ। ସେହିପରି କର୍ପୋରେଟରମାନେ ନିଜ ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି। କର୍ପୋରେଟରମାନେ ଉଚ୍ଛେଦ ହେବାକୁ ଥିବା ସ୍ଥାନରେ ଲୋକଙ୍କୁ ବୁଝାଇବା ସହ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଲୋକଙ୍କୁ ବୁଝାଇବେ ବୋଲି ଆଜିର କାଉନସିଲ୍‌ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ଆଗାମୀ ଦିନରେ ବିଏମ୍‌ସି କାଉନସିଲ୍‌ ବୈଠକରେ ପୂର୍ତ୍ତ ବିଭାଗ, ଶ୍ରମ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ। ୨୦୦୮ ମସିହାରେ ରାଜ୍ୟ କ୍ୟାବିନେଟର ରିଜୋଲ୍ୟୁସନ୍‌ ଅନୁଯାୟୀ ଏହି ନିଷ୍ପତ୍ତି ହୋଇଛି। ଆଜିର କାଉନସିଲ୍‌ ବୈଠକରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତି, କମିସନର କ୍ରିଷନ କୁମାର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

୮୦କିମିର ହେବ ସାଇକେଲ୍‌ ରାସ୍ତା

ଆସନ୍ତା ମାର୍ଚ୍ଚ ୧୫ସୁଦ୍ଧା ଭୁବନେଶ୍ୱରରେ ବାଇସାଇକେଲ୍‌ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯୋଜନା ହୋଇଛି। ଏଥିପାଇଁ ୮୦କିମି ରାସ୍ତା ବଛାଯାଇଛି। ଏଥିରେ ବିମାନବନ୍ଦରରୁ ନାଲକୋ ଛକ, ରାଜଭବନରୁ ନନ୍ଦନକାନନ, କ୍ୟାପିଟାଲ ହସ୍ପିଟାଲରୁ ଶିଶୁ ଭବନ ଦେଇ ବାଣୀବିହାର, କଟକ ରୋଡ୍‌ ଆଦି ଅଞ୍ଚଳକୁ ସଂଯୋଗ କରାଯିବ। ଏହି ଅଞ୍ଚଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ସାଇକେଲ୍‌ ଚଳାଚଳ ପାଇଁ ବ୍ୟବସ୍ଥା ରହିବ। ତେଣୁ ଏହି ରାସ୍ତାରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ମେସିନ୍‌ ବ୍ୟବହାର ହେବ ବୋଲି ମେୟର କହିଛନ୍ତି।

ଭୁବନେଶ୍ୱରର ତଥ୍ୟ ଦେବ ଭୁବନେଶ୍ୱର.ମି

ରାଜଧାନୀକୁ ଆସୁଥିବା ପର୍ଯ୍ୟଟକ, ବ୍ୟବସାୟିକ ଉଦ୍ଦେଶ୍ୟରେ ଆସୁଥିବା ଶିଳ୍ପପତି ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକୁ ଭୁବନେଶ୍ୱର ବିଷୟରେ ସବିଶେଷ ସୂଚନା ଦେବା ପାଇଁ ବିଡିଏର ଐତିହ୍ୟ ଓ ପର୍ଯ୍ୟଟନ ସେଲ୍‌ ପକ୍ଷରୁ ଏକ ନୂଆ େଓ୍ଵବସାଇଟ୍‌ ପ୍ରସ୍ତୁତ କରାଯାଉଛି। ଏହାର ନାମ ରହିଛି ଭୁବନେଶ୍ୱର.ମି। ଏହି େଓ୍ଵବସାଇଟ୍‌ ଆସନ୍ତା ୧୦ଦିନ ମଧ୍ୟରେ ଉଦ୍‌ଘାଟନ ହେବ ବୋଲି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର କହିଛନ୍ତି।

ଏହି େଓ୍ଵବସାଇଟ୍‌ରେ ଭୁବନେଶ୍ୱରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ବୁଲିବା ସ୍ଥାନ, ପ୍ରମୁଖ ସ୍ଥାନ, ଶିଳ୍ପାନୁଷ୍ଠାନ ଆଦି ବିଷୟରେ ରହିବ। ଏହି େଓ୍ଵବସାଇଟ୍‌କୁ ଜଣେ ପରିଦର୍ଶନ କଲେ ଭୁବନେଶ୍ୱର ବିଷୟରେ ପୂରା ସୂଚନା ପାଇପାରିବ। ଏହାସହ ଏଥିରେ ବିଭିନ୍ନ ସ୍ଥାନର ଫଟୋ ସହ କିଛି ତଥ୍ୟ ରହିବ। ବ୍ଲଗର୍‌ମାନଙ୍କୁ ବ୍ଲଗ୍‌ ଲେଖିବାକୁ କୁହାଯିବ। ଯାହା ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କୁ ସବିଶେଷ ସୂଚନା ଦେବ। ଏହି େଓ୍ଵବସାଇଟ୍‌ ବିଷୟରେ ଯେପରି ସମସ୍ତେ ଜାଣିପାରିବେ ସେଥିପାଇଁ ବିଏମ୍‌ସି, ବିଡିଏ, ସ୍ମାର୍ଟ ସିଟି ଭୁବନେଶ୍ୱର, ପର୍ଯ୍ୟଟନ ବିଭାଗ େଓ୍ଵବସାଇଟ୍‌ରେ ଏହାର ଲିଙ୍କ୍‌ ଛଡ଼ାଯିବ।

ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ପାଇଁ ପରିମଳ ବ୍ୟବସ୍ଥା ସଜଡ଼ାଯିବ

ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ପାଇଁ ରାଜଧାନୀର ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ଆଜିର କାଉନସିଲ୍‌ ବୈଠକରେ ନିଷ୍ପତ୍ତି ହୋଇଛି। ଷ୍ଟାଡିୟମ, ଖେଳାଳି ରହୁଥିବା ହୋଟେଲ, ଯାତାୟତ କରିବାକୁ ଥିବା ରାସ୍ତାରେ ସଫେଇ ଅଭିଯାନ ଜୋରଦାର୍‌ କରିବାକୁ ସଫେଇ ସଂସ୍ଥାଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର