ଭୁବନେଶ୍ୱର: ବିଏମ୍ସି ଇଞ୍ଜିନୟରିଂ ଉପବିଭାଗରେ ୫୪ କୋଟି ଟଙ୍କାର ହିସାବ ନ ମିଳିବା ଘଟଣାର ତଦନ୍ତ କରୁଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଇଓଡବ୍ଲୁର ବରିଷ୍ଠ ଅଧିକାରୀମାନେ ଦୀର୍ଘ ତିନି ମାସ କାଳ ବିଏମ୍ସିରେ ତନାଘନା କରିଥିଲେ ମଧ୍ୟ ଭାଉଚର ପାଇ ନାହାନ୍ତି କିମ୍ବା ଅଧିକାରୀମାନଙ୍କ ଠାରୁ ସନ୍ତୋଷଜନକ ଉତ୍ତର ମଧ୍ୟ ପାଇ ନାହାନ୍ତି। କିନ୍ତୁ ଲୋକାୟୁକ୍ତଙ୍କ ଆଦେଶ ମୁତାବକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିପାରି ନାହାନ୍ତି। ଏଣୁ ଗତକାଲି ଲୋକାୟୁକ୍ତରେ ଥିବା ଏହି ମାମଲାର ଶୁଣାଣିରେ ଇଓଡବ୍ଲୁ ଆଉଦୁଇ ମାସ ଅଧିକ ସମୟ ମାଗିଛି।
ଦୁଇ ମାସ ପରେ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବ ବୋଲି ଲୋକାୟୁକ୍ତଙ୍କୁ ଆବେଦନ କରିବା ପରେ ଲୋକାୟୁକ୍ତ ଇଓଡବ୍ଲୁର ଆବେଦନ ମଞ୍ଜୁର କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୧ ତାରିଖକୁ ଧାର୍ଯ୍ୟ ହୋଇଛି। ଏହି ତାରିଖ ପୂର୍ବରୁ ଇଓଡବ୍ଲୁ ଏହି ମାମଲାର ଅନୁସନ୍ଧାନ ପୂର୍ବକ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଲୋକାୟୁକ୍ତରେ ଦାଖଲ କରିବାକୁ ଆଦେଶ ହୋଇଛି। ତେବେ କେବଳ ଏହି ଗୋଟିଏ ମାମଲା ନୁହେଁ, ଅଳିଆ ଉଠାପକାରେ ୧୧କୋଟି ଟଙ୍କା ହେରଫେର ହୋଇଛି। ଏହାର ତଦନ୍ତ ମଧ୍ୟ ଇଓଡବ୍ଲୁ କରୁଛି। ଏହାର ଶୁଣାଣି ତାରିଖ ମାର୍ଚ୍ଚ ୨୮ ରହିଛି। ଉଭୟ ମାମଲାରେ ଇଓଡବ୍ଲୁ ବିଏମ୍ସିରେ ପଶି ତନାଘନା କରୁଛି।
ଉଲ୍ଲେଖଯୋଗ୍ୟ, ବିଏମ୍ସିରେ୨୦୨୦ ମସିହା ଅଡିଟ୍ ସମୟରେ ଇଞ୍ଜିନିୟରିଂ ଉପବିଭାଗର ୪୯୦ ଭାଉଚରରୁ ଲୋକାଲ ଫଣ୍ଡ ଅଡିଟ୍ ପାଖରେ ୩୫୦ ଭାଉଚର ଦାଖଲ କରାଯାଇଥିଲା। ବାକି ୧୪୦ ଭାଉଚରରେ ୫୪ କୋଟି ଟଙ୍କାର ହିସାବ ରହିଥିଲା। ଅର୍ଥାତ୍ ୫୪ କୋଟି ଟଙ୍କା ବ୍ୟୟରେ ଡ୍ରେନ୍, ରାସ୍ତା ଓ ଅନ୍ୟାନ୍ୟ ନିର୍ମାଣ ହୋଇଥିଲେ ମଧ୍ୟ ସେ ବାବଦରେ କୌଣସି ପ୍ରମାଣ ନଥିଲା। ନିର୍ମାଣ ନାମରେ ମିଥ୍ୟା ବିଲ୍ କରି ଏହି ମୋଟାଅଙ୍କର ଟଙ୍କା ହରିଲୁଟ୍ କରିନେଇଥିବା ଅଭିଯୋଗ ହୋଇଥିଲା। ଏହିସବୁ ଭାଉଚର ଦାଖଲ କରିବାକୁ ଅଡିଟ୍ ବିଏମ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ଥରେ କିମ୍ବା ଦୁଇଥର ନୁହେଁ, ବରଂ ଅଡିଟ୍ ପକ୍ଷରୁ ପ୍ରାୟ ୬ଥର ବିଏମ୍ସିକୁ ଫାଇଲ୍ ଦାଖଲ କରିବାକୁ ତାଗିଦ୍ କରାଯାଇଥିଲେ ମଧ୍ୟ ବିଏମ୍ସି ସକ୍ଷମ ହୋଇନଥିଲା। ଶେଷରେ ମାମଲା ଲୋକାୟୁକ୍ତ ଯାଇଥିଲା।
ଇଓଡବ୍ଲୁକୁ ତଦନ୍ତ ଦାୟିତ୍ବ ଯିବାପରେ ଇଞ୍ଜିନିୟରମାନଙ୍କର ବୁଦ୍ଧି ହଜିଥିଲା। ଏହି ମାମଲାରେ ଇଓଡବ୍ଲୁ ସିଟି ଇଞ୍ଜିନିୟର ଓ ଡିଲିଂ ଆସିଷ୍ଟାଣ୍ଟଙ୍କ ସମେତ ପ୍ରାୟ ୭ ଜଣ ଇଞ୍ଜନିୟରଙ୍କୁ ଜେରା କରିଥିଲା। ତା’ ସହିତ ୨ଶହରୁ ଊର୍ଦ୍ଧ୍ବ ଫାଇଲ୍ ଯାଞ୍ଚ କରିଥିଲା। ଏଠାରୁ ବଦଳି ହୋଇ ଯାଇଥିବା କିରାଣୀ ଓ ଇଞ୍ଜିନିୟରମାନଙ୍କ ସହ ମଧ୍ୟ ଇଓଡବ୍ଲୁ ଯୋଗାଯୋଗ କରିଥିଲା। କିନ୍ତୁ ୩ ମାସ ସମୟ ଅବଧିରେ ଇଓଡବ୍ଲୁ କୌଣସି ନିଷ୍କର୍ସରେ ପହଞ୍ଚି ନପାରିବାରୁ ଆଉ ଦୁଇମାସ ସମୟ ମାଗିଛି।