ଚୂଡ଼ଙ୍ଗଗଡ଼ ଉଜାଡ଼ିଦେଲେ: ୫୩ ଲକ୍ଷ ମଞ୍ଜୁର ହୋଇଥିଲା, ରକ୍ଷଣାବେକ୍ଷଣ ହୋଇପାରିଲାନି

ଭୁବନେଶ୍ବର: ଜନବସତିର ଆଢ଼ୁଆଳରେ ଲିଭି ଯାଉଛି ଚୂଡ଼ଙ୍ଗଗଡ଼ର ପଦଚିହ୍ନ। ମାଟିରେ ଲୋଟି ଗଲାଣି ଷୋଳପୁର ଉଆସ। ହଜିଗଲାଣି ମଧ୍ୟଯୁଗୀୟ ଓଡ଼ିଶାର ସାମରିକ ପ୍ରାଣକେନ୍ଦ୍ର। ନା ସେ ଜଙ୍ଗଲ, ପାହାଡ଼ଘେରା ପରିବେଶ ଅଛି ନା ବିସ୍ତୃତ ଜଳରାଶି ଓ ସୁଉଚ୍ଚ ପ୍ରାଚୀର ଶୋଭା ପାଉଛି। ବରଂ ସରକାରୀ ଉଦାସୀନତା ଯୋଗୁଁ ନିଶ୍ଚିହ୍ନ ହେବାକୁ ବସିଲାଣି ଏହି ବୃହତ୍‌ ପ୍ରାଚୀନ ଦୁର୍ଗ। ସରକାର ଐତିହ୍ୟ କ୍ୟାବିନେଟ୍‌ ଗଠନ କରିଛନ୍ତି। ଐତିହ୍ୟ ପାଇଁ ନୂଆ ‌ନୂଆ ଯୋଜନା ଆଣୁଛନ୍ତି। ହେ‌ଲେ ଚୂଡ଼ଙ୍ଗଗଡ଼ ଭଳି ପ୍ରାଚୀନ କୀର୍ତିରାଜି ଯେମିତି ସାବତ ପୁଅ। ସଂସ୍କୃତି ଓ ଐତିହ୍ୟକୁ ନେଇ ଡିଣ୍ଡିମ ପିଟୁଥିବା ସରକାର ଚୂଡ଼ଙ୍ଗଗଡ଼ ପାଇଁ ଯେମିତି ନିରବଦ୍ରଷ୍ଟା ସାଜିଛନ୍ତି।

ତେଲେଙ୍ଗାନା ରାଜ୍ୟର ଗୋଲକୁଣ୍ଡା ପ୍ରାଚୀନ ଦୁର୍ଗ ପରେ ଚୂଡ଼ଙ୍ଗଗଡ଼ ଥିଲା ଦେଶର ଦ୍ବିତୀୟ ବୃହତ୍‌ ଦୁର୍ଗ। ୧୧୩୩ ଏକର ମାଟି ଉପରେ ଛିଡ଼ା ହୋଇଥିଲା ଏହି ବିଶାଳ ଦୁର୍ଗ। ୧୯୫୧ ମସିହାରେ ପ୍ରାଚୀନ କୀର୍ତିରାଜି ସଂରକ୍ଷଣ ଆଇନର ଧାରା-୪ ଅନୁସାରେ ଭାରତ ସରକାର ଏହାକୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କଲେ। କାଳକ୍ରମେ ଏହା ୪୮୦ ଏକରକୁ ଖସି ଆସିଥିଲା। ତେବେ ୧୯୪୬ ମସିହାରେ ତତ୍କାଳୀନ କଟକ ଜିଲ୍ଲାପାଳ ଏହି ଭୂସମ୍ପତ୍ତିରୁ ୬୩ଏକର ଜମିକୁ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଲିଜ୍‌ ଦେଇଦେଲେ। ୧୯୬୦ରେ ବନ୍ଦୋବସ୍ତ ବେଳେ ସେ ଜମିକୁ ସମ୍ପୃକ୍ତ ବ୍ୟକ୍ତି ନିଜ ପରିବାର ନାମରେ କରାଇ‌ନେଲେ। ଏହା ପରିସରରେ ଥିବା ଚୂଡ଼ଙ୍ଗଦହ ଜଳାଶୟ କାରୁକାର୍ଯ୍ୟମଣ୍ଡିତ ହୋଇଥିଲେ ହେଁ ତାହା ମଧ୍ୟ ଆଉ ନାହିଁ। ସେଠାରେ ଥିବା ଦୀପଦଣ୍ଡି ଭାଙ୍ଗି ଗଲାଣି।

ଦୁର୍ଗର କାନ୍ଥ ଭାଙ୍ଗି ପଥର ନେଇ ଯାଉଛନ୍ତି
ସରକାରୀ କଳର ଉଦାସୀନତା ଯୋଗୁଁ ଦୁର୍ଗଟି ତାର ଅସ୍ତିତ୍ବ ହରାଇ ବସିଛି। ଗଡ଼ ଭିତରେ ବ୍ୟକ୍ତିଗତ ମାଲିକାନା ସ୍ବତ୍ବ, ରାସ୍ତାଘାଟ, କଳକାରଖାନା, କୋଠାବାଡ଼ି ଓ ରେଳ ଲାଇନ୍‌ କିପରି ସମ୍ଭବ ହେଲା ବୋଲି ଐତିହାସିକ ଶ୍ରୀ ତ୍ରିପାଠୀ ପ୍ରଶ୍ନ ଉଠାଇଛନ୍ତି। ୨୦୧୧ ମସିହାର ପରିସଂଖ୍ୟାନ ମୁତାବକ ଏହି ଗଡ଼ ଅଞ୍ଚଳରେ ଏବେ ଶତାଧିକ ପରିବାର ରହୁଛନ୍ତି। ଦାଢ଼ାପାଟଣା ରାଜସ୍ବ ଗ୍ରାମ ଅନ୍ତର୍ଗତ ଗଡ଼ ଅଞ୍ଚଳ ଏବେ ଏକ ଶିଳ୍ପାଞ୍ଚଳରେ ପରିଣତ ହେଲାଣି। ଦୁର୍ଗର ପଥର କାନ୍ଥକୁ କିଛି ଲୋକେ ଭାଙ୍ଗି ନେଉଥିବା ଦେଖାଯାଇଛି। କେବଳ ସେତିକି ନୁହେଁ, କିଛି ବର୍ଷ ତଳେ ଏଠାରୁ ମାଟି ତଳୁ ଏକ ପିତ୍ତଳ ହଣ୍ଡା ବାହାରିଥିଲା। ହଣ୍ଡାର ଦୁଇଟି ୫ କେଜି ଓଜନର କଡ଼ା ଏଯାବତ ଚନ୍ଦକା ଥାନାରେ ପଡ଼ି ରହିଛି।

ଇଂରେଜମାନେ ଭାଙ୍ଗି ଦେଇଛନ୍ତି ଷୋଳପୁର ଉଆସ
ଚୂଡ଼ଙ୍ଗଗଡ଼ ମଧ୍ୟରେ ୧୫ ଏକର ପ୍ରାଚୀର ଘେରା ଜମିରେ ଷୋଳପୁର ଉଆସ ରହିଥିଲା। ଏଠାରେ ଷୋଳଟି ବର୍ଗାକୃତି କୋଠରି ସଦୃଶ ଭିତ୍ତିଭୂମି ରହିଥିବାର ଦେଖାଯାଏ। ଏଠାରୁ ମିଳିଥିବା ମୃଣ୍ମୟ ମୂର୍ତି, ଖପରା, ଇଟା ଓ ପ୍ରସ୍ତର ଗାତ୍ରରେ ଖୋଦିତ ମୂର୍ତିରୁ ଆଭାସ ମିଳୁଥିଲା ଯେ ଚୋଡ଼ଗଙ୍ଗ ଦେବଙ୍କ ନାମରେ ନାମିତ ହେବା ପୂର୍ବରୁ ବି ଏହାର ଅସ୍ତିତ୍ବ ଥିଲା। ସମ୍ରାଟ ଚୋଡ଼ଗଙ୍ଗଙ୍କ କନ୍ୟା କଳିଙ୍ଗ ରାଜକୁମାରୀ ତ୍ରୈଲୋକ୍ୟ ସୁନ୍ଦରୀଙ୍କ ସହିତ ସିଂହଳ ରାଜକୁମାର ବଜ୍ରବାହୁଙ୍କର ବିବାହ ଏହି ଗଡ଼ରେ ହୋଇଥିବାର କିଂବଦନ୍ତି ପ୍ରଚଳିତ ଅଛି। ଭୌଗୋଳିକ ଦୃଷ୍ଟିରୁ ବିଶାଳ ପରିସୀମାର ପ୍ରାଚୀନ ଦୁର୍ଗ ଦେଶରେ ଅନ୍ୟତ୍ର ବିରଳ ମଧ୍ୟ। ତୋଷାଳି, କଳିଙ୍ଗ ଓ ଉତ୍କଳ ଶାସନଠୁ ନେଇ ଇଂରେଜମାନଙ୍କ ଓଡ଼ିଶା ଅଧିକାର ପର୍ଯ୍ୟନ୍ତ ଏହାର ଗୁରୁତ୍ବ ଥିଲା। ତେବେ ଖୋର୍ଧା ପାଇକ ବିଦ୍ରୋର ପ୍ରତିରୋଧ ପାଇଁ ୧୮୧୯ ମସିହାରେ ଇଂଜେମାନେ ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ ବୋଲି ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି।

୩ଥର ବୈଠକ ବସି ଫେଲ୍‌
ଗଡ଼ର ରକ୍ଷଣାବେକ୍ଷଣ ନିମନ୍ତେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ବାରମ୍ବାର ଦାବି ହେବାରୁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ପ୍ରଥମ ଦଫାରେ ୫୩ ଲକ୍ଷ ଟଙ୍କା ମଞ୍ଜୁର କଲେ। ମରାମତି କାମ ଆରମ୍ଭ ପୂର୍ବରୁ ରାଜସ୍ବ ଓ ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଲା। କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପୂର୍ବକ ରାଜସ୍ବ ବିଭାଗ, ରାଜ୍ୟ ଜଙ୍ଗଲ ବିଭାଗ ଏବଂ କେନ୍ଦ୍ର ଓ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧୀକ୍ଷକମାନେ ସଭ୍ୟ ରହିଲେ। ୨୦୦୩ ସେପ୍ଟେମ୍ବର ୨୪, ୨୦୦୪ ଜାନୁଆରି ୧୬ ଓ ସେପ୍ଟେମ୍ବର ୨୦ ତାରିଖରେ କମିଟିର ବୈଠକ ବସିଛି। ଭାଙ୍ଗି ଯାଇଥିବା ଷୋଳପୁର ଉଆସର ପ୍ରାଚୀର ମରାମତି କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ଅନୁମତି ଦେଇଥିଲେ। ହେଲେ କାମ ଆରମ୍ଭ ମାତ୍ରେ ଚନ୍ଦକା ବନ ବିଭାଗର ତତ୍କାଳୀନ ଜଙ୍ଗଲ ଅଧିକାରୀ କହିଲେ ସଂରକ୍ଷିତ ଜଙ୍ଗଲ ଭାବେ ଏହା ଥିବାରୁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ତେଣୁ ସଂରକ୍ଷଣ ପାଇଁ ଯେଉଁ ପ୍ରାଥମିକ ପଦକ୍ଷେପ ନିଆଗଲା, ତାହା ବି ଆରମ୍ଭ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର

Comments are closed.