ସାଧାରଣ ଲୋକଙ୍କ ନାମରେ କମ୍ପାନି ଖୋଲି ୫୨ କୋଟି ଆଇଟିସି ଠକେଇ, ୨ ଗିରଫ

ଭୁବନେଶ୍ୱର: ସାଧାରଣ ଲୋକଙ୍କ ନାମରେ ଖୋଲିଥିଲା ଏକାଧିକ କମ୍ପାନି। କମ୍ପାନିରୁ କମ୍ପାନିକୁ ବିକ୍ରି ହେଉଥିଲା ମାଲ୍‌। ନିରୀହ ଲୋକଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କାର କାରବାର ହେଉଥିଲା। ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ଆକାରରେ ଠକି ନେଉଥିଲେ ଟଙ୍କା। କାଗଜପତ୍ରରେ କମ୍ପାନି ଖୋଲୁଥିଲା। କାରବାର ମଧ୍ୟ ହେଉଥିଲା କେବଳ କାଗଜପତ୍ରରେ। ହେଲେ ଆଇଟିସି ଆସୁଥିଲା ଅସଲି। ଏଭଳି ୫୨କୋଟି ୭୭ଲକ୍ଷ ଟଙ୍କା ଠକି ନେଇଥିବା ଦୁଇଜଣ ଠକକୁ ଧରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ସେମାନେ ହେଲେ, ଶୈଳଶ୍ରୀବିହାର ସାହୁ ଟ୍ରେଡର୍ସ ମାଲିକ ପ୍ରମୋଦ କୁମାର ସାହୁ ଓ ପଟିଆର ବିକାଶ ସରୋଗୀ। ଏମାନେ କାଗଜପତ୍ରରେ ୨୯୪ କୋଟି ଟଙ୍କାର କାରବାର କରି ଏହି ମୋଟା ଅଙ୍କର ଟଙ୍କା ନେଇ ଯାଇଥିଲେ। କଳାହାଣ୍ଡିର ୧୧ଜଣ ଓ କନ୍ଧମାଳର କିଛି ନିରୀହ ଲୋକଙ୍କ ନାମରେ ସେମାନେ ସରକାରୀ ଯୋଜନାର ଲୋଭ ଦେଖାଇ କମ୍ପାନି ଖୋଲିଥିଲେ। ଭଡ଼ାରେ ଘର ନିଆଯାଇ କମ୍ପାନି ଖୋଲିଥିବା କାଗଜରେ ଦର୍ଶାଯାଇଥିଲା। ଖୋଳତାଡ଼ ବେଳେ ଜଣାପଡ଼ିଥିଲା ଯେ ଭଡ଼ା ସମ୍ପର୍କିତ ଚୁକ୍ତି ନକଲି ଥିଲା। ୨୦୧୮ ମସିହାରେ କରାଯାଇଥିବା ଏକ ଚୁକ୍ତିରେ ଘର ମାଲିକଙ୍କ ଦସ୍ତଖତ ନକଲି ଥିଲା। ୨୦୦୬ ଓ ୨୦୧୨ ମସିହାରେ ଦୁଇଜଣ ଘର ମାଲିକଙ୍କ ମୃତ୍ୟୁ ହୋଇସାରିଥିଲା। ଅନେକ ଘରମାଲିକଙ୍କ ଦସ୍ତଖତ ନକଲ କରି ବ୍ୟାଙ୍କ୍‌ରେ କରେଣ୍ଟ ଆକାଉଣ୍ଟ ଖୋଲା ଯାଇଥିଲା। ଏହି ସବୁ ଆକାଉଣ୍ଟରେ କୋଟି କୋଟି ଟଙ୍କାର କାରବାର କରାଯାଉଥିଲା।

ଅଭିଯୁକ୍ତମାନେ କୌଣସି ଟ୍ୟାକ୍ସ ନ ଦେଇ ଲୁହା ଇନଗଟ, ଲୁହା ରଡ, ସ୍କ୍ରାପ ଆଦି ସାମଗ୍ରୀ କିଣାବିକା କରିଥିଲେ। ପ୍ରକୃତ ଯୋଗାଣକାରୀଙ୍କଠାରୁ କୌଣସି ବିଲ୍‌ ହାସଲ ନ କରି ଭୁତ ଫାର୍ମ ନାମରେ ବିକ୍ରିକୁ ନିୟମିତ କରିବା ପାଇଁ ଜାଲ ବିଲ୍‌ ତିଆରି କରିଥିଲେ। ଏଭଳି ନକଲି ବିଲ୍‌ ବଳରେ ଆଇଟିସି ଠକେଇ ହୋଇଥିବା ଜିଏସ୍‌ଟି କମିସନର ସୁଶୀଲ କୁମାର ଲୋହାନୀ ସୂଚନା ଦେଇଥିଲେ। ୱେ ବିଲରେ ସନ୍ଦେହ କରିବା ପରେ ଜିଏସ୍‌ଟି ବିଭାଗ ଏହା ଉପରେ ନଜର ରଖିଥିଲା। ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ ୧୧ ଗୋଟି ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ଉ କରାଯାଇଥିଲା। ଚଢ଼ଉ ପରେ ସମସ୍ତ ପ୍ରତିଷ୍ଠାନ କେବଳ କାଗଜପତ୍ରରେ ଚାଲିଥିବା ଜଣାପଡ଼ିଥିଲା। ଏଗୁଡ଼ିକର ଅପବ୍ୟବହାର ବଳରେ ଜିଏସ୍‌ଟି ପଞ୍ଜୀକରଣ ମଧ୍ୟ ହୋଇଥିଲା। ଅଭିଯୁକ୍ତମାନେ ୪୮.୫୮କୋଟି ଟଙ୍କାର ଜାଲ୍‌ ଆଇଟିସି ବ୍ୟବହାର କରି ଏହି ସଂସ୍ଥାଗୁଡ଼ିକ ନାମରେ ଜାଲ ବିଲ୍‌ ବଳରେ ଅନ୍ୟ ବ୍ୟବସାୟୀମାନଙ୍କୁ ୫୨ କୋଟି ୭୭ ଲକ୍ଷ ଟଙ୍କାର ଜାଲ୍‌ ଆଇଟିସି ହସ୍ତାନ୍ତର କରିଥିଲେ। ଏଭଳି କାରବାର ଉପରେ ନଜର ରଖାଯାଇଛି। ଠକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଜାଲ ଆଇଟିସି ବ୍ୟବହାର କରି ଯେଉଁମାନେ ଟିକସ ଫାଙ୍କିଛନ୍ତି ସେମାନଙ୍କଠାରୁ ଟିକସ ପରିମାଣ ଓ ସୁଧ ସହ ଜରିମାନା ଆଦାୟ କରାଯିବ ବୋଲି ଜିଏସ୍‌ଟି କମିସନର ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର