୭୦% ଓଡ଼ିଶାବାସୀ କ୍ୟାନ୍‌ସର ସମ୍ବନ୍ଧରେ ସଚେତନ ନୁହନ୍ତି, ଅଜ୍ଞତ‌ା ପାଇଁ ପ୍ରତିବର୍ଷ ୫୦ ହଜାର କ୍ୟାନ୍‌ସର ରୋଗୀଙ୍କ ଜୀବନ ଅକାଳରେ ଯାଉଛି

ଭୁବନେଶ୍ବର : କିଛିଦିନ ତ‌ଳେ ଯାଜପୁରର ଜଣେ ୪୨ ବର୍ଷୀୟ ବ୍ୟକ୍ତି ମୁଖ ଗହ୍ବର କ୍ୟାନସରରେ ପୀଡ଼ିତ ହେବାରୁ ତାଙ୍କର ଦାନ୍ତ ମାଢ଼ି ସହ ବାହାରକୁ ବାହାର କରିଦିଆଗଲା। ଦାନ୍ତ ନ ଥିବାରୁ ତାଙ୍କୁ ଗ୍ରାଇଣ୍ଡରରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦିଆଗଲା। ତାଙ୍କୁ ଯେ ଦୀର୍ଘଦିନ ଧରି ଏଭଳି ବଞ୍ଚିବାକୁ ପଡ଼ିବ ଏହା ଭାବିଭାବି ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଗଲା। କ୍ୟାନ୍‌ସର ଆମ ମନରେ ଏଭଳି ଏକ ରାକ୍ଷସ ରୂପେ ଚିତ୍ରିତ ହୋଇଛି ଯେ ତାହା ଭାବିଭାବି ଅନେକ ହୃଦଘାତରେ ମରି ଯାଉଛନ୍ତି। ପୁଣି ଅନେକ ସ୍ଥାନରେ କ୍ୟାନ୍‌ସରକୁ ଏକ ଡିଆଁ ରୋଗ ଭଳି ବିବେଚନା କରି ବାସନ୍ଦ କରାଯାଉଛି।

ଫେବ୍ରୁଆରି ୪ ତାରିଖ ବିଶ୍ବ କର୍କଟ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଓଡ଼ିଶାରେ କ୍ୟାନ୍‌ସର‌ ସମ୍ପର୍କିତ ‌ସଚେତନତା ନେଇ କାମ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ରେ ଏହି ସଂଗଠନ ପକ୍ଷରୁ ଅନୁଷ୍ଠିତ ‘କ୍ୟାନ୍‌ସରକୁ ଜାଣିବା, କ୍ୟାନ୍‌ସରକୁ ଜିଣିବା’ ଅଭିଯାନ କାର୍ଯ୍ୟକ୍ରମରେ କର୍କଟ ସମ୍ବନ୍ଧୀୟ ବହୁ ଉପାଦେୟ କଥା ‌ସ୍ବେଚ୍ଛ‌ାସେବୀମାନେ କହିଛନ୍ତି।

ଟିମ୍‌ ଆଡ୍‌ମାର୍କର ମୁଖ୍ୟ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ବାସ୍ତବରେ କ୍ୟାନ୍‌ସରକୁ ଭଲ ଭାବେ ନ ଜାଣିବା ହିଁ ବିପଦର କାରଣ ହେଉଛି। କ୍ୟାନ୍‌ସର ସଚେତନତା କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ଆକଳନ ମୁତାବକ, ଓଡ଼ିଶାରେ ୭୦ରୁ ୮୦ ପ୍ରତିଶତ ଲୋକ କ୍ୟାନସର ସମ୍ବନ୍ଧରେ ସଚେତନ ନୁହନ୍ତି। ଏହି ଅଜ୍ଞତା ଯୋଗୁଁ ଅନେକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଓଡ଼ିଶା ଏ ପର୍ଯ୍ୟନ୍ତ ନାସ୍‌ନାଲ୍‌ କ୍ୟାନ୍‌ସର ରେଜିଷ୍ଟ୍ରିର ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଓଡ଼ିଶାରେ କେତେ କର୍କଟ ରୋଗୀ ତାହା ଜଣା ପଡ଼ିନାହିଁ। ମାତ୍ର ସ୍ବେଚ୍ଛାସେବୀ ସଂଗଠନର ଆକଳନ ମୁତାବକ ପ୍ରତିବର୍ଷ ୫୦ ହଜାର ଲୋକ କ୍ୟାନ୍‌ସରର ଶିକାର ହେଉଛନ୍ତି। ମାତ୍ର ଏମାନଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ କେବଳ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଓ ଏମ୍‌ସର ଏକ ବିଭାଗରେ ସରକାରୀ ଭାବେ କ୍ୟାନ୍‌ସରର ଚିକିତ୍ସା କରାଯାଉଛି। ଦକ୍ଷ ଡାକ୍ତରଙ୍କ ସଂଖ୍ୟା ମଧ୍ୟ ଅତି କମ୍‌। ଫଳରେ କ୍ୟାନ୍‌ସର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ବୀରେନ ଦାସ କହିଛନ୍ତି।

ଏକ ହିସାବରୁ ଜଣାପଡ଼ିଛି ଭାରତରେ ଯେତେ କ୍ୟାନ୍‌ସର ରୋଗ ଚିହ୍ନଟ ହେଉଛି ସେଥିମଧ୍ୟରୁ ୪୦-୫୦ ପ୍ରତିଶତ ମୁଖ ଗହ୍ବର କର୍କଟ। ତେଣୁ ତମାଖୁ ସେବନକୁ ନିୟନ୍ତ୍ରଣ କରିପାରିଲେ ହିଁ କ୍ୟାନ୍‌ସର ଆକ୍ରାନ୍ତଙ୍କ ସଂଖ୍ୟା ୪୦ ପ୍ରତିଶତ କମାଇ ହେବ ବୋଲି ମହମ୍ମଦ ଇମ୍ରାନ ଅଲ୍ଲୀ କହିଛନ୍ତି।

ଦ୍ବିତୀୟରେ ରହିଛି ‘ସ୍ତନ କର୍କଟ’। ଏ କ୍ଷେତ୍ରରେ ସବୁଠୁ ବଡ଼ କଥା ହେଉଛି, ଯଦି ଜଣେ ନିଜେ ସଚେତନ ହେବ ତାହାହେଲେ ଏହା ବହୁ ପରିମାଣରେ ହ୍ରାସ ପାଇ ପାରିବ ବୋଲି କବିତା ମହାନ୍ତି କହିଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ ବରଗଡ଼ରେ ୬୪ ପ୍ରତିଶତ ଚାଷୀ ବିନା ଗ୍ଲୋବ୍‌, ବୁଟ୍‌, ଟାୱେଲ୍‌, ଫୁଲ୍‌ ପ୍ୟାଣ୍ଟ୍‌ ଓ ଫୁଲ୍‌ ସାର୍ଟରେ ଚାଷ ଜମିରେ କୀଟନାଶକ ସିଞ୍ଚନ କରୁଛନ୍ତି। ତେଣୁ ଏହା ମଧ୍ୟ କ୍ୟାନ୍‌ସର ସୃଷ୍ଟି କରିବାରେ ଏକ କାରଣ ସାଜିଛି ବୋଲି ସ୍ବେଚ୍ଛାସେବୀ ନିତାଇ ପାଣିଗ୍ରାହୀ କହିଛନ୍ତି। ସମ୍ମିଳନୀରେ ରେଖା ଦାସ, ସୁଶ୍ରୀ ମିଶ୍ର, ଲିଲି ଜେନାମଣି, ଡ.ମମତା ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର