ବିଏମସି ନିର୍ବାଚନ : ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ, ଓହରିଲେ ୫୨ କର୍ପୋରେଟର ପ୍ରାର୍ଥୀ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମସି) ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଆଜି ଶେଷ ଦିନରେ ୫୨ ଜଣ ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏଣୁ ପୂର୍ବରୁ ମୈଦାନରେ ୩୪୧ ପ୍ରାର୍ଥୀ ଥିବାବେଳେ ଏବେ ତାହା ୨୮୯କୁ ହ୍ରାସ ପାଇଛି ।

୫୨ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ପରେ ଆଜି ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା ।  ଫଳରେ ମୋଟ ୨୮୯ଜଣ କର୍ପେରେଟର ପ୍ରାର୍ଥୀ ମଇଦାନରେ ରହିବା ଚୂଡାନ୍ତ ହୋଇଛି । ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀ ଉଭୟ ଦଳୀୟ ଟିକେଟ ଆଶା ରଖି ନାମାଙ୍କନ ଦାଖଲ କରିଥିଲେ । ତେବେ କୌଣସି ଚାପରେ ନୁହଁ ବରଂ ସ୍ବଇଚ୍ଛାରେ ନାମାଙ୍କନ ପ୍ରତ୍ୟାହାର କରିଥିବା ବେଳେ ରାଜନୀତିରେ ସକ୍ରିୟ ରହି ପ୍ରଚାର କାର୍ଯ୍ୟରେ ସାମିଲ ହେବେ ବୋଲି ସେମାନେ ମତ ଦେଇଛନ୍ତି । ଅନ୍ୟ ପଟେ ଉତ୍ତର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି ସବୁବେଳେ ସାଧାରଣ ଜନତା ବିଜୁ ଜନତା ଦଳ ସହିତ ଅଛନ୍ତି, ଏଣୁ କିଛି ଅସୁବିଧା ହେବ ନାହିଁ ।

ଅନ୍ୟପକ୍ଷରେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ମୋଟ ୧୦୨ ଜଣ ମେୟର ବା ପୌରାଧ୍ୟକ୍ଷ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଫଳରେ ଏବେ ୫୬୯ ଜଣ ପ୍ରାର୍ଥୀ ମେୟର ବା ପୌରାଧ୍ୟକ୍ଷ ଦୌଡ଼ରେ ରହିଛନ୍ତି । ସେହିପରି ୫୩୯ ଜଣ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ଓହରି ଯାଇଛନ୍ତି । ଫଳରେ ଏବେ ୫୮୪୨ ଜଣ ପ୍ରାର୍ଥୀ  କର୍ପୋରେଟର ଓ କାଉନସିଲର ଦୌଡ଼ରେ ରହିଛନ୍ତି ।

ସମ୍ବନ୍ଧିତ ଖବର