କଷ୍ଟମର୍‌ କେୟାର୍‌ ପ୍ରତିନିଧି ପରିଚୟ ଦେଇ ୫୩ ହଜାର ଲୁଟିନେଲେ

କଟକ: ସିଟି କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରଙ୍କ ନିକଟରୁ ସାଇବର୍ ଅପରାଧୀ ୧୭ ହଜାର ୨୮୫ ଟଙ୍କା ଠକି ନେଇଛନ୍ତି। ଗୁଗୁଲ ପେ’ କଷ୍ଟମର କେୟାର କର୍ମଚାରୀ ପରିଚୟରେ ଏଭଳି ଠକାମି କରିଛନ୍ତି। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଏତଲା ହୋଇଛି। ସେହିପରି ଆଉ ଏକ ଅଭିଯୋଗ ଦରଘାବଜାର ଥାନାରେ ହୋଇଛି। ଅନୁରୂପ ଢଙ୍ଗରେ ଗୁଗୁଲ ପେ’ କଷ୍ଟମର କେୟାର ପରିଚୟ ଦେଇ କେହି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କଠାରୁ ୩୫ହଜାର ଟଙ୍କା ଲୁଟି ନେଇଛି। ଦରଘାବଜାର ଥାନା ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମଧୁପାଟଣା ନେତାଜୀନଗର ଅଞ୍ଚଳର ସୁଭାଶିଷ ମହାନ୍ତି ସିଟି କଲେଜରେ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ର। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଖାନନଗର ପେଟ୍ରୋଲ ପମ୍ପ‌ରେ ୪୪୦ ଟଙ୍କାର ତେଲ ପକାଇଥିଲେ। ସେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ ଆପ୍‌ ଗୁଗୁଲ ପେ’ରେ ଟଙ୍କା ଦେଇଥିଲେ। କିନ୍ତୁ କାରବାର ହୋଇ ନଥିବା ଦେଖାଇବାରୁ ସୁଭାଶିଷ ନଗଦ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଡେବିଟ୍‌ ହୋଇଥିବାରୁ ପରେ ସେ ଗୁଗୁଲ ପେ’ କଷ୍ଟମର କେୟାରକୁ ଯୋଗାଯୋଗ କରିଥିଲେ। କଷ୍ଟମର୍‌ କେୟାର ଦୁଇଟି ପର୍ଯ୍ୟାୟରେ ୧୭ ହଜାର ୨୮୫ଟଙ୍କା ତାଙ୍କଠାରୁ ନେଇଥିଲେ। ଏହି ଟଙ୍କା ଜମା କଲେ ୪୪୦ ଟଙ୍କା ସହିତ ପୂରା ଟଙ୍କା ତାଙ୍କ ନିକଟକୁ ଫେରସ୍ତ ଆସିବା ନେଇ ପରାମର୍ଶ ଦେଇଥିଲେ। ସୁଭାଶିଷ ଆଗପଛ ବିଚାର ନ କରି ସେମାନଙ୍କ କଥାରେ ରାଜି ହୋଇ ଟଙ୍କା ପଠାଇଥିଲେ। କିନ୍ତୁ ଆଉ ଟଙ୍କା ଫେରସ୍ତ ହୋଇନଥିଲା। ମୂଳ ୪୪୦ ଟଙ୍କା ସହ ୧୭ହଜାର ୨୮୫ ଟଙ୍କା ଲୁଟି ନେଇଥିଲେ ସାଇବର୍ ଅପରାଧୀ। ଏ ସଂକ୍ରାନ୍ତରେ ସେ କ୍ରାଇମବ୍ରାଞ୍ଚ‌‌‌‌ରେ ଏତଲା ଦେଇଛନ୍ତି।

ସେହିପରି ଗଲା ୧୩ ତାରିଖରେ ଦରଘାବଜାର ଥାନା ମକରାବାଗ ସାହି ଅଞ୍ଚଳର ବ୍ୟବସାୟୀ ପ୍ରଦୀପ ପ୍ରଧାନ ତାଙ୍କର ଜଣେ ବନ୍ଧୁଙ୍କୁ ୧୩ଶହ ଟଙ୍କା ଗୁଗୁଲ୍‌ ପେ’ରେ ପଠାଇଥିଲେ। କିନ୍ତୁ ଟ୍ରାଞ୍ଜାକ୍ସନ୍‌ ହୋଇ ନଥିବା ମେସେଜ୍ ଆସିଥିଲା। ସେ ଗୁଗୁଲ ପେ’ କଷ୍ଟମର୍‌ କେୟାରଙ୍କୁ ଫୋନ୍ କରିଥିଲେ। ଟଙ୍କା ଫେରସ୍ତ ହେବ ବୋଲି ପ୍ରତିଶ୍ରୁତି ମିଳିଲା। କିନ୍ତୁ କଷ୍ଟମର କେୟାର ପରିଚୟ ଦେଉଥିବା ସାଇବର୍ ଅପରାଧୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୫ହଜାର ଟଙ୍କା ଲୁଟି ନେଇଥିବା ଦରଘାବଜାର ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର