ଖଣ୍ଡଗିରି: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଅବହେଳିତ ହୋଇ ପଡ଼ିରହିଛି ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି-ଉଦୟଗିରି। ଐତିହ୍ୟ ସ୍ଥଳର ମାନ୍ୟତା ପାଇଥିବା ଏହି ଯମଜ ପାହାଡ଼ର ବିକାଶ ହୋଇପାରୁ ନାହିଁ। ଗୁମ୍ଫାଗୁଡ଼ିକର ସୁରକ୍ଷା ପାଇଁ ଏଯାବତ୍ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ପର୍ଯ୍ୟଟକଙ୍କୁ ନେଇ ମଧ୍ୟ କର୍ତ୍ତୃପକ୍ଷ ‌ବେପରୁଆ। ବସ୍ ରହଣି ସ୍ଥାନଠାରୁ ପାହାଡ଼ ପର୍ଯ୍ୟନ୍ତ ଯିବା ଲାଗି କୌଣସି ଗାଡ଼ିର ବ୍ୟବସ୍ଥା ନାହିଁ। ବୟସ୍କ ପର୍ଯ୍ୟଟକମାନେ ଚାଲିଚାଲି ଯାଉଛନ୍ତି। କମ୍ ବୟସ ପିଲାଙ୍କ ସୁରକ୍ଷା ପାଇଁ ପାହାଡରେ କେଉଁଠି ସ୍ଥାୟୀ ଲୁହା ବାଡ଼ ନାହିଁ। 

Advertisment

ଟିକେଟ୍‌ରୁ ଆୟ ବଢ଼ୁଛି
ପର୍ଯ୍ୟଟକଙ୍କ ଆଗମନ ବଢ଼ୁଥିବାରୁ ଆୟ ମଧ୍ୟ ଭଲ ହେଉଛି। କୋଭିଡ୍‌ ସଂକ୍ରମଣ ବ୍ୟାପିଥିବାରୁ ୨୦୨୦-୨୧, ୨୦୨୧-୨୨ ବର୍ଷରେ ପର୍ଯ୍ୟଟକ ସେତେ ପରିମାଣରେ ଆସି ନ ଥିଲେ। ୨୦୨୨-୨୩ ପର୍ଯ୍ୟନ୍ତ କେବଳ ଉଦୟଗିରି ପାହାଡ଼ ଯିବାକୁ ପର୍ଯ୍ୟଟକଙ୍କୁ ଟିକେଟ୍‌ କରିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ଉଭୟ ପାଡାଡ଼କୁ ଯିବାକୁ ଗୋଟିଏ ଟିକେଟ୍‌ କରିବାକୁ ପଡ଼ିବାରୁ ୨୦୨୩-୨୪ରେ ପର୍ଯ୍ୟଟକଙ୍କ ଆଗମନ ଦୁଇଗୁଣ ବଢ଼ିଥିଲା। ଏହି ବର୍ଷ ୮ ଲକ୍ଷ ୯୬ହଜାର ୪୫୩ଜଣ ପର୍ଯ୍ୟଟକ ଖଣ୍ଡଗିରି-ଉଦୟଗିରି ବୁଲିଥିବା ଏଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି। ୨୦୨୪-୨୫ରେ ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ ବଢ଼ିଯାଇଥିଲା। ୧୨ଲକ୍ଷ ୮୦ହଜାର ୧୫୪ଜଣ ପର୍ଯ୍ୟଟକ ଆସିଥିଲେ। ଆୟ ମଧ୍ୟ ସେହି ତୁଳନାରେ ବଢ଼ିଥିଲା। ୨୦୨୩-୨୪ରେ ଜାନୁଆରିରେ ପାଖାପାଖି ୨କୋଟି ୨୪ ଲକ୍ଷ ଟଙ୍କା ଆୟ ହୋଇଥିଲା। ୨୦୨୪-୨୫ରେ ତାହା ୩କୋଟି ୨୦ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

ଜଙ୍ଗଲ ଭିତରେ ଅସାମାଜିକ ବ୍ୟକ୍ତିଙ୍କ ଗହଳି ଲାଗି ରହୁଛି। ଖଣ୍ଡଗିରି ପାହାଡ଼ ଉପରେ ୪ଟି ଓ ଉଦୟଗିରି ଉପରେ ଗୋଟିଏ ପ୍ରାଚୀନ ଜଳାଶୟ ରହିଥିଲେ ମଧ୍ୟ ତାହାର ପୁନରୁଦ୍ଧାର ହେଉ ନାହିଁ। ପାହାଡ଼ର ପଛ ପାର୍ଶ୍ବରେ ଏହି କୁଣ୍ଡ ନିକଟକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ପର୍ଯ୍ୟଟକଙ୍କ ଗାଡ଼ି ରଖିବାପାଇଁ ଉଦ୍ଦିଷ୍ଟ ଓଏସ୍ଆର୍‌ଟିସିର ବସ୍‌ଷ୍ଟାଣ୍ଡ ଆଉ ଉପଲବ୍ଧ ହେଉନି। ସେଠାରେ ଏକ ଘରୋଇ ସଂସ୍ଥା ନିଜର ଗାଡ଼ି ରଖୁଛି। ଫଳରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ବସ୍‌ଗୁଡ଼ିକ ଭିତରକୁ ଯାଇ ନପାରି ଗାନ୍ଧି ଶାନ୍ତିକେନ୍ଦ୍ର ସମ୍ମୁଖଠାରୁ ରାଜପଥ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ ହେଉଛି। ଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ଅନ୍ୟପଟେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ମଧ୍ୟ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ପର୍ଯ୍ୟଟନ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ଖଣ୍ଡଗିରି-ଉଦୟଗିରିର ଭିତ୍ତିଭୂମି ବିକାଶ ପାଇଁ ଗତ ୫ ବର୍ଷ ମଧ୍ୟରେ ୫୪ କୋଟି ୬୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପାନୀୟ ଜଳ, ଲ୍ୟାଣ୍ଡସ୍କେପିଂ, ଲ୍ୟାମ୍ପପୋଷ୍ଟ ନିର୍ମାଣ, ବାହ୍ୟ ଆଲୋକୀକରଣ, ବ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିଭୂମି କାର୍ଯ୍ୟ ଇତ୍ୟାଦି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏପରିକି ପାହାଡ଼ ଦ୍ବୟର ଭିତ୍ତିଭୂମି ବିକାଶରେ ଓଟିଡିସି ଦ୍ବାରା ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏଏସ୍‌ଆଇ ଅଧୀକ୍ଷକ ଏନ୍‌ କେ ସ୍ବାଇଁ କହିଛନ୍ତି, ଖଣ୍ଡଗିରି-ଉଦୟଗିରିର ରକ୍ଷଣାବେକ୍ଷଣ ପାଇଁ କାମ ଚାଲିଛି। ଗୁମ୍ପାଗୁଡ଼ିକ ଭିତରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ବାରଣ କରିବାକୁ ଲୁହା ଜାଲି କାମ ହେଉଛି। ପାହାଡ଼ରେ ଥିବା ବିଭିନ୍ନ ବିପଦସଙ୍କୁଳ ସ୍ଥାନଗୁଡ଼ିକରେ ଲୁହା ରେଲିଂ କାମ ଆରମ୍ଭ ହୋଇଛି। ପଞ୍ଚତୀର୍ଥ ଉନ୍ନତୀକରଣ କାମ ଖୁବ୍‌ଶୀଘ୍ର କରାଯିବ। ଏଠାକୁ ଯିବା ପାଇଁ କୌଣସି ରାସ୍ତା ନ ଥିବାରୁ ପାହାଚ ତିଆରି ସହ ରାସ୍ତା ନିର୍ମାଣ ହେବ। ଅନ୍ୟ ସମସ୍ୟାଗୁଡ଼ିକ ଉପରେ ନଜର ଦିଆଯିବ।