୨ ମାସ‌ରେ ପୁଲିସ ପକ୍ଷରୁ ୫୨ ମାମଲା: ଥମୁନି ନିଶା କାରବାର, ନିଦରେ ଅବକାରୀ ବିଭାଗ

ଭୁବନେଶ୍ୱର: ପୁଲିସ୍‌ ଡାଳେ ଡାଳେ ଗଲେ, ନିଶା ବେପାରୀ ପତ୍ରେ ପତ୍ରେ ଯାଉଛନ୍ତି। ଗତ ଜୁଲାଇ ମାସରୁ କମିସନରେଟ୍‌ ପୁଲିସ ନିଶା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ପ୍ରତ୍ୟେକ ଦିନ ନିଶା ବେପାରୀ ଗିରଫ ହେଉଛନ୍ତି। ସେମାନଙ୍କ ନିକଟରୁ ପୁଳାପୁଳା ବ୍ରାଉନସୁଗାର ଜବତ ହେଉଛି। ସତେଯେମିତି ରାଜଧାନୀ ଏବେ ନିଶା ବେପାରୀଙ୍କୁ କବଜାରେ। ବଡ଼ କଥା ହେଉଛି, ପୁଲିସ ଛୋଟମୋଟ ବେପାରୀଙ୍କୁ ଗିରଫ କରୁଥିବା ବେଳେ ଏଯାଏଁ ପୁଲିସ କବଜାରେ ବଡ଼ ନିଶା ମାଫିଆ ପଡ଼ିନାହାନ୍ତି। ଯେଉଁ କାରଣରୁ ରାଜଧାନୀରେ ଏଭଳି କାରବାର ବନ୍ଦ କରିବା ଏକ ପ୍ରକାରର ଅସମ୍ଭବ ହୋଇପଡ଼ୁଛି। ଗୋଟିଏ ପଟେ କମିସନରେଟ୍‌ ପୁଲିସ ନିଶା ବେପାରୀଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ବେଳେ ଅବକାରୀ ବିଭାଗ ଓ ନାର୍କୋଟିକ୍ସ ବିଭାଗ ଯେମିତି ନିରବଦ୍ରଷ୍ଟା ସାଜିଛନ୍ତି।

ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଦୁଇମାସ ମଧ୍ୟରେ କମିସନରେଟ୍‌ ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଅଭିଯାନରେ ମୋଟ ୪୬୫ଗ୍ରାମ୍‌ ବ୍ରାଉନସୁଗାର ଓ ୧୦୮.୬୭୧ କେଜି ଗଞ୍ଜେଇ ଜବତ ହୋଇଛି। ୮୧ନିଶା ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ୫୨ ମାମଲା ରୁଜୁ ହୋଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ପ୍ରକ୍ରିୟା ଜାରି ରହିଥିବାରୁ ଏଥର ଗିରଫଦାରୀରେ ସର୍ବକାଳୀନ ରେକର୍ଡ ହେବ ବୋଲି କୁହାଯାଉଛି। ତେବେ ଏହାର ପ୍ରଭାବ ଭୁବନେଶ୍ବରରେ ଘଟୁଥିବା ଅପରାଧ ଉପରେ ପଡ଼ିଛି। କାରଣ ରାଜଧାନୀରେ ଘଟୁଥିବା ପେଟି ଅପରାଧ ତଥା ଚେନ୍‌ ଲୁଟ୍‌, ଭ୍ୟାନିଟି ଲୁଟ, ମୋବାଇଲ ଫୋନ ଛିନତାଇ ଭଳି ଅପରାଧରେ ସଂପୃକ୍ତ ଥିବା ଅପରାଧୀମାନେ ନିଶା ସେବନ ପାଇଁ ଏଭଳି ଅପରାଧ ଘଟାଉଛନ୍ତି। ଏଭଳି ଗିରଫଦାରୀ ଫଳରେ ଏବେ ଏଭଳି ପେଟି ଅପରାଧ କିଛି ମାତ୍ରରେ କମିଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। କମିସନରେଟ ପୁଲିସ ରାଜଧାନୀରୁ ନିଶା ବେପାରୀଙ୍କୁ ହଟାଇବା ପାଇଁ ଯୋଜନା କରିଛି। ତଡ଼ିପାର କରିବା ପାଇଁ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ନୋଟିସ୍‌ ହୋଇଥିବା ବେଳେ କମିସନରଙ୍କ କୋର୍ଟରେ ଆସନ୍ତା ୨୨ତାରିଖରେ ଶୁଣାଣି ରହିଛି। ସରକାରୀ ଜମି ଜବରଦଖଲ କରି ଘର କରିଥିବା ୭ଜଣ ନିଶା ବେପାରୀଙ୍କ ଘର ଭଙ୍ଗା ଯାଇଛି। ଗୋଟିଏ ପଟେ ସରକାରୀ ଜମିରୁ ଉଚ୍ଛେଦ ଓ ଅନ୍ୟପଟେ ତଡ଼ିପାର ବ୍ୟବସ୍ଥା ନିଶା ବେପାରୀଙ୍କ ନିଦ ହଜାଇଛି।

କାହିଁକି ବଢ଼ୁଛି ବେପାର
ରାଜଧାନୀରେ ୪ରୁ ୫ ଜଣ ଅଛନ୍ତି ଯାହାଙ୍କୁ ଅବକାରୀ ବିଭାଗ ଓ କମିସନରେଟ୍‌ ପୁଲିସ ୧୦ରୁ ୧୨ ଥର ଗିରଫ କରିସାରିଛି। ‌ଏମାନେ ଫେରିବା ପରେ ପୁଣି ପୂର୍ବବତ୍‌ ବେପାରରେ ମାତି ଯାଇଛନ୍ତି। ଏହି ଅଭ୍ୟାସଗତ ନିଶା ବେପାରୀଙ୍କ ମଧ୍ୟରୁ ଏକ ଦମ୍ପତ୍ତିଙ୍କ କହିବା ଅନୁଯାୟୀ ଥରେ ଏହି ବେପାରରେ ପଶିଲେ ଆଉ ବାହାରି ହୁଏ ନାହିଁ। ବେପାରରେ କ୍ଷତି ନାହିଁ। କେବଳ କିଛି ମୋଟା ଅଙ୍କର ଅର୍ଥ ଅଗ୍ରୀମ ଲଗାଇବାକୁ ହୁଏ। ବେପାର ପରେ ଖର୍ଚ୍ଚର ଦୁଇଗୁଣରୁ ଅଧିକ ମିଳିଥାଏ। ମଶାଧୂପ ଗୁଣ୍ଡ ମିଶାଇ ଲାଭ ପରିମାଣ ବେଶୀ କରାଯିବା ସମ୍ଭାବନା ମଧ୍ୟ ରହିଥାଏ। ଦଫା କୋହଳ ପାଇଁ ନିର୍ଦ୍ଦିଷ୍ଟ ପରିମାଣରୁ କମ୍‌ ପରିମାଣର ନିଶାଦ୍ରବ୍ୟ ପାଖରେ ରଖିବାକୁ ହୁଏ। ଜବତ ହେଉଥିବା ବ୍ରାଉନସୁଗାରର ପରୀକ୍ଷା ରିପୋର୍ଟରେ କାରବାର କରି ସହଜରେ ଦଣ୍ଡରୁ ମୁକ୍ତି ମିଳିଯାଏ। ବଡ଼ କଥା ହେଉଛି ଏହି ନିଶାର ଏବେ ଚାହିଦା ରହିଛି। ଚାହିଦା ରହିଛି ଅର୍ଥ କାରବାରକୁ କେହି ଅଟକାଇବା ଅସମ୍ଭବ ମଧ୍ୟ।

ଚଢ଼ଉ ପରେ ଦର ୫ ଗୁଣ
ଦୁଇମାସରେ ପୁଲିସ ଉଲ୍ଲେଖନୀୟ ସଫଳତା ପାଇଥିଲେ ମଧ୍ୟ ବେପାର କମି ନାହିଁ। ବରଂ ଏହି ଚଢ଼ଉ ଆଳରେ ବ୍ରାଉନସୁଗାର ଦର ୫ ଗୁଣ ବଢ଼ିଯାଇଛି। ଜଣେ ନିଶାଖୋରଙ୍କ କହିବା ମୁତାବକ, ଯେଉଁ ପୁଡ଼ିଆର ମୂଲ୍ୟ ୨ଶହ ଟଙ୍କା ଥିଲା ତାହା ଏବେ ୧ହଜାର ଟଙ୍କା ହୋଇଥିବା ବେଳେ ୪ଶହ ଟଙ୍କା ପୁଡ଼ିଆର ଦର ୧୨୦୦ ଟଙ୍କା ହୋଇଛି। କେବଳ ଚିହ୍ନାମୁହଁ ଦେଖି ବେପାର ହେଉଛି।

ସମ୍ବନ୍ଧିତ ଖବର