ଭୁବନେଶ୍ବର: ରାଜଧାନୀର ଛାତି ଉପରେ ଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକ ଭଙ୍ଗାଯିବ। ଇତିମଧ୍ୟରେ ୟୁନିଟ୍-୩ ଓ ୟୁନିଟ୍-୮ ଅଞ୍ଚଳରେ ୪୮ଟି କ୍ବାର୍ଟର୍ସ ଭଙ୍ଗାଯାଇଛି। ବିଧାୟକଙ୍କ ପାଇଁ ବହୁତଳ କୋଠା ନିର୍ମାଣ ଲାଗି ୟୁନିଟ୍-୪ ଅଞ୍ଚଳରେ କିଛି କ୍ବାର୍ଟର୍ସ ମାଟିରେ ମିଶିଛି। ବାକି କୋଠା ଭାଙ୍ଗିବା ଦିଗରେ ପଦକ୍ଷେପ ନିଆଯାଉଛି। ୟୁନିଟ୍-୨, ୟୁନିଟ୍-୬ ଓ ୟୁନିଟ୍-୪ ଅଞ୍ଚଳରେ ଥିବା ପ୍ରାୟ ୫୧୦ଟି କ୍ବାର୍ଟର୍ସ ଭାଙ୍ଗି ବହୁତଳ ଆବାସିକ କୋଠା ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ୟୁନିଟ୍-୨ରେ ୩୮ ଏକର ପରିମିତ ଜମିରେ ଥିବା ୪୧୦ଟି କ୍ବାର୍ଟର୍ସ ଭାଙ୍ଗାଯାଇ ପିପିପି ମୋଡ୍ରେ ବାଣିଜ୍ୟିକ-ଆବାସିକ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି।
ବାଣିଜ୍ୟିକ-ଆବାସିକ ପ୍ରକଳ୍ପ ପାଇଁ ୟୁନିଟ୍-୨ରେ ଭାଙ୍ଗିବ ୪୧୦
ପିଜି ଇନ୍ଷ୍ଟିଚ୍ୟୁଟ୍ ଓ ବିଧାୟକ କୋଠା ଲାଗି ଶହେ ଭଙ୍ଗାଯିବ
ୟୁନିଟ୍-୨ରେ ଖାଲିପଡ଼ିଛି ୧୨୪ ସରକାରୀ କ୍ବାର୍ଟର୍ସ
ୟୁନିଟ-୨ ଅଞ୍ଚଳରେ ନିର୍ମାଣ ହେବାକୁ ଥିବା ବହୁତଳ ବିଶିଷ୍ଟ କୋଠାଗୁଡ଼ିକରେ ଜନପଥ ପାର୍ଶ୍ବକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ଏବଂ ଏହାର ପଛ ପାର୍ଶ୍ବକୁ ଆବାସିକ କ୍ବାର୍ଟର୍ସ ପାଇଁ ବ୍ୟବହାର କରାଯିବ। ପିପିପି ମୋଡରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ମଧ୍ୟରେ ଥିବା କ୍ବାର୍ଟର୍ସଗୁଡ଼ିକୁ ଉଚ୍ଛେଦ ହେବ। କ୍ବାର୍ଟର୍ସ ପାଇଥିବା ସରକାରୀ କର୍ମଚାରୀ ଓ ରାଜନେତାମାନଙ୍କୁ ଘର ଭଡ଼ା ଦିଆଯିବ। ନହେଲେ ସେମାନଙ୍କୁ ଅନ୍ୟତ୍ର କ୍ବାର୍ଟର୍ସ ମିଳିବ।
ମିଳିଥିବା ସୂଚନା ଅନୁଯାୟୀ, ୟୁନିଟ-୨ ଅଞ୍ଚଳରେ ୩୮ଏକର ପରିମିତ ଜମିରେ ସରକାରୀ କ୍ବାର୍ଟର୍ସଗୁଡ଼ିକ ରହିଛି। ପ୍ରଥମ ପର୍ଯ୍ୟାୟରେ କ୍ବାର୍ଟର୍ସ ନଂ ଭିଏ-୧୩/୧ରୁ ଭିଏ- ୩୬/୪ ପର୍ଯ୍ୟନ୍ତ ଅଞ୍ଚଳକୁ ଭଙ୍ଗାଯିବ। ଏଗୁଡ଼ିକ ଭଙ୍ଗାହେଲେ ୫୦ହଜାର ୪୦୦ ବର୍ଗମିଟର ଅର୍ଥାତ ପ୍ରାୟ ୧୨ଏକର ଜମି ଖାଲି ହେବ। ଜନପଥ କଡ଼ରେ ଥିବା ଭିଆଇପି କ୍ବାର୍ଟର୍ସଗୁଡ଼ିକୁ ଭାଙ୍ଗିଲେ ୧ଲକ୍ଷ ୮ହଜାର ବର୍ଗମିଟର ଜମି ବା ୨୬ଏକର ଜମି ଫାଙ୍କା ହେବ। ମୋଟ୍ ୩୮ଏକର ଜମିରୁ କ୍ବାର୍ଟର୍ସ ଭଙ୍ଗା ହେବାକୁ ଥିବା ବେଳେ ୨୦ ଏକର ଜମିରେ ଏହି ପ୍ରକଳ୍ପ ହେବାର ଯୋଜନା ଅଛି। ଏହି ପ୍ରକଳ୍ପ କାର୍ଯ୍ୟରେ ଏକାଧିକ ସଂସ୍ଥାକୁ ନିୟୋଜିତ କରି କୋଠା ନିର୍ମାଣ ହେବ। ଯେଉଁ ସଂସ୍ଥା ପୁଞ୍ଜିନିବେଶ କରିବ ସେହି ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହେବ। ରାଜ୍ୟ ସରକାର ଜମି ଯୋଗାଇବେ ଓ ଘରୋଇ ସଂସ୍ଥା ପୁଞ୍ଜିନିବେଶ କରିବ। କାହାର କେତେ ପ୍ରତିଶତ ଭାଗ ରହିବ ତାହା ସ୍ଥିର ହେବ। ଏହି ପ୍ରକଳ୍ପ ଆରମ୍ଭ ପାଇଁ କ୍ବାର୍ଟର୍ସ ଉଚ୍ଛେଦ କରିବା ଏବଂ ଆବଜର୍ନା ଉଠାଇବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।
ସେହିପରି ୟୁନିଟ-୬ ଅଞ୍ଚଳ ତଥା କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବାକୁ ଥିବା ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପାଇଁ କ୍ବାର୍ଟର୍ସ ଭଙ୍ଗା କାର୍ଯ୍ୟ ଜାରି ରହିଛି। ଏହି ଅଞ୍ଚଳରେ ଥିବା ମୋଟ ୫୦ଟି କ୍ୱାର୍ଟର୍ସ ଭଙ୍ଗାଯିବ। ୟୁନିଟ-୪ ଅଞ୍ଚଳରେ ବିଧାୟକ କଲୋନି ଥିବା ୫୦ଟି କ୍ୱାର୍ଟର୍ସକୁ ଭଙ୍ଗାଯାଇ ବହୁତଳ ଆବାସିକ କୋଠା ନିର୍ମାଣ ହେବ। ୟୁନିଟ-୩ରେ ଭୁବନେଶ୍ୱର ମହାନଗର ନିଗମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୨ଟି ଓ ୟୁନିଟ-୮ ଅଞ୍ଚଳରେ ୩୬ଟି କ୍ୱାର୍ଟର୍ସ ନିରାପଦ ନ ଥିବାରୁ ତାହାକୁ ଭାଙ୍ଗି ଦିଆଯାଇଛି। ୟୁନିଟ-୨ରେ ୧୨୪ଟି ଘର ଖାଲି ପଡ଼ିଛି। ସେଗୁଡ଼ିକର ପୁନଃନିର୍ମାଣ କରିବାକୁ ସ୍ଥିର ହୋଇଥିବାରୁ ଏପର୍ଯ୍ୟନ୍ତ ଆବଣ୍ଟନ ହୋଇ ନାହିଁ। ଏବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ଟି କ୍ୱାର୍ଟର୍ସ ରହିଥିବା ନେଇ ବିଧାନସଭାେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ଏକ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/44-13.jpg)