ଧରାପଡ଼ିଲେ ୫ ଶହରୁ ଊର୍ଦ୍ଧ୍ବ ଅମାନିଆ ଚାଳକ, ପରିବା ବେପାରୀଙ୍କୁ ବି ଛାଡ଼ିଲେନି

ଭୁବନେଶ୍ବର:କରୋନା ପାଇଁ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସାମାଜିକ ଦୂରତ୍ବ ରକ୍ଷା ବିନା ଆଉ କୌଣସି ଉପାୟରେ କରୋନାକୁ ରୋକିବା ଅସମ୍ଭବ। ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ନିୟମକୁ ଅନେକ ମାନୁ ନଥିବା ଦେଖାଯାଉଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଗତକାଲି କମିସନରେଟ୍‌ ପୁଲିସ ରେକର୍ଡ ସଂଖ୍ୟକ ୧୦୩୪ ଗାଡ଼ି ଜବତ କରିଥିବା ବେଳେ ଆଜି ମଧ୍ୟ ଭୁବନେଶ୍ବରରୁ ୭୨୧ ଓ କଟକରୁ ୭୫୦ ଗାଡ଼ି ଜବତ ହୋଇଛି। ବିନା କାରଣ‌ରେ ସହରରେ ବୁଲୁଥିବା ଲୋକମାନଙ୍କଠାରୁ ଏହି ସବୁ ଗାଡ଼ି ପୁଲିସ ଜବତ କରିଛି।

ସାମାଜିକ ଦୂରତ୍ବ ନ ଥିବାରୁ ବେପାରୀଙ୍କୁ ମାଡ଼
ଅନ୍ୟପଟେ ଆଜି କମିସନରେଟ୍‌ ପୁଲିସ ବେପାରୀଙ୍କୁ ଟାର୍ଗେଟ୍‌ କରିଥିଲା। ପୂର୍ବ ଘୋଷଣା ମୁତାବକ, ଯେଉଁ ବ୍ୟବସାୟୀ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ନିଶ୍ଚିତ କରୁ ନ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ନୂଆପଲ୍ଲୀ‌ ଦୁର୍ଗାପୂଜା ମଣ୍ଡପ କଡ଼ରେ ଆଜି ଏଥିପାଇଁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ବସିଥିବା ବେପାରୀମାନେ ଗ୍ରାହକ ଛିଡ଼ା ହେବା ପାଇଁ ଜାଗା ଚିହ୍ନିତ କରି ନଥିଲେ। ଗ୍ରାହକମାନେ ଭିଡ଼ ଜମାଇ ପରିବା କିଣୁଥିଲେ। ସକାଳେ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ପୁଲିସ ବେପାରୀମାନଙ୍କୁ ପିଟିଥିଲା। ଗୋଟିଏ ପଟରୁ ମାଡ଼ ଆରମ୍ଭ ହେବାରୁ ବେପାରୀମାନେ ବ୍ୟବସାୟ ବନ୍ଦ କରି ଦେଇ ଗ୍ରାହକ ଧାଡ଼ିରେ ଛିଡ଼ା ହେବା ପାଇଁ ଜାଗା ଚିହ୍ନିତ କରିଥିଲେ। ତା’ ପରେ ଯାଇ ବେପାର ଆରମ୍ଭ କରିଥିଲେ। ଏହି ବଜାର ଛଡ଼ା ଅନ୍ୟ କୌଣସି ଜାଗାରେ ଏଭଳି ଘଟଣା ଘଟି ନ ଥିବା ଜଣାପଡ଼ିଛି। ଅନେକ ବେପାରୀ ନିଜ ଆଡ଼ୁ ସାମାଜିକ ଦୂରତ୍ବ ବଜାୟ ରହିବା ଭଳି ବ୍ୟବସ୍ଥା କରିଥିଲେ।

ଅମାନିଆଙ୍କ ପ୍ରତି କଡ଼ା ନଜର
ଗତକାଲି ତୁଳନାରେ ଆଜି ରାଜଧାନୀ ଖାଁ ଖାଁ ରହିଥିଲା। ମିଛ କହି ଗାଡ଼ି ଧରି ବାହାରିଥିବା ଲୋକ ଉପରେ ଆଜି ପୁଲିସର ନଜର କଡ଼ା ରହିଥିଲା। କୌଣସି ପରିସ୍ଥିତିରେ କେହି ଔଷଧ କିମ୍ବା ଅନ୍ୟ ଜରୁରୀ କାମ ଦର୍ଶାଇ ଯେଭଳି ମିଛ କହି ପଳାଇ ନଯାଏ, ତାହା ଉପ‌ରେ ନଜର ରଖା ଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆସନ୍ତାକାଲି ମଧ୍ୟ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ହେବାକୁ ରହିଛି। ଏଣୁ କେବଳ ବ୍ୟବସାୟୀ ନୁହନ୍ତି, ଗ୍ରାହକମାନେ ‌ମଧ୍ୟ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଅତିରିକ୍ତ ପୁଲିସ କମିସନର ଅନୁପ କୁମାର ସାହୁ। ସେ ଆହୁରି ମଧ୍ୟ କହିଛନ୍ତି, ପରିବା କିମ୍ବା ଅନ୍ୟ କୌଣସି କାମରେ ଗାଡ଼ି ଧରି ବାହାରକୁ ବାହାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ।

ସମ୍ବନ୍ଧିତ ଖବର