ରାଜଧାନୀରେ ୫୦ ବର୍ଷର ରଥ ପରମ୍ପରା: ରଥେ ତୁ ବାମନଂ…
ଏଥରକ ଗଡ଼ିବ ୩୪ ରଥ, ଉପକଣ୍ଠରେ ୨୦, ମୁତୟନ ହେବେ ୬୦ ପ୍ଲାଟୁନ୍ ପୁଲିସ୍
ଭୁବନେଶ୍ବର: ରତ୍ନ ସିଂହାସନରେ ବଡ଼ଠାକୁରଙ୍କୁ ଦେଖିବା ଦ୍ବାରା ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ, ରଥରେ ଦର୍ଶନ କରିବା ଦ୍ବାରା ତା’ଠାରୁ ବହୁଗୁଣରେ ଅଧିକ ପୁଣ୍ୟ ମିଳେ। ତେଣୁ ଶାସ୍ତ୍ରରେ ଉଲ୍ଲେଖ ରହିଛି, ‘ରଥେ ତୁ ବାମନଂ ଦୃଷ୍ଟ୍ବା ପୁନର୍ଜନ୍ମ ନ ଲଭ୍ୟତେ।’ ଦୋଳଯାତ୍ରା ଅବସରରେ ଦୋଳ ବିମାନରେ ପ୍ରଭୁ ଦୋଳଗୋବିନ୍ଦ, ଚାପରେ ପ୍ରଭୁ ମଧୁସୂଦନ ଓ ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ଜନଶ୍ରୁତି ରହିଛି। ଏହା ହିଁ ମଣିଷ ଜନ୍ମରୁ ମୁକ୍ତିର ପଥ। ଏହି ବିଶ୍ବାସକୁ ନେଇ ଗଢ଼ିଉଠିଛି ପବିତ୍ର ରଥ ପରମ୍ପରା। ଆଉ କିଛି ଜଗନ୍ନାଥପ୍ରେମୀଙ୍କ ଯୁକ୍ତି, ଜଗତ ଠାକୁର ଜଗନ୍ନାଥଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ରତ୍ନବେଦୀରେ ଦର୍ଶନ କରିବାର ସୁଯୋଗ ପାଇ ନଥାଆନ୍ତି। ତେଣୁ ସେମାନଙ୍କୁ ଦର୍ଶନ ଦେବାକୁ ପ୍ରଭୁ ମନ୍ଦିରରୁ ବାହାରି ଆସନ୍ତି ବଡ଼ଦାଣ୍ଡକୁ। ଭକ୍ତର ଭାବରେ ବନ୍ଧା ଭଗବାନ ସେମାନଙ୍କ ପାଇଁ ରତ୍ନ ସିଂହାସନ ଛାଡ଼ି ଚାଲି ଆସନ୍ତି ରଥକୁ। ସମସ୍ତଙ୍କୁ ରଥ ଉପରେ ଦର୍ଶନ ଦିଅନ୍ତି। ତେଣୁ ଯେଉଁ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କୁ ରତ୍ନବେଦୀରେ ଦେଖିପାରନ୍ତି ନାହିଁ, ସେମାନେ ଘୋଷଯାତ୍ରା ଅବସରରେ ଭଗବାନଙ୍କ ଶ୍ରେଷ୍ଠ ଦର୍ଶନ(ରଥାରୂଢ଼ ଭଗବାନ ଦର୍ଶନ)କରିବାର ସୁଯୋଗ ପାଇଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିବର୍ଷ ରଥଯାତ୍ରାରେ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲେ ହେଁ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ଦର୍ଶନ ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ। ତେଣୁ କାଳକ୍ରମେ ଶ୍ରୀକ୍ଷେତ୍ର ବାହାରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପରିକଳ୍ପନା କରାଯାଇଛି। ବେଶ୍ କିଛି ବର୍ଷ ହେଲା, ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବହୁ ଜାକଜମକରେ ରଥଯାତ୍ରା ପାଳିତ ହୋଇଆସୁଛି। କିଛି ପୁରୁଣା ବାସିନ୍ଦାଙ୍କ କହିବା କଥା, ରାଜଧାନୀରେ ରଥଟଣାର ସେମିତି ବିଧିବଦ୍ଧ ଭାବେ କିଛି ଲିଖିତ ଇତିହାସ ନଥିଲେ ହେଁ ୪୦/୫୦ବର୍ଷ ତଳେ ରାଜଧାନୀରେ ଗୋଟିଏ, ଦୁଇଟି ରଥ ଗଡ଼ୁଥିଲା। ସେ ଦୃଷ୍ଟିରୁ ୟୁନିଟ-୮ ଜଗନ୍ନାଥ ମନ୍ଦିର ରଥଯାତ୍ରା ସର୍ବପୁରାତନ ବୋଲି କୁହାଯାଏ। ୧୯୭୨ପୁରୀରେ ନବକଳେବର ସମୟରେ ଚତୁର୍ଧା ମୂର୍ତି ଗଢ଼ା ଯିବା ପରେ କିଛି କାଠ ବଳି ପଡ଼ିଥିଲା। ସେହି ବଳକା କାଠରେ ଗଢ଼ା ଯାଇଥିଲା ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ମୂର୍ତି। ତତ୍କାଳୀନ ଓୟୁଏଟି ପ୍ରଫେସର ସୁପ୍ରସନ୍ନ ମହାନ୍ତି ତାହାକୁ ନିଜ ବାସଭବନକୁ ନେଇ ଆସିଥିଲେ। ୧୯୭୩ ମସିହାରୁ ଏଠାରେ ଏହି ଦାରୁ ବିଗ୍ରହଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ଚଳିତ ବର୍ଷ ଏହି ରଥଯାତ୍ରା ୫୦ ବର୍ଷରେ ପଦାର୍ପଣ କରିବ। ତେବେ କାଳକ୍ରମେ ରାଜଧାନୀରେ ଜଗନ୍ନାଥ ମନ୍ଦିର ସହ ରଥ ସଂଖ୍ୟା ବି ବୃଦ୍ଧି ପାଇଛି। ଏବେ ରାଜଧାନୀରେ ପାଖାପାଖି ୩୪ଟି ରଥ ଗଡ଼ୁଥିବା ଜଣାଯାଇଛି। ଏହା ବାଦ୍ ଜଟଣୀ, ବାଲିଅନ୍ତା, ବାଲିପାଟଣା ଆଦି ଉପକଣ୍ଠକୁ ମିଶାଇ କମିସନରେଟ୍ ପୁଲିସ୍ ଅଧୀନ ଅଞ୍ଚଳରେ ମୋଟ ୫୪ଟି ରଥ ଗଡ଼ିବ ବୋଲି ଜଣାଯାଇଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ୭ଜଣ ଅତିରିକ୍ତ ଡିସିପି, ୧୮ଜଣ ଏସିପି, ୩୧ଜଣ ଇନ୍ସ୍ପେକ୍ଟରସ୍ତରର ଅଧିକାରୀ ଦାୟିତ୍ବରେ ରହିବେ। ଏଥିପାଇଁ ୬୦ ପ୍ଲାଟୁନ୍ ପୁଲିସ ମୁତୟନ ହେବେ। ଏହାଛଡ଼ା ଟ୍ରାଫିକ୍ ପରିଚାଳନା ପାଇଁ ୧୫ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ଥାନାକୁ ଆଲର୍ଟ କରାଯାଇଛି। ନିଜ ନିଜ ଅଞ୍ଚଳର ରଥଯାତ୍ରା ଉପରେ ସେମାନେ ନଜର ରଖିବେ। ତେବେ ସହିଦନଗର ଥାନାଠାରୁ ଆରମ୍ଭ କରି ବାଲିଅନ୍ତା, ତମଣ୍ଡୋ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଶ୍ରୀଲିଙ୍ଗରାଜ, ଭରତପୁର, ନୂଆପଲ୍ଲୀ, ଜଟଣୀ, ମଞ୍ଚେଶ୍ବର, ପାହାଳ, ଇନ୍ଫୋସିଟି, ବାଲିପାଟଣା, କ୍ୟାପିଟାଲ ଏବଂ ଏୟାରଫିଲ୍ଡ ଥାନା ଅଞ୍ଚଳରେ ୩୪ଟି ରଥ ଗଡ଼ିବ। ସେହିପରି ଉପକଣ୍ଠରେ ୨୦ଟି ରଥ ଗଡ଼ିବ ବୋଲି ଜଣାଯାଇଛି।
କେଉଁ ଥାନା ଅଧୀନରେ କେଉଁ ରଥ
ସହିଦନଗର ଥାନା
ଶ୍ରୀଶ୍ରୀ ଭୁବନେଶ୍ବରୀ ମନ୍ଦିରରୁ ଟିପିକଲ ମଣ୍ଡପ
ବିଷ୍ଣୁ ମନ୍ଦିରରୁ ମା’ ଖଣ୍ଡୁଆଳି ମନ୍ଦିର
ଜଗନ୍ନାଥ ମନ୍ଦିରରୁ ମାଉସୀ ମା’ ମନ୍ଦିର (ଆରପି ଲାଇନ)
ବାଲିଅନ୍ତା ଥାନା
ଜଗନ୍ନାଥ ମନ୍ଦିରରୁ ଦୁଲାଦେବୀ ମନ୍ଦିର (ବେଣୁପୁର)
ଧବଳେଶ୍ବର ଜଗନ୍ନାଥ ମନ୍ଦିରରୁ ଜାଗୁଳାଇ ଜଗନ୍ନାଥ ଆଶ୍ରମ
ଶ୍ରୀଶ୍ରୀ ପରମବ୍ରହ୍ମ ଜଗନ୍ନାଥ ମନ୍ଦିର
ଶ୍ରୀ ଶ୍ରୀ ପତିତପାବନଦେବ ମନ୍ଦିରରୁ କାକରୁଦ୍ରପୁର ଗୁଣ୍ଡିଚା ମନ୍ଦିର।
ତମଣ୍ଡୋ ଥାନା
ଜଗନ୍ନାଥ ମନ୍ଦିର ତମାଣ୍ଡୋରୁ ମାଉସୀ ମା’ ମନ୍ଦିର ତମାଣ୍ଡୋ।
ଖଣ୍ଡଗିରି ଥାନା
ଜାଗମରା ଜଗନ୍ନାଥ ମନ୍ଦିରରୁ ଗଣ୍ଡମୁଣ୍ଡା ଗୁଣ୍ଡିଚା ମନ୍ଦିର
କୋଳଥିଆ ଜଗନ୍ନାଥ ମନ୍ଦିରରୁ ସୁଧାରାମ ଆଶ୍ରମ ଖଣ୍ଡଗିରି
ରଘୁନାଥ ନଗର ଜଗନ୍ନାଥ ମନ୍ଦିରରୁ ମାଉସୀ ମା’ ମନ୍ଦିର ଡୁମୁଡୁମା
ଏକାମ୍ର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର
ଫେଜ-୨ ଡୁମୁଡୁମା ପାଲାମଣ୍ଡପ ଡ଼ୁମୁଡ଼ୁମା
ଓୟୁଏଟି ଜଗନ୍ନାଥ ମନ୍ଦିରରୁ ଝାଡ଼େଶ୍ବରୀ ମନ୍ଦିର
ଚନ୍ଦ୍ରଶେଖରପୁର ଥାନା
ପତଳେଶ୍ବର ପତିତପାବନ ମନ୍ଦିରରୁ ସାଇ ବିହାର
ଆରସିଏମ ଜଗନ୍ନାଥ ମନ୍ଦିରରୁ ମା’ କାଳୀମନ୍ଦିର ପ୍ରେସ ଛକ
ହାଉସିଂବୋର୍ଡ ଜଗନ୍ନାଥ ମନ୍ଦିରରୁ ୧୦୮ ହନୁମାନ ମନ୍ଦିର
ଜଗନ୍ନାଥ ମନ୍ଦିର ଶୈଳଶ୍ରୀ ବିହାରରୁ ମଙ୍ଗଳା ମନ୍ଦିର
ପଟିଆ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପଟିଆ।
ଲିଙ୍ଗରାଜ ଥାନା
ଶ୍ରୀଜଗନ୍ନାଥ ଘୋଷ ଯାତ୍ରା ବଡ଼ଦାଣ୍ଡରୁ ତାରିଣୀ ମନ୍ଦିର
ଭରତପୁର ଥାନା
ଭରତପୁର ରଙ୍ଗଣୀ ସାହିରୁ କଳିଙ୍ଗ ଷ୍ଟୁଡିଓ ଛକ
ଘାଟିକିଆ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର।
ନୂଆପଲ୍ଲୀ ଥାନା
ରେଣ୍ଟାଲ୍ କଲୋନି ମା’ କନକ ଦୁର୍ଗାମନ୍ଦିରରୁ ଏକାମ୍ର କାନନ କାଳୀ ମନ୍ଦିର
ଇସ୍କନ କ୍ରିଷ୍ଣା ବଳରାମ ମନ୍ଦିରରୁ ୟୁନିଟ୍-୮ ଇସ୍କନ୍ ଗୁଣ୍ଡିଚା ମନ୍ଦିର
ଜଟଣୀ ଥାନା
ଦଧିବାମନ ରଥଯାତ୍ରା ଦୋଳମଣ୍ଡପ ସାହିରୁ ମାଉସୀ ମା’ମନ୍ଦିର
ବଚରପାଟଣା ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ବଚରପାଟଣା।
ମଞ୍ଚେଶ୍ବର ଥାନା
ରେଲୱେ କଲୋନି ଜଗନ୍ନାଥ ମନ୍ଦିରରୁ ଉପେନ୍ଦ୍ର ଭଞ୍ଜ ରେଲୱେ ଇନ୍ଷ୍ଟିଚ୍ୟୁଟ୍
ବାବା ମଣିଶ୍ବର ମନ୍ଦିର ଭୋଟ୍ପଡ଼ାରୁ ମା’ ଦରିଆଣି ମନ୍ଦିର
ପାହାଳ ଥାନା
ଜଗନ୍ନାଥ ମନ୍ଦିର କୋଟକଣାରୁ ଝଡ଼ଖଣ୍ଡି ମନ୍ଦିର ଅତାଳ
ଇନ୍ଫୋସିଟି ଥାନା
କିଟ୍ ମନ୍ଦିର ଟ୍ରଷ୍ଟ କିସ ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର।
ବାଲିପାଟଣା ଥାନା
ଡେରାସାହି ଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର,
ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁ ବାଲିପାଟଣା ବଜାରରୁ ବାଲିପାଟଣା ଛକ
କ୍ୟାପିଟାଲ ଥାନା
ଶ୍ରୀଜଗନ୍ନାଥ ସେବା ସମିତି ତରଫରୁ କମଳା ନେହରୁ ମହାବିଦ୍ୟାଳୟ ପଛପାର୍ଶ୍ବରୁ ୟୁନିଟ୍-୧ ମଙ୍ଗଳା ମନ୍ଦିର
ଏୟାରଫିଲ୍ଡ ଥାନା
ପ୍ରଧାନସାହି ରଥ ଯାତ୍ରା କମିଟି ତରଫରୁ ଚାନ୍ଦମୁଣ୍ଡିଆ ଫୁଟ୍ ହିଲ୍ରୁ ପ୍ରଧାନସାହି ଛକ