ଅତିଥିଙ୍କ ପାଇଁ ୫୧୪ ହୋଟେଲ୍‌, ଟ୍ରାଇଡେଣ୍ଟ୍‌ରେ ଭାରତ

ସ୍ବସ୍ତି ପ୍ରିମିୟମ୍‌ରେ ପାକିସ୍ତାନ

ହକି ବିଶ୍ବକପ ପାଇଁ ରାଜଧାନୀକୁ ଆସିବେ ବିଶ୍ବର ଶ୍ରେଷ୍ଠ ୧୬ଟି ଦଳ। ମ୍ୟାଚ୍ ଆରମ୍ଭରୁ ବିଶ୍ବକପ୍ ଶେଷ ହେବା ପର୍ଯ୍ୟନ୍ତ ରାଜଧାନୀରେ ତାରକା ହୋଟେଲଗୁଡ଼ିକ ବୁକ୍ ହୋଇସାରିଛି। ୮ଟି ତାରକା ହୋଟେଲରେ ୧୬ଟି ଦଳର ଖେଳାଳି ରହିବେ। ଏହାସହ ମ୍ୟାଚ୍ ଅଫିସିଆଲ, ଅନ୍ତର୍ଜାତୀୟ ହକି ମହାସଂଘ ଓ ହକି ଇଣ୍ଡିଆର କର୍ମକର୍ତାଙ୍କ ରହିବା ପାଇଁ ମଧ୍ୟ ହୋଟେଲ ବୁକ୍ ହୋଇଛି। ୨୮ ନଭେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଏହିସବୁ ହୋଟେଲରେ ରହିବାର ବ୍ୟବସ୍ଥା ହୋଇଛି। ଭାରତୀୟ ଦଳ ଟ୍ରାଇଡେଣ୍ଟରେ ରହୁଥିବା ବେଳେ ପାକିସ୍ତାନ ସ୍ବସ୍ତି ପ୍ରିମିୟମରେ ରହିବ। ସେହିପରି ଅନ୍ୟ ଦଳମାନେ ରାଜଧାନୀର ୬ଟି ତାରକା ହୋଟେଲରେ ରହିବେ।

ହକି ବିଶ୍ବକପ୍‌ ଆୟୋଜନ ନେଇ ହୃଦ୍‌ସ୍ପନ୍ଦନ ବଢ଼ିବା ସହ ଧୀରେଧୀରେ ପର୍ଯ୍ୟଟକ ଓଡ଼ିଶାକୁ ଗଡ଼ିବା ଆରମ୍ଭ କଲେଣି। ବହୁ ବିଦେଶୀ ‌ହକି ପ୍ରଶଂସକ ନିଜ ଦେଶକୁ ସମର୍ଥନ କରିବା ପାଇଁ ଏବେଠୁ ଓଡ଼ିଶା ଆସି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାବୁଲି କଲେଣି। ଏଥିପାଇଁ ଭୁବନେଶ୍ବର ଓ କଟକରେ ୫୧୪ଟି ହୋଟେଲ୍‌କୁ ଚିହ୍ନଟ କରାଯାଇଛି। ଭୁବନେଶ୍ବରର ସମସ୍ତ ଛୋଟବଡ଼ ହୋଟେଲ୍‌ ବୁକିଂ ସହିତ ସେଠାରେ ଅତିଥିଙ୍କୁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ସମ୍ବନ୍ଧୀୟ ସୂଚନା ପୁସ୍ତିକା ସହ ରୁଟ୍‌ ଚାର୍ଟ ରଖାଯାଇଛି। ମେ’ଫେୟାର, ସ୍ବସ୍ତି ପ୍ରିମିୟମ୍‌, ଟ୍ରାଇଡେଣ୍ଟ୍‌ରେ ଖେଳାଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଭୁବନେଶ୍ବରର ପ୍ରାୟ ସମସ୍ତ ଛୋଟବଡ଼ ହୋଟେଲ୍‌ ଆଡ୍‌ଭାନ୍ସ ବୁକିଂ ହୋଇସାରିଛି। ଏଥିସହ ଯେଉଁ ଅତିଥିମାନେ ହକି ସମୟରେ ଆସି ପହଞ୍ଚି‌ବେ, ସେଇ ସମୟରେ ଘର ଚାହିଲେ ମଧ୍ୟ ଯେମିତି ଉପଲବ୍ଧ ହେବ, ସେନେଇ ବ୍ୟବସ୍ଥା କରାଯାଉଛି। ‘ଓୟୋ’ ଏବଂ ‘ଟ୍ରିପ୍‌ ଆଡ୍‌ଭାଇଜର୍‌’ ସହିତ ପର୍ଯ୍ୟଟନ ବିଭାଗର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିବା ବେଳେ ଅତିଥିମାନଙ୍କୁ ଯେଭଳି ଉଚିତ୍‌ ସତ୍କାର ମିଳିବ, ସେନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି। ବିଶ୍ବକପ୍‌ ସମୟରେ ଅତିଥି, ଖେଳାଳି ଓ ଅଫିସିଆଲ୍‌ମାନେ ଯେପରି ଓଡ଼ିଶାର ଐତିହ୍ୟ, ପର୍ଯ୍ୟଟନ, ହସ୍ତତନ୍ତ, ହସ୍ତଶିଳ୍ପ, କଳା ବାବଦରେ ଅବଗତ ହୋଇପାରି‌‌ବେ, ସେନେଇ ସ୍ବତନ୍ତ୍ର ବ୍ରୋଚର୍‌ ପ୍ରସ୍ତୁତ ହୋଇଛି। ଏତଦ୍‌ବ୍ୟତୀତ ହକି ବିଶ୍ବକପ୍‌କୁ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ଟି ସ୍ବତନ୍ତ୍ର ସୂଚନା ପୁସ୍ତିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ଗୋଟିଏ ପୁସ୍ତିକାରେ ହକି ସମ୍ବନ୍ଧୀୟ ସମସ୍ତ ସୂଚନା ଥିବା ବେଳେ ଅନ୍ୟଟିରେ ଭୁବନେଶ୍ବର ଏବଂ ନିକଟବର୍ତୀ ଅଞ୍ଚଳରେ ଥିବା ପର୍ଯ୍ୟଟନ ସମ୍ଭାର ବାବଦରେ ସୂଚନା ରହିଛି।

୮ ହୋଟେଲରେ ୧୬ ଦଳ
ଦଳ ହୋଟେଲ
ଭାରତ ଟ୍ରାଇଡେଣ୍ଟ୍‌
ଜର୍ମାନି ଟ୍ରାଇଡେଣ୍ଟ୍‌
ଆର୍ଜେଣ୍ଟିନା ମେ ଫେୟାର କନଭେନସନ୍
ଇଂଲଣ୍ଡ ମେ ଫେୟାର ଲାଗୁନ୍
ଆୟାର୍ଲାଣ୍ଡ ମେ ଫେୟାର ଲାଗୁନ୍
ଦି ନେଦରଲାଣ୍ଡ୍‌ସ ମେ ଫେୟାର ଲାଗୁନ୍
ସ୍ପେନ୍‌ ମେ ଫେୟାର ଲାଗୁନ୍
ଅଷ୍ଟ୍ରେଲିଆ ସ୍ୟାଣ୍ଡି ଟାୱାର୍ସ
ବେଲଜିୟମ ସ୍ୟାଣ୍ଡି ଟାୱାର୍ସ
ଚୀନ୍‌ ସ୍ୟାଣ୍ଡି ଟାୱାର୍ସ
କାନାଡ଼ା ସ୍ବସ୍ତି ଗ୍ରାଣ୍ଡ
ଫ୍ରାନ୍‌ସ ସ୍ବସ୍ତି ପ୍ରିମିୟମ୍
ମାଲେସିଆ ସ୍ବସ୍ତି ପ୍ରମିୟମ୍
ପାକିସ୍ତାନ ସ୍ବସ୍ତି ପ୍ରମିୟମ୍
ନ୍ୟୁଜିଲାଣ୍ଡ ଫର୍ଚୁନ୍ ପାର୍କ
ଦକ୍ଷିଣ ଆଫ୍ରିକା ଏଚ୍‌ଏଚ୍‌ଆଇ
ମ୍ୟାଚ୍ ଅଫିସିଆଲ ଏଚ୍‌ଏଚ୍‌ଆଇ
ଅନ୍ତର୍ଜାତୀୟ ହକି ମହାସଂଘ ଏଚ୍‌ଏଚ୍‌ଆଇ
ହକି ଇଣ୍ଡିଆର କର୍ମକର୍ତା ଏଚ୍‌ଏଚ୍‌ଆଇ

ସମ୍ବନ୍ଧିତ ଖବର