ଚିନ୍ତା ବଢ଼ାଉଛନ୍ତି ମହାରାଷ୍ଟ୍ର ଫେରନ୍ତା, ୬ ଦିନରେ ବିମାନବନ୍ଦରରୁ ବାହାରିଲେଣି ୫୭ ଆକ୍ରାନ୍ତ

ଭୁବନେଶ୍ବର: ଓଡ଼ିଶା ପାଇଁ ବିଶେଷକରି ଭୁବନେଶ୍ବର ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ମହାରାଷ୍ଟ୍ର ଫେରନ୍ତା। ମୁମ୍ବାଇ ଓ ପୁଣେରୁ ଭୁବନେଶ୍ବରକୁ ବିମାନରେ ଆସୁଥିବା ଯାତ୍ରୀ ଏବେ ରାଜଧାନୀ ପାଇଁ ବିପଦ ସାଜିଛନ୍ତି। ପ୍ରତିଦିନ ପ୍ରାୟ ୧୦ଜଣ କରୋନା ଆକ୍ରାନ୍ତ ବିମାନଯାତ୍ରୀ ଚିହ୍ନଟ ହେଉଥିବାରୁ ବିଏମ୍‌ସି ପକ୍ଷରୁ ମହାରାଷ୍ଟ୍ର ଫେରନ୍ତା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି। ବିନା କୋଭିଡ୍‌ ପରୀକ୍ଷା ରିପୋର୍ଟରେ ଯାତ୍ରୀଙ୍କୁ ବିମାନବନ୍ଦର ବାହାରକୁ ଛଡ଼ା ଯାଉନି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ଦିନରେ ଭୁବନେଶ୍ବର ବିମାନବନ୍ଦରରୁ ୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ପ୍ରାୟ ୧୫୦୦ଜଣ ଯାତ୍ରୀଙ୍କର କୋଭିଡ୍‌ ପରୀକ୍ଷା ହୋଇଥିବା ବେଳେ ଏଥିରୁ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଯାତ୍ରୀ ମୁମ୍ବାଇ ଓ ପୁଣେରୁ ଫେରିଛନ୍ତି। ଏଥିରେ ଅଧିକାଂଶ ମୁମ୍ବାଇ ଫେରନ୍ତା। ବିଏମ୍‌ସିର ନିୟମ ଅନୁଯାୟୀ, ଏବେ ମୁମ୍ବାଇ ଓ ପୁଣେରୁ ଫେରୁଥିବା ଯାତ୍ରୀଙ୍କୁ ୭୨ଘଣ୍ଟା ଭିତରେ ଆର୍‌ଟିପିସିଆର୍‌ ପରୀକ୍ଷା କରି ନେଗେଟିଭ୍ ରିପୋର୍ଟ ଆଣିଥିଲେ ଭୁବନେଶ୍ବର ବିମାନବନ୍ଦରରେ କୋଭିଡ୍ ପରୀକ୍ଷା କରିବାକୁ ପଡ଼ିବନି। ଯେଉଁମାନେ ଆର୍‌ଟିପିସିଆର୍ ରିପୋର୍ଟ ଆଣୁନାହାନ୍ତି, ସେମାନଙ୍କର ଏଠାରେ ବାଧ୍ୟତାମୂଳକ ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି। ରିପୋର୍ଟ ନେଗେଟିଭ୍ ଆସିଲେ ଟର୍ମିନାଲ ବାହାରକୁ ଛଡ଼ାଯାଉଛି। ପଜିଟିଭ୍ ଆସିଲେ କୋଭିଡ୍‌ ହସ୍ପିଟାଲକୁ ପଠାଯାଉଛି।

ଗତ ୬ ଦିନରେ ୫୭ଜଣ ଆକ୍ରାନ୍ତଙ୍କୁ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠା ଯାଇଥିବା ବେଳେ ସେମାନଙ୍କ ସହ ଆସିଥିବା ଯାତ୍ରୀଙ୍କୁ ୭ଦିନ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଏପ୍ରିଲ ୧ରେ ୨୪୧ଜଣଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ୧୦ଜଣ ଆକ୍ରାନ୍ତ ବାହାରିଥିଲେ। ୨ରେ ୨୮୭ଜଣଙ୍କର ପରୀକ୍ଷା ହୋଇଥିବାବେଳେ ୧୪ଜଣ, ୩ରେ ୨୫୪ଜଣଙ୍କର ପରୀକ୍ଷା ହୋଇଥିବା ବେଳେ ୪ଜଣ, ୪ରେ ୩୧୩ଜଣଙ୍କର ପରୀକ୍ଷା ହୋଇଥିବା ବେଳେ ୧୧ଜଣ, ୫ରେ ୧୮୪ଜଣଙ୍କର ପରୀକ୍ଷା ହୋଇଥିବା ବେଳେ ୯ଜଣ, ଆଜି ୯ଜଣଙ୍କର କୋଭିଡ ପଜିଟିଭ୍ ରିପୋର୍ଟ ଆସିଛି।

ଏବେ ସମସ୍ତ କରୋନା ଆକ୍ରାନ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ କୋଭିଡ ହସ୍ପିଟାଲକୁ ପଠାଯାଉଥିବା ବେଳେ ବୁଧବାରଠାରୁ ସମସ୍ତଙ୍କୁ ହସ୍ପିଟାଲକୁ ପଠାଯିବନି। ଯେଉଁ ଯାତ୍ରୀମାନେ ଘରେ ସଙ୍ଗରୋଧରେ ରହିବାକୁ ଚାହିବେ, ସେମାନଙ୍କୁ ଘରକୁ ପଠାଇ ଦିଆଯିବ। କିନ୍ତୁ ସେମାନେ ଯେଉଁ ଆମ୍ବୁଲାନ୍ସରେ ବିମାନବନ୍ଦରରୁ ଘରକୁ ଯିବେ, ତା’ର ଭଡ଼ା ଦେବାକୁ ହେବ। ଏହାସହ ବିଏମ୍‌ସି ପକ୍ଷରୁ ଯାତ୍ରୀ ଯିବାକୁ ଥିବା ଜିଲ୍ଲାର ଜିଲ୍ଲା ପ୍ରଶାସନକୁ ଆକ୍ରାନ୍ତଙ୍କ ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ। ସେହିପରି ଯେଉଁମାନେ ଆମ୍ବୁଲାନ୍ସ ଭଡ଼ା ଦେବେନି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ।

ଅପରପକ୍ଷେ ବିମାନବନ୍ଦରରେ ଆଣ୍ଟିଜେନ୍ ପରୀକ୍ଷା ହେଉଥିବାରୁ ବହୁ ଯାତ୍ରୀଙ୍କର ଲକ୍ଷଣ ଥିଲେ ବି ଜଣାପଡ଼ୁନି। କିନ୍ତୁ ବିଏମ୍‌ସି ପକ୍ଷରୁ ଆର୍‌ଟିପିସିଆର୍ ପରୀକ୍ଷା କରାଯାଉନି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନରେ ଆସୁଥିବା ଯାତ୍ରୀଙ୍କର ଆର୍‌ଟିପିସିଆର୍ ପରୀକ୍ଷା କରି ରିପୋର୍ଟ ପାଇବା ବେଳକୁ ୨୪ ଘଣ୍ଟା ବିତିଯିବ। ଏହି ରିପୋର୍ଟକୁ ଅପେକ୍ଷା କଲେ ଯାତ୍ରୀ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଯିବେ। ତେଣୁ ‌ସମସ୍ତଙ୍କର ଆଣ୍ଟିଜେନ୍ ପରୀକ୍ଷା କରୁଛୁ। ଯେଉଁମାନଙ୍କର ଲକ୍ଷଣ ଅଛି କିନ୍ତୁ ରିପୋର୍ଟ ନେଗେଟିଭ୍ ଅଛି, ସେମାନଙ୍କୁ ପରେ ଆର୍‌ଟିପିସିଆର୍ ପରୀକ୍ଷା କରିବାକୁ କହୁଛୁ।

ରାଜ୍ୟ ସରକାର ୬ଟି ରାଜ୍ୟର ଯାତ୍ରୀଙ୍କ ପାଇଁ ରେଡ୍‌ ଆଲର୍ଟ ଜାରି କରିଥିଲେ ହେଁ ଏବେ ମୁମ୍ବାଇ ଓ ପୁଣେରୁ ଭୁବନେଶ୍ବରକୁ ସିଧା ବିମାନ ଆସୁଥିବାରୁ ଏହି ଯାତ୍ରୀଙ୍କର କୋଭିଡ୍ ପରୀକ୍ଷା ବାଧ୍ୟତାମୂଳକ କରିଛୁ ବୋଲି ବିଏମ୍‌ସିର ଆସିଷ୍ଟାଣ୍ଟ କମିସନର ଲିଲନ ପ୍ରସାଦ ସାହୁ କହିଛନ୍ତି।
ପ୍ରତିଦିନ ମୁମ୍ବାଇରୁ ଭୁବ‌େନଶ୍ବରକୁ ୬ଟି ଓ ପୁଣେରୁ ଗୋଟିଏ ବିମାନ ଆସୁଥିଲେ ହେଁ କରୋନା କଟକଣା ଯୋଗୁଁ ଗତ ଦୁଇ ଦିନ ହେଲା ୨ଟି ମୁମ୍ବାଇ ବିମାନ ବାତିଲ୍‌ ହୋଇଯାଉଛି। ଏବେ ୫ଟି ବିମାନରେ ପ୍ରତିଦିନ ପ୍ରାୟ ୪୦୦ରୁ ୫୦୦ଲୋକ ଆସୁଛନ୍ତି।

ସମ୍ବନ୍ଧିତ ଖବର