ଭୁବନେଶ୍ୱର: ୨୦୧୫ରୁ ୨୦୨୩ ମଧ୍ୟରେ ଭୁବନେଶ୍ବରର ୫୯ଟି ସରକାରୀ ସ୍କୁଲରେ ତାଲା ପଡ଼ିଛି। ସେଥିମଧ୍ୟରୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ୩୫ଟି ଓ ଭୁବନେଶ୍ବର ବ୍ଲକ ଅଞ୍ଚଳରେ ୨୪ଟି ବିଦ୍ୟାଳୟ ରହିଛି। କେଉଁଠି କମ୍ ପିଲା ଥିବା ଦର୍ଶାଇ ତ ଆଉ କେଉଁଠି ସରକାରୀ ବିଦ୍ୟାଳୟ ଜମି ଅନ୍ୟ କାହାକୁ ହସ୍ତାନ୍ତର କରିବାକୁ ଏଭଳି ନିଷ୍ପତ୍ତି ହୋଇଛି। କେତେକ ସ୍ଥାନରେ ସ୍କୁଲ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି। କାଁ ଭାଁ ସ୍ଥାନରେ ଏବେ ମଧ୍ୟ ବିଦ୍ୟାଳୟ ଶ୍ରେଣୀଗୃହଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଅଟକି ରହିଛି। ନୂଆ ସରକାର ଗଠନ ହେବା ପରେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ଘୋଷଣା କରିବା ପରେ ସହରବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ପିଲାମାନେ ପୁଣିଥରେ ନିଜ ଘର ପାଖ ସ୍କୁଲରେ ମାଗଣା ଶିକ୍ଷା ଗ୍ରହଣ କରିପାରିବେ ବୋଲି କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଶେଷ ଥର ପାଇଁ ୨୦୧୧ ମସିହାରେ ନୀଳଚକ୍ରନଗର ଓ ମୈତ୍ରୀବିହାରରେ ଦୁଇଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ନହେଲେ ୨୦୦୦ ମସିହାରୁ ଆଜି ଯାଏ ଗୋଟିଏ ହେଲେ ନୂଆ ହାଇସ୍କୁଲ ଖୋଲିନାହିଁ, ବରଂ ଛୋଟପିଲାଙ୍କ ପାଇଁ ବସ୍ତି, କଲୋନିରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି। ୨୦ରୁ କମ୍ ପିଲା ଥିବା ଦର୍ଶାଇ ୨୦୧୫-୧୬ ଶିକ୍ଷାବର୍ଷଠାରୁ ଅନେକ ସ୍କୁଲ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଉ ଯାହା ବି କିଛି ଥିଲା, ତାକୁ ମଧ୍ୟ ଧୀରେଧୀରେ ବନ୍ଦ କରାଯାଉଛି। ୨୦୨୩ରେ ପୂର୍ବ ସରକାର ସହରର ୪ଟି ସ୍କୁଲ ବନ୍ଦ କରିଥିଲେ। ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲା ପକାଇବାକୁ ହୋଇଥିବା ଉଦ୍ୟମ ଫେଲ୍ ମାରିଥିଲା। ଅଭିଭାବକ, ଛାତ୍ରୀଙ୍କ ପ୍ରବଳ ବିରୋଧ ଯୋଗୁଁ ଶେଷରେ ନିଷ୍ପତ୍ତିରୁ ରାଜ୍ୟ ସରକାର ଓହରିବା ସହ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନର ସରକାର ସମୟରେ କ’ଣ ନିଷ୍ପତ୍ତି ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ୟୁନିଟ୍-୨ ବାଳକ ଉଚ୍ଚ ବିଦ୍ୟାଳୟରେ ୨୦ରୁ ଅଧିକ ପିଲା ରହିଥିଲେ ମଧ୍ୟ ତାହାକୁ ବନ୍ଦ କରାଗଲା। ସେଠାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭିତ୍ତିଭୂମି କାମରେ ଲାଗି ନାହିଁ। ଇତିମଧ୍ୟରେ ଦେଢ଼ ବର୍ଷ ବିତିଯାଇଥିଲେ ନାମ ଫଳକରେ ସ୍କୁଲ ନାଁ ପୂର୍ବଭଳି ଶୋଭା ପାଉଛି। ଏହା ଏକ ଉଦାହରଣ ମାତ୍ର। ଏମିତି ଭାବେ ସହରର ବିଭିନ୍ନ ସ୍ଥାନରେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଅବ୍ୟବହୃତ ହୋଇରହିଛି।
ଉତ୍କଳ ଅଭିଭାବକ ମହାସଂଘ ସଭାପତି କୃଷ୍ଣଚନ୍ଦ୍ର ପତିଙ୍କ କହିବାନୁଯାୟୀ, ବିଜେଡି ସରକାର ସମୟରେ ଶିକ୍ଷାର ବ୍ୟବସାୟୀକରଣ କରାଯାଉଥିଲା। ୨୦୦୦ ମସିହା ପରଠାରୁ ସହରରେ ମାତ୍ର ୧୧ଟି ସରକାରୀ ସ୍କୁଲ୍ ଖୋଲିଛି। ତାହା ପୁଣି କେବଳ ପ୍ରାଥମିକ ବିଦ୍ୟାଳୟ। ମାତ୍ର ଏହି ସମୟ ମଧ୍ୟରେ ସହରରେ ୨୦୩ଟି ଘରୋଇ ସ୍କୁଲ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଘରୋଇ ସଂସ୍ଥାଗୁଡ଼ିକଠାରୁ ରାଜ୍ୟ ସରକାର ପ୍ରଚୁର ଅର୍ଥ ପାଉଥିବାରୁ ସେମାନଙ୍କୁ ଜାଗା ଯୋଗାଇବା ସହ ସମସ୍ତ ପ୍ରକାର ସୁବିଧା ଦେଉଥିଲେ। ସରକାରୀ ବିଦ୍ୟାଳୟରେ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ପିଲା କମ୍ ଦର୍ଶାଇ ବନ୍ଦ କରି ଚାଲିଥିଲେ। ବର୍ତ୍ତମାନର ନୂଆ ସରକାର ବନ୍ଦ ସ୍କୁଲଗୁଡ଼ିକର ତାଲା ଖୋଲିବାକୁ ନିଷ୍ପତ୍ତି ନେବା ଖୁସିର ବିଷୟ। ମାତ୍ର ତାହା କେତେଦୂର କାର୍ଯ୍ୟକାରୀ ହୋଇପାରିବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଉଛି। କାରଣ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ କଥା ସହ ଅନ୍ୟ ଜଣଙ୍କର କଥା ମେଳ ଖାଉ ନାହିଁ। ପରସ୍ପର ଭିତରେ ଟଣାଓଟରା ହେଉଥିବାରୁ ସମସ୍ୟା ସୃଷ୍ଟି ହେଉଛି।