ହୋସ୍ ଉଡାଇ ଦେଲା ବିଜୁଳି ବିଲ୍ ! ଘରେ ଦୁଇଟି ଫ୍ୟାନ୍ ଓ ୪ଟି ଏଲଇଡି ବଲବ୍, ୭ମାସରେ ବିଲ୍ ଆସିଲା ୫୮ଲକ୍ଷ ୮୫ ହଜାର ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲଡ ଥାନା ପାଞ୍ଚ ଗାଁର ପ୍ରସନ୍ନ ନାୟକଙ୍କ ପାଖକୁ ଆସିଥିବା ଏକ ବିଜୁଳି ବିଲ୍‌ ହୋସ୍‌ ଉଡ଼ାଇ ଦେଇଛି। ପ୍ରସନ୍ନ ନାୟକଙ୍କୁ ଏହି ବିଲ୍‌ ନୂଆ କରି ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର କମ୍ପାନି ଧରାଇଛନ୍ତି।

ପ୍ରକାଶିତ ଖବର ମୁତାବକ, ପାଞ୍ଚ ଗାଁର ପ୍ରସନ୍ନ ନାୟକ ଓ ତାଙ୍କ ପତ୍ନୀଙ୍କ ଦୃଷ୍ଟିଶକ୍ତି ନାହିଁ । ଆର୍ଥିକ ଅବସ୍ଥା ବି ସ୍ୱଚ୍ଛଳ ନୁହେଁ । ଏହା ସତ୍ତ୍ୱେ  ସେପଟେମ୍ବର ମାସରେ ପ୍ରସନ୍ନଙ୍କ ଘରକୁ ୧୮ ହଜାର ୮ ଶହ ୪୫ ଟଙ୍କାର ବିଦ୍ୟୁତ ବିଲ୍‌ ଆସିଥିଲା। ଏ ନେଇ ସେ ସୁନ୍ଦରପଦା ବିଦ୍ୟୁତ ସେକ୍ସନରେ ଅଭିଯୋଗ କରିବା ପରେ ୯ହଜାର ୭ ଶହ ଟଙ୍କାରେ ବିଦ୍ୟୁତ କର୍ତ୍ତୃପକ୍ଷ ବିବାଦର ସମାଧାନ କରିଥିଲେ ।

ଏହାପରେ ଡିସେମ୍ବର ମାସରେ ନୂଆ ମିଟର ବସିଥିଲା । ନୂଆ ମିଟର ବସିବା ପରେ ଜାନୁଆରୀ ମାସରୁ ବିଲ୍‌ ଆସି ନଥିଲା। ଏବେ ଜୁଲାଇରେ ଆସିଥିବା ବିଲ ସମସ୍ତଙ୍କ ହୋସ ଉଡାଇ ଦେଇଛି । ଏକାଥରକେ ପ୍ରସନ୍ନ ନାୟକଙ୍କ ଘରକୁ ୫୮ ଲକ୍ଷ ୮୫ ହଜାର ୯ ଶହ ୯୮ ଟଙ୍କାର ବିଦ୍ୟୁତ ବିଲ୍‌ ଆସିଛି। ସାତମାସରେ ୨୩୧ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହୋଇଥିବାବେଳେ ଏଭଳି ବିଲ ଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆର୍ଥିକ ଅବସ୍ଥା ଠିକ ନଥିବା ପ୍ରସନ୍ନଙ୍କ ଘରେ ଦୁଇଟି ଫ୍ୟାନ ଓ ୪ଟି ଏଲଇଡି ବଲବ ଜଳେ। ଏପରିକି ଅବସ୍ଥାରେ ପ୍ରସନ୍ନଙ୍କ ଘରେ ଟିଭି କି ଫ୍ରିଜ ବି ନାହିଁ । କେଉଁ ଆଧାରରେ ଏଭଳି ବିଲ ଆସିଲା ତାହାର ଜବାବ କର୍ତୃପକ୍ଷ ରଖନ୍ତୁ ବୋଲି ବିଦ୍ୟୁତଗ୍ରାହକ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର