‘ଫନି’ ଆଁରେ ସାଲିଆସାହି, ୫୦ ହଜାର ପରିବାର ବାସହୀନ

ଆରମ୍ଭ ହେଲା ଭଙ୍ଗା ଘର ସର୍ଭେ, ଆଜିଠୁ ମିଳିବ ସହାୟତା

ଭୁବନେଶ୍ବର : ଆଉ ଦେଖିବାକୁ ମିଳୁନି ‘ସାଲିଆସାହି’ ବସ୍ତିର ପୁରୁଣା ଚିତ୍ର। ବାତ୍ୟା ‘ଫନି’ ବିଗାଡ଼ି ଦେଇଛି ଓଡ଼ିଶାର ସବୁଠାରୁ ବଡ଼ ଏହି ବସ୍ତିର କଳେବର। କେଉଁଠି ବସ୍ତିବାସିନ୍ଦାଙ୍କ ଘର ଉପରେ ଗଛ ଭାଙ୍ଗିପଡ଼ିଛି ତ ଆଉ କେଉଁଠି ଛପର ଉଡ଼ିଯାଇଛି। ‘ଫନି’ର ଆଁ ଭିତରେ ଧ୍ବଂସସ୍ତୂପରେ ପରିଣତ ହୋଇଛି ପୂରା ବସ୍ତି।

୫୦ ହଜାରରୁ ଅଧିକ ଲୋକଙ୍କୁ ନେଇ ଗଢ଼ିଉଠିଥିବା ଏହି ବସ୍ତି ଛାରଖାର। ଏହା ପରିସରରେ ଥିବା ଏକ ହଜାରରୁ ଅଧିକ ଗଛ ଉପୁଡ଼ିଛି। ଗତକାଲି ଏଠାକାର ପ୍ରାୟ ୩୦ ହଜାର ଲୋକଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିଲା। ତଥାପି ଅନେକ ଲୋକ ବସ୍ତି ନିକଟରେ ଥିବା କୋଠା ଘରେ ଆଶ୍ରୟ ନେଇଥିଲେ। ଏପର୍ଯ୍ୟନ୍ତ ବସ୍ତିର କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ତେବେ ବସ୍ତିରେ ଥିବା ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଶତାଧିକ ଲୋକଙ୍କ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। କାନ୍ଥ ତଳେ ପଡ଼ି କାହାର ମୃତ୍ୟୁ ହୋଇ ନଥିବା ଏପର୍ଯ୍ୟନ୍ତ ଜଣାପଡ଼ିଛି। ସାଲିଆ ସାହି ବସ୍ତିରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପାଇପ ପାଣି ଲୋକଙ୍କ ଘରେ ପହଞ୍ଚୁ ନାହିଁ। ପାଣି ମୁନ୍ଦାଏ ପାଇଁ ବାସିନ୍ଦାମାନେ ଆଜି ଦିନତମାମ ବସ୍ତିବାସିନ୍ଦାମାନେ ନଳକୂପ ନିକଟରେ ଭିଡ଼ ଜମାଇଥିଲେ।

ଓଦା ବହିରେ ଭବିଷ୍ୟତ ଖୋଜା

‘ବାତ୍ୟା ଉଜାଡ଼ି ଦେଲା ସବୁ କିଛି। ସ୍କୁଲରୁ ଯେଉଁ ବହି ମିଳିଥିଲା ତାହା ବର୍ଷା ପାଣି‌ରେ ନଷ୍ଟ ହୋଇଯାଇଛି। ଅଳ୍ପ କିଛି ବହି ଶୁଖିଲା ରହିଛି। ଆଜି ଖରା ହେଉଥିବାରୁ ତାହାକୁ ଶୁଖାଉଛୁ। ସ୍କୁଲ ଖୋଲିଲେ ସେହି ଶୁଖିଲା ବହି ଓ ଖାତାକୁ ନେଇ ଯିବୁ।’ ବାତ୍ୟାର ବିଭୀଷିକା ପରେ ସାଲିଆ ସାହିର ୧୨ ବର୍ଷର ଝିଅ ପୁନମ୍‌ ଭଙ୍ଗା ଘର ଭିତରୁ ତାହାର ଖାତା ବହି ଖୋଜିବା ସମୟରେ କୋହଭରା କଣ୍ଠରେ ଏଭଳି କଥା କହିଥିଲେ। କେବଳ ପୁନମ୍‌ ନୁହନ୍ତି। ବସ୍ତିର ଅନେକ ଛାତ୍ରଛାତ୍ରୀ ଆଜି ଭାଙ୍ଗିଯାଇଥିବା ଘର ଭିତରୁ ସେମାନଙ୍କ ଭବିଷ୍ୟତ ଖୋଜିଥିଲେ। ଖାତା, ବହି ସଂଗ୍ରହ କରି ଖରାରେ ଶୁଖାଇଥିଲେ। କେହି କେହି ସେମାନଙ୍କ ଖେଳଣା ସାମଗ୍ରୀ ଭଙ୍ଗା ଘର ଭିତରୁ ଖୋଜୁଥିଲେ।

ଆରମ୍ଭ ହେଲା ଭଙ୍ଗା ଘର ସର୍ଭେ, ଆଜିଠୁ ମିଳିବ ସହାୟତା

ଭୁବନେଶ୍ବର  ବାତ୍ୟା ପ୍ରଭାବରେ ରାଜଧାନୀରେ କେତେ ଘର ଭାଙ୍ଗିଛି ଓ କେତେ ଲୋକ ପ୍ରଭାବିତ ହୋଇଛନ୍ତି ସେନେଇ ବିଏମ୍‌ସି ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ସ୍ଥାନୀୟ ଆର୍‌ଆଇ ଏବଂ ଆଶାକର୍ମୀମାନଙ୍କୁ ନେଇ ଏହି ସର୍ଭେ କରାଯାଉଛି। ‌ ରବିବାର ସୁଦ୍ଧା ଏହାକୁ ସାରିବାକୁ ନିଷ୍ପତ୍ତି ହୋଇଛି। ଆଜି ଯେଉଁ ଅଞ୍ଚଳରେ ସର୍ଭେ ଶେଷ ହେବ ସେଠାରେ ଲୋକଙ୍କୁ ପଲିଥିନ୍ ଏବଂ ଆବଶ୍ୟକୀୟ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଏମ୍‌ସି କମିସନର୍‌ କହିଛନ୍ତି। ଏହି ସର୍ଭେ ଟିମ୍‌ ରାଜଧାନୀର ସମସ୍ତ ବସ୍ତି ଅଞ୍ଚଳରେ ବୁଲିବା ସହ ଯେଉଁଠି କଚ୍ଚା ଘର ଅଛି ସେଗୁଡ଼ିକୁ ବି ସର୍ଭେରେ ସାମିଲ୍‌ କରିଛନ୍ତି। ଯେଉଁ ଲୋକମାନଙ୍କର ଘର ଭାଙ୍ଗିଥିବ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର