୫୮ ଡିଇଓଙ୍କୁ ବିଦା ଘଟଣା: ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଏମ୍‌ସିର ୫୮ଜଣ ଡାଟାଏଣ୍ଟ୍ରି ଅପରେଟର୍‌ (ଡିଇଓ)ଙ୍କୁ ଚାକିରିରୁ ବିଦା କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କର୍ତ୍ତୃପକ୍ଷ ଏହି ୫୮ଜଣ ଡିଇଓଙ୍କୁ ବିଦା‌ କରିବାକୁ ଚିଠି ଲେଖିବା ପରେ ଆଉ ଗୋଟିଏ ସଂସ୍ଥା ଡିଇଓଙ୍କୁ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଜୁନ୍‌ ୧ ପୂର୍ବରୁ ପ୍ରକ୍ରିୟା ଶେଷ ହେବା ସହ ନୂଆ ନିଯୁକ୍ତି ଦିଆଯିବ ବୋଲି ଜଣାପଡ଼ିଛି।

ଏଭଳି ସ୍ଥିତିରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପୂର୍ବରୁ ବିନା ଟେଣ୍ଡର୍‌ରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯେଉଁ ଅଧିକାରୀ ଯେତେ‌ବେଳେ ଚାହିଛନ୍ତି, ସେତେବେଳେ ନିଯୁକ୍ତି ଦେଇଛନ୍ତି। ଏଥିପାଇଁ କୌଣସି ପରୀକ୍ଷା ହୋଇନାହିଁ। ଏଣୁ କେତେକଙ୍କର ଡିଇଓ ପାଇଁ ଯୋଗ୍ୟତା ନଥିବା ନେଇ ଅଭିଯୋଗ ହୋଇଛି। କେତେକଙ୍କର କମ୍ପ୍ୟୁଟର୍‌ ପ୍ରମାଣପତ୍ର ନଥିବା ବେଳେ କେତେକଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ। ବଡ଼କଥା ହେଉଛି, କେତେକ ଡିଇଓ ଭାବେ ଦରମା ପାଉଥିଲେ ମଧ୍ୟ ଅନ୍ୟ କାମ କରୁଛନ୍ତି। ଏଭଳି ଅଭିଯୋଗ ଯଦି ସତ ହୋଇଥାଏ, ତେବେ କିଏ ଏଭଳି ନିଯୁକ୍ତି ଦେଇଛି? ଯେଉଁମାନେ ଅଯୋଗ୍ୟ ଥିଲେ, ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ? ବିଏମ୍‌ସି କମିସନର ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି? ଏଭଳି ଅନେକ ପ୍ରଶ୍ନ ଏବେ ଏହି ପ୍ରସଙ୍ଗକୁ ବିବାଦୀୟ କରିଛି।

ଏଭଳି ସ୍ଥିତିରେ ‘କମ୍ପ୍ୟୁଟର ଲ୍ୟାବ୍‌’ ନାମକ ଏକ ସଂସ୍ଥା ଡିଇଓ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ଆରମ୍ଭ କରିଦେଇଛି। ଏଥିପାଇଁ କୌଣସି ବିଜ୍ଞାପନ ଦିଆଯାଇନାହିଁ। ବରଂ ଏଠାରୁ ଛଟେଇ ହେବାକୁ ଥିବା ଡିଇଓମାନଙ୍କୁ ଫୋନ୍‌ ଜରିଆରେ ଡାକି ସମ୍ପୃକ୍ତ ସଂସ୍ଥା ପରୀକ୍ଷା କରୁଛି। ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ମଧ୍ୟରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବାରୁ ସେମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଏଭଳି ପ୍ରକ୍ରିୟା ଚାଲିଥିବା କୁହାଯାଉଛି। ବାସ୍ତବରେ କାହାକୁ ବିଦା କରିବେ, କାହାକୁ ରଖିବେ, ତାହା ପୂର୍ବରୁ ସ୍ଥିର ହୋଇ ସାରିଛି। କେବଳ ଧର୍ମକୁ ଆଖିଠାର ଭଳି ପରୀକ୍ଷା ଚାଲିଛି। କିନ୍ତୁ ସମ୍ପୃକ୍ତ ସଂସ୍ଥାକୁ କିଏ ଅନୁମତି ଦେଇଛି? ବିବାଦରୁ ନଜର ହଟାଇବା ପାଇଁ କିମ୍ବା ଛଟେଇ କର୍ମଚାରୀଙ୍କୁ ଏକଜୁଟ ନ ହେବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ନୁହେଁ ତ? ଏହି ପରୀକ୍ଷାକୁ ନେଇ ଏଭଳି ଅନେକ ପ୍ରଶ୍ନ ଉଠିଛି।

ଅନ୍ୟପଟେ ଏହି ପ୍ରକ୍ରିୟାକୁ ନେଇ କେଁ ଉଠିଛି। ଏଭଳି ଛଟେଇ କରିବାକୁ ହେଲେ ଅତି କମ୍‌ରେ ୩୦ ଦିନ ପୂର୍ବରୁ କରିବା କଥା। ଅର୍ଥାତ୍‌ ଜୁନ୍‌ ୧ରୁ ଛଟେଇ କରିବାକୁ ହେଲେ ମେ’ ୧ ତାରିଖରୁ ନୋଟିସ୍‌ ହେବା କଥା। କିନ୍ତୁ ଜୁନ୍‌ ୧ରୁ ଛଟେଇ ହେବାକୁ ଥିବା ବେଳେ ମେ ୧୭ ତାରିଖରେ ଅର୍ଡର ହୋଇଛି। ଅର୍ଥାତ୍‌ ୧୩ ଦିନ ସମୟ ଦିଆଯାଇଛି। ଅନ୍ୟ ଏକ ପ୍ରସଙ୍ଗ ହେଉଛି, ପୂର୍ବରୁ ବିନା ଟେଣ୍ଡରରେ ପରିମଳ କର୍ମଚାରୀ ଯୋଗାଇଥିବା ସଂସ୍ଥା ପିଏମ୍‌ଆର ହିଁ ଏହି କର୍ମଚାରୀମାନଙ୍କୁ ଯୋଗାଇଥିଲା। କୌଣସି ଚୁକ୍ତି ହୋଇନଥିଲେ ମଧ୍ୟ ପରିମଳ ଉପବିଭାଗ ଅଧୀନରେ ଏମାନଙ୍କର ନିଯୁକ୍ତି ରହିଥିଲା। କିନ୍ତୁ ଛଟେଇ କରିବାକୁ ଆଇଟି ଉପବିଭାଗ ଚିଠି ଲେଖିଛି। ଯାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି।

ଅନ୍ୟପଟେ ପରିମଳ ବ୍ୟବସ୍ଥାରେ ପିଏମ୍‌ଆର ସଂସ୍ଥାର ବିଏମ୍‌ସି ସହ ହୋଇଥିବା ଚୁକ୍ତି ଅବଧି ଜୁନ୍‌ରୁ ଶେଷ ହେବାକୁ ଯାଉଛି। ଏଣୁ ସ୍ବଚ୍ଛ ଭାରତ ମିସନ ସେଲ୍‌ରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଛଟେଇ ହେବାକୁ ଯାଉଛନ୍ତି। ଏଠାରେ କର୍ମଚାରୀ ନିୟୋଜିତ କରିବାକୁ ବିଏମ୍‌ସି ନୂଆ ସଂସ୍ଥା ଚୟନ କରିବାକୁ ଯାଉଛି। ଖୁବ୍‌ଶୀଘ୍ର ଏଥିପାଇଁ ଟେଣ୍ଡର ଡକାଯିବ ବୋଲି ଜଣାପଡ଼ିଛି। ଏଥିରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ପ୍ରମାଦ ଗଣିଛନ୍ତି।

ବର୍ଷ ବର୍ଷ ଧରି ଏଠାରେ କାମ କରୁଥିବା ସ୍ଥାୟୀ କର୍ମଚାରୀ କମ୍ପ୍ୟୁଟରରେ କାମ କରିପାରୁ ନଥିବା ବେଳେ ଏହି ଠିକା କର୍ମଚାରୀଙ୍କ ଜରିଆରେ ବିଏମ୍‌ସି ଅଧିକାରୀମାନେ ସବୁ କାମ କରାଉଛନ୍ତି। ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ମଧ୍ୟ ଖଟାଉଛନ୍ତି। ଚାକିରି ସମ୍ପୃକ୍ତ ଅଧିକାରୀଙ୍କ ସନ୍ତୁଷ୍ଟ/ଅସନ୍ତୁଷ୍ଟ ଉପରେ ନିର୍ଭର କରୁଥିବାରୁ ଏମାନେ ପ୍ରତିବାଦ ନ କରି ଖଟୁଛନ୍ତି। କେଉଁଠି ପାନରୁ ଚୂନ ଖସିଲେ, କର୍ମଚାରୀଙ୍କୁ ବିଭିନ୍ନ ଆଳ ଦେଖାଇ ଛଟେଇ କରୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର