୫୮ ମୁଣ୍ଡ ଗଡ଼ିଛି, ୧୨୭ ଦୁଷ୍କର୍ମର ଶିକାର

ବର୍ଷେ ୨ ମାସର ହିସାବ

ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ଅପରାଧୀଙ୍କ ରାଜ୍‌। ଗତ କିଛି ବର୍ଷ ହେଲା ଅପରାଧର ଗ୍ରାଫ୍‌ ଉପରମୁହାଁ ହୋଇଉଠିଛି। ଚୋରି, ଲୁଟ୍‌, ଛିନ୍‌ତାଇ ଭଳି ଅପରାଧ ତ ନିତଦିନିଆ ସାଧାରଣ ଘଟଣା ହୋଇଗଲାଣି। ଏବେ କିନ୍ତୁ କଥା କଥାକେ ବନ୍ଧୁକ ଗର୍ଜୁଛି, ଖଣ୍ଡା, ଭୁଜାଲି, ଫାର୍ସା ବୁଲୁଛି ଏବଂ ମୁଣ୍ଡ ଗଡ଼ୁଛି। ସବୁଦିନ ରାଜଧାନୀର କେଉଁଠି ନା କେଉଁଠି ରକ୍ତପାତ ଘଟୁଛି। ସେହିଭଳି ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ବି କିଛି କମ୍ ହେଉନାହିଁ। ଗତ ବର୍ଷକର ହିସାବ ଉପରେ ନଜର ପକାଇଲେ ରାଜଧାନୀରେ ଅପରାଧର ଭୟଙ୍କର ଅବିଶ୍ବସନୀୟ ଚିତ୍ର ଛାତି ଥରାଇଦେବ। ଖୋଦ୍‌ ବିଧାନସଭାରେ ସରକାର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଆଜି ବିଧାନସଭାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ସ୍ବରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ଦେଇଛନ୍ତି।

ରାଜଧାନୀରେ ଅପରାଧର ଭୟଙ୍କର ଚିତ୍ର

ମିଳିଥିବା ସୂଚନାନୁସାରେ ଗତ ବର୍ଷେ ୨ ମାସ ଭିତରେ ରାଜଧାନୀରେ ୫୮ଜଣଙ୍କ ମୁଣ୍ଡ ଗଡ଼ିଥିବା ବେଳେ ୧୨୭ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। କମିସନରେଟ୍‌ ପୁଲିସର ବିଭିନ୍ନ ଥାନା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡରେ ୫୮ ଜଣଙ୍କ ମୁଣ୍ଡ ଯାଇଛି। ୨୦୨୨ ମସିହାରେ ୪୭ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ୨୦୨୩ ମସିହାର ୨ମାସରେ ୧୧ଜଣଙ୍କ ମୁଣ୍ଡ ଗଡ଼ିଛି। ତଥ୍ୟ ଅନୁସାରେ ୨୦୨୨ ମସିହାରେ ଚନ୍ଦକା ଥାନା ଅଞ୍ଚଳରେ ସର୍ବାଧିକ ୫ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଇନ୍‌ଫୋସିଟି ଓ ସହିଦନଗର ଥାନା ଅଞ୍ଚଳରେ ୪ଟି ଲେଖାଏଁ ହତ୍ୟାକାଣ୍ଡ ଘଟିଛି। କ୍ୟାପିଟାଲ୍‌, ଭରତପୁର, ବାଲିଅନ୍ତା ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୩ଟି ଲେଖାଏଁ ହତ୍ୟାକାଣ୍ଡ ଘଟିଛି। ୨୦୨୩ ମସିହାର ହିସାବ ଅନୁସାରେ ଭରତପୁର ଓ ଖଣ୍ଡଗିରି ଥାନାରେ ସର୍ବାଧିକ ୨ଟି ଲେଖାଏଁ ହତ୍ୟାକାଣ୍ଡ ଘଟିଛି।

ଅପରପକ୍ଷେ କମିସନରେଟ୍‌ ପୁଲିସ ହତ୍ୟା ମାମଲାରେ ୬୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିଭଳି ମୋଟ୍ ୧୨୭ ଦୁଷ୍କର୍ମ ମାମଲା ମଧ୍ୟରୁ ୨୦୨୨ରେ ୧୧୬ଟି ଦୁଷ୍କର୍ମ ଓ ୨୦୨୩ରେ ୧୨ଟି ଦୁଷ୍କର୍ମ ମାମଲା ରୁଜୁହୋଇଛି। ୨୦୨୨ ମସିହାରେ ମହିଳା ଥାନା ଓ ନୂଆପଲ୍ଲୀ ଥାନାରେ ସର୍ବାଧିକ ୧୪ଟି ଲେଖାଏଁ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଭରତପୁର ଥାନାରେ ୧୦ଟି ଏବଂ ଏୟାର ପୋର୍ଟ ଥାନାରେ ୯ଟି ଦୁଷ୍କର୍ମ ମାମଲା ରହିଛି। ୨୦୨୩ରେ ବାଲିପାଟଣା, ମହିଳା ଏବଂ ଚନ୍ଦ୍ରଶେଖରପୁର ଥାନାରେ ୨ଟି ଲେଖାଏଁ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଦୁଷ୍କର୍ମ ମାମଲାରେ ପୁଲିସ ୯୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଦୁଇ ସଙ୍ଗିନ୍‌ ଅପରାଧ ବାଦ୍‌ କେବଳ ଗତ ବର୍ଷକ ମଧ୍ୟରେ ୨ ହଜାର ୧୨୫ଟି ଚୋରି ମାମଲା ରୁଜୁ ହୋଇଛି ଏବଂ ୬୭୯ଟି ଡକାୟତି ମାମଲା ଘଟିଛି।

ସମ୍ବନ୍ଧିତ ଖବର