ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାକାମ ଆଉ ପାଦେ ଆଗେଇଛି। ଏହି ୨୦୦ ଫୁଟିଆ ରାସ୍ତା ନକ୍ସାରେ କୌଣସି ପରିବର୍ତ୍ତନ ହେବନାହିଁ। ସାଲିଆସାହି ଭିତରେ ହିଁ ଯିବ। ପ୍ରଭାବିତ ହେବାକୁ ଥିବା ୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ ବାବଦରେ ଶହେ କୋଟିରୁ ଅଧିକ ଟଙ୍କା ଦିଆସରିଛି। ସେମାନେ ପୂର୍ତ୍ତ ବିଭାଗକୁ ଜମି ହସ୍ତାନ୍ତର କରିଥିବାରୁ ଆଉ ୧୦ରୁ ୧୫ ଦିନ ମଧ୍ୟରେ ୨୭ଟି ଯାକ ଘର ଭାଙ୍ଗିବାକୁ ରୂପରେଖ ପ୍ରସ୍ତୁତ ହୋଇଛି।
ଅନ୍ୟପଟେ ସାଲିଆସାହିରେ ପ୍ରଭାବିତ ହେବାକୁ ଥିବା ବସ୍ତିବାସିନ୍ଦାଙ୍କୁ କ୍ଷତିପୂରଣ ସହ ଥଇଥାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି। ବିଡିଏ, ବିଏମ୍ସି ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଆଜି ବସ୍ତିବାସିନ୍ଦାଙ୍କ ସର୍ଭେ କରିଛନ୍ତି। ଏକାଧିକ ଟିମ୍ ଘରକୁ ଘର ବୁଲି ଲୋକଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ପୂର୍ବରୁ ହୋଇଥିବା ସର୍ଭେ ଆଧାରରେ ଆଜି ଯାଞ୍ଚ ହୋଇଥିଲା। ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମ୍ସିର ୨୦ରୁ ଅଧିକ ଟିମ୍ ଘରକୁ ଘର ବୁଲି ସର୍ଭେ କରିଥିଲେ। ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ଦିନରେ ସମସ୍ତ ଘର ସର୍ଭେ ଶେଷ ହୋଇଛି। ଏହି ୨୦୦ ଫୁଟିଆ ରାସ୍ତା ଦ୍ବାରା ୫୨୧ ପରିବାର ପ୍ରଭାବିତ ହେବେ। ତେଣୁ ସେମାନଙ୍କୁ କିଭଳି ଥଇଥାନ କରାଯିବ ସେନେଇ ବ୍ୟବସ୍ଥା ହୋଇଛି। ସାଲିଆସାହି ଜମି ହାତେଇବା ପୂର୍ବରୁ ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ରାସ୍ତା ଯିବାକୁ ଥିବା ଅଞ୍ଚଳରେ ପ୍ରଭାବିତ ହେବାକୁ ଥିବା ପରିବାରଙ୍କୁ ଆବାସ ଗୃହରେ ଥଇଥାନ କରାଯିବ। ପର୍ଯ୍ୟାୟକ୍ରମେ ସେମାନଙ୍କୁ ବୁଦ୍ଧବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ। ହାତିଆଶୁଣୀ ପଡ଼ିଆ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ବୁଦ୍ଧବିହାରକୁ ଯିବେ। ରାସ୍ତା କାମ ଯେତେ ଆଗେଇବ ସେହି ଅନୁଯାୟୀ ଅନ୍ୟ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ। ଏବେ ବୁଦ୍ଧବିହାରରେ ପ୍ରାୟ ୮୦୦ ପରିବାର ରହିବାକୁ ଘରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି। ବିଭିନ୍ନ ବ୍ଲକକୁ ରାସ୍ତା ନିର୍ମାଣ ସହ ଆପାର୍ଟମେଣ୍ଟକୁ ପାନୀୟ ଜଳ ଓ ବିଜୁଳି ସଂଯୋଗ ହୋଇଛି। ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଆସନ୍ତା ମାସକ ମଧ୍ୟରେ ଶେଷ କରି ରାସ୍ତା କାମ ଆଗେଇ ନେବାକୁ ଲକ୍ଷ୍ୟ ରଖାଯାଇଛି।
ବୁଦ୍ଧବିହାରରେ ଥଇଥାନ ହେବେ
୨୭ ଘରୋଇ ଜମି ମାଲିକଙ୍କୁ କ୍ଷତିପୂରଣ
ରଜ ଭିତରେ ପୁଣିଥରେ କାମ ଆରମ୍ଭ
ଏକାମ୍ରକାନନ ଛକରୁ ହତିଆସୁଣୀ ପଡ଼ିଆ ମଧ୍ୟରେ ସାଲିଆସାହି ଭିତରେ ୮୭୭ ମିଟର କାମ ବାକି ରହିଛି। ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ତିନି ବର୍ଷ ହେଲା ଏହି କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ରାସ୍ତାରେ ଥିବା ୨୭ଟି ଘରୋଇ ଜମି ମାଲିକ ପଞ୍ଜୀକରଣ କରି ସାରିଛନ୍ତି। ନିୟମ ଅନୁଯାୟୀ କେତେକ ଜମି ମାଲିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଉ କିଛିଜଣଙ୍କୁ ଜମି ଯୋଗାଇ ଦିଆଯାଇଛି। ତେଣୁ ଏବେ ସେଠାରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ ନାହିଁ। ଏକାମ୍ରକାନନ ପାର୍ଶ୍ବରୁ ୨୫୦ ମିଟର ରାସ୍ତା କାମ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ପୁଲିସ ଉପସ୍ଥିତିରେ ପୂର୍ତ୍ତ ବିଭାଗ, ବିଡିଏ ଓ ବିଏମ୍ସି ସର୍ଭେ କରିଥିଲେ ମଧ୍ୟ ସାଲିଆସାହିରେ କୌଣସି ପ୍ରକାର ପ୍ରତିବାଦର ସ୍ବର ଉଠି ନାହିଁ। ବରଂ ୫ ବର୍ଷ ହେଲା ଏହି ରାସ୍ତାକୁ ବିରୋଧ କରି ଆସୁଥିବା ବସ୍ତିବାସିନ୍ଦା ପ୍ରଶାସନକୁ ସହଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ଦୀର୍ଘବର୍ଷ ହେଲା ଏହି ରାସ୍ତା ନିର୍ମାଣକୁ ବିରୋଧ ହେଉଥିଲା। ସାଲିଆସାହିରେ ପ୍ରବେଶ କରିବାକୁ ପ୍ରଶାସନ ବାରମ୍ବାର କଳବଳ କୌଶଳ ପ୍ରୟୋଗ କରୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ। ଏକାଧିକ ଥର ପୁଲିସ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଥିଲେ। ଯେଉଁଥିପାଇଁ ଦୁଇ ବର୍ଷ ହେଲା ହାତିଆଶୁଣୀ ପଡ଼ିଆଠାରୁ ଗୋଟିଏ ମିଟର ବି ରାସ୍ତା ନିର୍ମାଣ ହୋଇପାରି ନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ବସ୍ତିବାସିନ୍ଦାଙ୍କ ସୁରକ୍ଷା, ଜମି ପଟ୍ଟା ପ୍ରଦାନ ପରି ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୮ ମାସ ବିତିଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ ବସ୍ତିବାସିନ୍ଦାଙ୍କୁ କୌଣସି ପଟ୍ଟା ମିଳି ନାହିଁ। ଏବେ ବସ୍ତିବାସିନ୍ଦାଙ୍କୁ ଉଠାଇବାକୁ ପ୍ରଶାସନ ଯେଉଁ ଯୋଜନା କରିଛି ତାହା କେତେଦୂର ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।