ଭୁବନେଶ୍ବର : ୩ମାସ ବିରତି ପରେ ପୁଣି ଥରେ ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନ୍କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ରାଜଧାନୀରେ ଟ୍ରାଫିକ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂକୁ ଜୋରଦାର କରାଯାଇଛି। ରାଜମହଲ ଛକ, ପଟିଆ, ବରମୁଣ୍ଡା, ରସୁଲଗଡ଼, ବାଣୀବିହାର, ରୂପାଲି, କଳ୍ପନା, ନାଲ୍କୋ ଛକ, ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ଆଚାର୍ଯ୍ୟବିହାର ଆଦି ୩୦ରୁ ଊର୍ଧ୍ବ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ଟ୍ରାଫିକ୍ ପୁଲିସର ୩୦ଟି ଟିମ୍ ଛକ ଛକରେ ଜଗି ରହି ଚେକିଂ କରିଥିଲେ। ଟ୍ରାଫିକ ସିଗ୍ନାଲ୍ ନମାନିବା, ଜେବ୍ରା କ୍ରସିଂରୁ ଆଗକୁ ମାଡ଼ିଯିବା, ସିଟ୍ବେଲ୍ଟ ପିନ୍ଧି ନ ଥିବା, ହେଲମେଟ୍ ନ ପିନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କରିବା, ମଦ ପିଇ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ କାବୁ କରିଥିଲା। ତେବେ ରବିବାର ଦିନ ସମୁଦାୟ ୫୦୧ ଜଣ ନିୟମ ଉଲଂଘନକାରୀଙ୍କ ଠାରୁ କମିସନରେଟ୍ ପୁଲିସ ପାଖାପାଖି ୫ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଯେଉଁଥିରେ ବାଇକ୍ ଚାଳକଙ୍କ ସଂଖ୍ୟା ଅଧିକ ରିହିଛି ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସେହିପରି ପ୍ରଥମ ଥର ପାଇଁ ରୂପାଲି ଛକରେ କ୍ୟାମେରା ଦ୍ବାରା ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯଇଥିଲା। ଏହି ସ୍ୱଂୟଚାଳିତ ନମ୍ବର ପ୍ଲେଟ ଚିହ୍ନଟ ବ୍ୟବସ୍ଥା ଦ୍ବାରା କ୍ୟାମେରାରୁ ୩୬ଜଣ ନିୟମ ଉଲଂଘନକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଘରକୁ ଚାଲାଣ ପଠାଯାଇଛି। ରଙ୍ଗସାଇଡ୍ ଡ୍ରାଇଭ୍, ଜେବ୍ରା କ୍ରସିଂ ଉଲ୍ଲଂଘନ, ହେଲ୍ମେଟ୍, ସିଟ୍ବେଲ୍ଟ ନପିନ୍ଧିବା ଚାଳକକଙ୍କୁ ଧରାଯାଇ ଜରିମାନା ଚାଲାଣ କଟାଯାଇଛି। ସେହିପରି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ୍ରୁ ୫୯ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ନୋଟିସ୍ କରାଯାଇଛି। ଜରିମାନା ଆଦାୟ ପାଇଁ ସେମାନଙ୍କ ଘରକୁ ଇ-ଚାଲଣ ପଠାଇ ଦିଆଯିବ। ଖିଲାପକାରୀ କମିସନରେଟ୍ ପୁଲିସ ମୁଖ୍ୟାଳୟରେ ଥିବା କାଉଣ୍ଟରରେ ଜରିମାନା ପୈଠ କରିବେ। ଜରିମାନା ପୈଠରେ ବିଳମ୍ବ ହେଲେ ସୁଧ ମଧ୍ୟ ପୈଠ କରିବାକୁ ପଡ଼ିବ। ଆରଟିଓ-୧ ପକ୍ଷରୁ ଆଜି ୬୦ଟି ଚାଲାଣ କଟାଯାଇ ଥିବା ସୂଚନା ମିଳିଛି। ଯେଉଁଥିରେ ଟ୍ରାଫିକ ବିପରୀତ ଦିଗରେ ଗାଡ଼ି ଚାଳନା କରି ୮ଜଣ, ମୋବାଇଲ କଥା ହେଉଥିବା ୬, ହେଲମେଟ ପିନ୍ଧିନଥିବା ୧୨, ଗାଡ଼ିରେ ତିନିଜଣିଆ ଯାଉଥିବା ୯ ଓ ୨୫ଜଣ ଦ୍ରୁତ ଗତିରେ ଯାଉଥିବା ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଇଛି। ସେହିପରି ଆରଟିଓ-୨ ପକ୍ଷରୁ ଆଜି ୧୦୫ଟି ଚାଲାଣ କଟାଯାଇଥିବା ସୂଚନା ମିଳିଛି। ଯେଉଁଥିରେ ଟ୍ରାଫିକ ବିପରୀତ ଦିଗରେ ଗାଡ଼ି ଚାଳନା କରି ୧୭ଜଣ, ମୋବାଇଲରେ କଥା ହେଉଥିବା ୧୦ଜଣ, ହେଲମେଟ ପିନ୍ଧିନଥିବା ୧୯ଜଣ, ଗାଡ଼ିରେ ତିନିଜଣିଆ ଯାଉଥିବା ୧୪ଜଣ ଓ ୪୫ଜଣ ଦ୍ରୁତ ଗତିରେ ଯାଉଥିବା ନିୟମ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଇଛି।
/sambad/media/post_attachments/wp-content/uploads/2019/12/traffic-bbf-300x191.jpg)
ଟ୍ରାଫିକ୍ ବିପରୀତ ଦିଗରେ ଗାଡ଼ିଚାଳନାକୁ ନା, ୨୦୦ ସ୍ଥାନ ଚିହ୍ନଟ, ଧରାପଡ଼ିଲେ ୫ହଜାର
ରାଜଧାନୀରେ ଟ୍ରାଫିକ୍ ବିପରୀତ ଦିଗରେ ଗାଡ଼ିଚାଳନା ମୁଖ୍ୟ ସମସ୍ୟା ପାଲଟିଛି। ଏଭଳି ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିବା ସହ ଜାମ୍ ପରିସ୍ଥିତି ଉପୁଜୁଛି। ଏହାର ସମାଧାନ ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି। ଟ୍ରାଫିକ୍ ବିପରୀତ ଦିଗରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ପୁଲିସ ଚେତାଇ ଦେଇଛି। ଯଦି କେହି ଏପରି ଆଇନର ଉଲ୍ଲଂଘନ କରି ଧରାପଡ଼ନ୍ତି ତେବେ ୫ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। କମିସନରେଟ୍ ପୁଲିସ ରାଜଧାନୀରେ ୨ଶହରୁ ଊର୍ଧ୍ବ ସ୍ଥାନକୁ ଚିହ୍ନଟ କରିଛି। ସେହି ସବୁ ସ୍ଥାନରେ ଚେକିଂକୁ କଡ଼ାକଡ଼ି କରାଯିବ। କେବଳ ପୁଲିସ ନୁହେଁ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସିସିଟିଭି, ଡ୍ରୋନ୍ର ନଜର ମଧ୍ୟ ରହିବ। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/traffi-bbfb.jpg)