୧୭ ପଞ୍ଚାୟତ ପାଇଁ ୫ ଶହ ଟିକା: ହରଡ଼ଘଣାରେ ବଣ୍ଟନ ବ୍ୟବସ୍ଥା

ବାଲିପାଟଣା: ୧୭ ପଞ୍ଚାୟତକୁ ନେଇ ବାଲିପାଟଣା ବ୍ଲକ୍‌ ଗଠିତ। ସମଗ୍ର ବ୍ଲକ୍‌ ପାଇଁ ୪ଟି ଟିକା କେନ୍ଦ୍ରରେ ଚାଲିଥିଲା କୋଭିଡ୍‌ ଟିକାଦାନ। ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ବି ଟିକା ପାଉଥିଲେ। ମାତ୍ର ଏବେ ସମଗ୍ର ବ୍ଲକ୍‌ ପାଇଁ ମିଳିଛି ୭ଶହ ଟିକା। ସେଥିରୁ ଗର୍ଭବତୀ ଓ ବୃଦ୍ଧାଶ୍ରମ ପାଇଁ ସଂରକ୍ଷିତ ରହିଛି ଦୁଇଶହ ଟିକା। ବାକି ୫ ଶହ ଟିକା ସର୍ବସାଧାରଣଙ୍କ ପାଇଁ ମିଳିଛି। ତେଣୁ ଏତିକି ଟିକାକୁ ବାଣ୍ଟିବା ପାଇଁ ସମସ୍ୟାରେ ପଡ଼ିଛି ବ୍ଲକ୍‌ ପ୍ରଶାସନ। ଫଳରେ ଗତ ପ୍ରାୟ ଦେଢ଼ ସପ୍ତାହ ହେଲାଣି ଟିକାକରଣ ବନ୍ଦ ରହିଛି। ଏଣେ ଲୋକଙ୍କ ପାଖରେ ସଠିକ ସୂଚନା ନଥିବାରୁ ସେମାନେ ଟିକା କେନ୍ଦ୍ରକୁ ଆସି ହତାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି। ମାତ୍ର ୫ ଶହ ଟିକାକୁ ୪ଟି କେନ୍ଦ୍ର ମଧ୍ୟରେ ବାଣ୍ଟିଲେ, ଗୋଟିଏ କେନ୍ଦ୍ର ପିଛା ପାଖାପାଖି ଶହେରୁ କିଛି ଅଧିକ ଭାଗ ପଡ଼ିବ। ଫଳରେ ମାତ୍ର ଗୋଟିଏ ଦିନରେ ହିଁ ଟିକା ସରିଯିବ। ତେଣୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବ। ଏମିତି ସ୍ଥିତିରେ ହାତବାନ୍ଧି ବସିଛି ବ୍ଲକ୍‌ ପ୍ରଶାସନ। ଫଳରେ ସବୁ ଟିକାକେନ୍ଦ୍ରରେ ଏବେ ତାଲା ଝୁଲୁଛି।

ସୂଚନାଯୋଗ୍ୟ ବ୍ଲକ୍‌ର ୧୭ ପଞ୍ଚାୟତର ୪ ଟିକା କେନ୍ଦ୍ର ମଧ୍ୟରୁ ତୁରିନ୍ତିରା ବିପିନି ବିହାରୀ ହାଇସ୍କୁଲରେ ୬ଟି ପଞ୍ଚାୟତ, ରାଜସ ସବ୍‌ସେଣ୍ଟରରେ ୫, ବନମାଳୀପୁର ସବ୍‌ସେଣ୍ଟରରେ ୪ ଓ ବରାହି ହାଇସ୍କୁଲରେ ୨ ପଞ୍ଚାୟତର ଲୋକେ ଟିକା ନେଉଥିଲେ। ଦୈନିକ ଶହେ ଲୋକଙ୍କୁ ଟିକା ମିଳୁଥିଲା। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର୍‌ (ବିପିଏମ୍‌) ତପନ କୁମାର ମଣ୍ଟୁଙ୍କ ସୂଚନା ଅନୁଯାୟୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ୭ଶହ ଟିକା ମିଳିଛି। ସେଥିରୁ ଗର୍ଭବତୀ ମହିଳା ଏବଂ ବୃଦ୍ଧାଶ୍ରମ ପାଇଁ ୨ଶହ ଟିକା ରଖାଯାଇଛି। ଆଉ ଅଧିକ ଟିକା ପାଇଁ ପ୍ରସ୍ତାବ ଦିଆଯାଇଛି ଓ ଖୁବ୍‌ ଶୀଘ୍ର ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର