‘ଅନାମ କାବ୍ୟ ଆନ୍ଦୋଳନ’ର ୫୫ତମ ସ୍ୱନକ୍ଷତ୍ର ଦିବସ: ‘ଅନାମ ଏକ ଗୋଷ୍ଠୀ ନୁହେଁ, ଏକ ଯୁଗ’

ଭୁବନେଶ୍ୱର: ୧୯୬୯ ମସିହା ପବିତ୍ର ସରସ୍ୱତୀ ପୂଜା ଦିବସରେ ଜନ୍ମ ନେଇଥିବା ‘ଅନାମ କାବ୍ୟ ଆନ୍ଦୋଳନ’ର ୫୫ତମ ସ୍ୱନକ୍ଷତ୍ର ଦିବସ ଲୋହିଆ ଏକାଡେମି ସଭାଗୃହରେ ପାଳିତ ହୋଇଯାଇଛି। ଏଥିରେ ଜ୍ଞାନପୀଠ ପୁରସ୍କାର ବିଜେତା ସୀତାକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଓଡ଼ିଆ କବିତାରେ ଅନାମ ଏକ ଗୋଷ୍ଠୀ ନୁହେଁ, ଏକ ଯୁଗ। ସାହିତ୍ୟ ଏକ ଋଦ୍ଧ ଜଳାଶୟ ନୁହେଁ, ଏକ ପ୍ରବାହ ବୋଲି କହି ଅନାମ କବିତାରେ ଏହି ପ୍ରବାହ ଗତିମୁଖର ବୋଲି ମତ ଦେଇଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକଙ୍କ ଅନାମ ସଂପର୍କରେ ଲିଖିତ ପ୍ରଥମ ପୁସ୍ତକ ‘ଅନାମ କବିତା ଅନାମ ଆନ୍ଦୋଳନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ସାହିତ୍ୟ ବିଭାଗ ମୁଖ୍ୟ ଜ୍ଞାନୀ ଦେବାଶିଷ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଡ. ମଲ୍ଲିକ ଅନାମ କବି କୁମାର ମହାନ୍ତି ଓ ତାଙ୍କ ଦ୍ୱାରା ପ୍ରବର୍ତ୍ତିତ ଅନାମ କାବ୍ୟ ସଂପର୍କରେ ଆଲୋଚନା କରିଥିଲେ। ଅଧ୍ୟାପକ କ୍ଷୀରୋଦ ରାୟ ମହାପାତ୍ର ଅନାମ କାବ୍ୟ ଆନ୍ଦୋଳନ ସଂପର୍କରେ ମତାମତ ରଖିଥିଲେ। କବି ନେତ୍ରାନନ୍ଦ ସାମନ୍ତରାୟ, ମନୁଆ ଦାସ, ନିଖିଳେଶ ମିଶ୍ର, ମୌସୁମୀ ଦାସ ଓ ମନୁ ଦାଶ ଅନାମ କବିତା ଆବୃତ୍ତି କରିଥିଲେ। ଗାଳ୍ପିକ ପରେଶ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦୀପ୍ତ କୁମାର ବାରିକ, ଗାଳ୍ପିକ ଭୀମ ପୃଷ୍ଟି, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଓ ବିଭୂତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର