ରାଜରାସ୍ତାରେ ପଡ଼ିଲା ବିଡା ବିଡା ଟଙ୍କା; ଆସିଲେନି ଦାବିଦାର, ଶେଷରେ ଜବତ କଲା ପୁଲିସ

ଭୁବନେଶ୍ବର: ରାସ୍ତା ଉପରେ ପଡ଼ିଲା ବିଡା ବିଡା ୫୦୦ ଟଙ୍କା, କେହି ନାହାନ୍ତି ଦାବିଦାର। ଶେଷରେ ପୁଲିସ ଆସି ଟଙ୍କା ଜବତ କରିଛି। ଏପରି ବିଚିତ୍ର ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ରାଜରାସ୍ତାରେ। ରାସ୍ତାରେ ୩ ବିଡ଼ା ୫୦୦ ଟଙ୍କିଆ ନୋଟ୍ ପଡ଼ିଥିବା ଖବର ପୁଲିସ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତାକୁ ଗଣିବା ସହ ହେପାଜତକୁ ନେଇଛି।

ସୂଚନା ଅନୁସାରେ, ଭୁବନେଶ୍ୱର ଗଙ୍ଗନଗର ଛକ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଦୁଇ ବାଇକ ଆରୋହୀ ତଳେ ପଡିଯାଇଥିଲେ । ଜଣେ ବାଇକ୍ ଆରୋହୀଙ୍କ କାନ୍ଧରେ ଥିବା ବ୍ୟାଗରୁ ୫୦୦ ଟଙ୍କିଆ ତିନୋଟି ବଣ୍ଡଲ ରାସ୍ତାରେ ଗଳିପଡିଲା । ମାତ୍ର ବାଇକ ଆରୋହୀ ଟଙ୍କା ଛାଡି ଘଟଣାସ୍ଥଳରୁ ପଳାଇ ଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ଏହାପରେ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିଛି । ସମୁଦାୟ ଦେଢ଼ଲକ୍ଷ ଟଙ୍କା ମିଳିଥିବା ଜଣାପଡ଼ିଛି।

ରାସ୍ତା ଉପରେ ବିଡା ବିଡା ଟଙ୍କା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବାଇକ ଚାଳକ ନ ଜାଣିପାରି ଟଙ୍କା ପକାଇ ଦେଇ ପଳାଇଗଲେ ନା ଜାଣିଶୁଣି ଟଙ୍କା ଛାଡ଼ି ଦେଇ ପଳାଇଗଲେ ତାହା ଆଲୋଚନାର ବିଷୟବସ୍ତୁ ହୋଇଛି। ଯଦି ଟଙ୍କା ବ୍ୟାଙ୍କରୁ ଆସିଥିଲା ଅଥବା ବ୍ୟାଙ୍କକୁ ଯାଉଥିଲା ତେବେ ବାଇକ ଆରୋହୀ ନିଶ୍ଚିତ ଟଙ୍କା ସୁରକ୍ଷିତ ଅଛିକି ନାହିଁ ପରଖି ଥାଆନ୍ତେ। ମାତ୍ର ସେ ଭଳି ନ କରି ଟଙ୍କା ଛାଡ଼ି ପଳାଇ ଯାଇଥିଲେ। ଏହା ଜନମାନସରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର