ସକାଳୁ ଓୟୁଏଟିରେ ‘୫-ଟି’ ସଚିବ : ଭିତ୍ତିଭୂମି ପାଇଁ ହେବ ବଡ଼ ଘୋଷଣା

ଭୁବନେଶ୍ବର : କିଛି ଦିନ ହେବ ରାଜ୍ୟର ପର୍ଯ୍ୟଟନ ସ୍ଥଳୀ, ମନ୍ଦିର, ଐତିହ୍ୟ ସ୍ଥଳ ବୁଲି ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ‘୫-ଟି’ ସଚିବ ଭି. କାର୍ତିକେୟନ ପାଣ୍ଡିଆନ୍ ଆଜି ସକାଳୁ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ପହଞ୍ଚିଥିଲେ। ଭୋର ପ୍ରାୟ ୬ଟା ବେଳେ ତାଙ୍କ ଗାଡ଼ି ବିଶ୍ବବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ବିଶ୍ବବିଦ୍ୟାଳୟର କର୍ମଚାରୀ ଓ ସୁରକ୍ଷା କର୍ମୀ ହଡ଼ବଡ଼େଇ ଯାଇଥିଲେ। ତେବେ ଆଗୁଆ ଖବର ପାଇଁ ବିଶ୍ବବିଦ୍ୟାଳୟର କେତେଜଣ ଛାତ୍ର ତାଙ୍କୁ ସ୍ବାଗତ କରିବାକୁ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ରହିଥିଲେ। ଗାଡ଼ିରୁ ଓହ୍ଲାଇବା କ୍ଷଣି ‘୫-ଟି’ ସଚିବ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବୁଲିବାକୁ ବାହାରିଥିଲେ।

ପ୍ରଥମେ ବେସିକ୍‌ ସାଇନ୍ସ କଲେଜରେ ନିର୍ମାଣ ହେବାକୁ ଥିବା ଛାତ୍ରାବାସ ଓ ଛାତ୍ରୀନିବାସ ପାଇଁ ସ୍ଥିର ହୋଇଥିବା ଜାଗା ଅନୁଧ୍ୟାନ କରିଥିଲେ। ପ୍ରାୟ ୧୦ ମିନିଟ୍‌ ଧରି ବୁଲି ଦେଖିବା‌ ସହ କଲେଜ ନିର୍ଦେଶକ ବିକାଶ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଏହାପରେ କୃଷି ମହାବିଦ୍ୟାଳୟର ୨ ନମ୍ବର ହଷ୍ଟେଲରେକୁ ଯାଇଥିଲେ। ସେଠାରେ ହଷ୍ଟେଲ ଅବସ୍ଥା ଦେଖି ଅସନ୍ତୋଷ ବ୍ୟକ୍ତ କରିବା ସହ ମରାମତି ପାଇଁ ପରାମର୍ଶ ଦେଇଥିଲେ। ତାଙ୍କର ଅଚାନକ ପରିଦର୍ଶନ ଦେଖି ଛାତ୍ରମାନେ ବିଭିନ୍ନ ହଷ୍ଟେଲ ଯିବାକୁ ଅନୁରୋଧ କରିଥିଲେ। ତେବେ ବିଶ୍ବବିଦ୍ୟାଳୟର ସବୁଠାରୁ ଖରାପ ହୋଇଥିବା ହଷ୍ଟେଲ ବୁଲିବାକୁ ଇଚ୍ଛା ପ୍ରକାଶ କରିବାରୁ ପିଲାମାନେ ତାଙ୍କୁ ୭ ନମ୍ବର ହଷ୍ଟେଲକୁ ‌ନେଇ ଯାଇଥିଲେ। ସେଠାକାର ସ୍ଥିତି ଦେଖି ସେ ଆଶ୍ବର୍ଯ୍ୟ ଚକିତ ହେବା ସହ ଉକ୍ତ ହଷ୍ଟେଲକୁ ତୁରନ୍ତ ଭାଙ୍ଗିବା ସହ ବିଶ୍ବସ୍ତରୀୟ ହଷ୍ଟେଲ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ। ପାଣ୍ଡିଆନ୍‌ ବୁଲୁଥିବା ନେଇ ଖବର ପାଇବା ପରେ ଓୟୁଏଟି କୁଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ ପହଞ୍ଚିଥିଲେ। ଏହାପରେ ଉଭୟ ୩ ନମ୍ବର ଛାତ୍ରୀନିବାସ ଯାଇଥିଲେ।

ଶ୍ରୀ ପାଣ୍ଡିଆନ୍‌ କୃଷି ବିଭାଗର ଛାତ୍ର ହୋଇଥିବାରୁ ଓୟୁଏଟି ଅଧୀନରେ ଥିବା କୃଷି ମହାବିଦ୍ୟାଳୟର ଲାବରେଟୋରି ଓ କ୍ଲାସରୁମ୍‌ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ସକାଳୁ ବିଶ୍ବବିଦ୍ୟାଳୟର କୌଣସି କର୍ମଚାରୀ ନ ଥିବାରୁ ଗୃହଗୁଡ଼ିକ ଖୋଲାଯାଇ ପାରି ନ ଥିଲା। ଗୋଟିଏ କ୍ଲାସରୁମ୍‌ ଅବସ୍ଥା ଦେଖି ସେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ସ୍ମାର୍ଟ କ୍ଲାସ ରୁମ୍‌ କରିବାକୁ ମତ ଦେଇଥିଲେ। ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଲାବରେଟୋରି ଓ ଲାଇବ୍ରେରି ବୁଲିପାରି ନ ଥି‌ଲେ। ହଷ୍ଟେଲ ଓ ଶ୍ରେଣୀଗୃହ ଦେଖିବା‌ ପରେ ସ୍ପୋର୍ଟସ କମ୍ପ୍ଲେକ୍ସ ଯାଇଥିଲେ। ସେଠାରେ ପଡ଼ିଆର ସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଓୟୁଏଟିରେ ଅତ୍ୟାଧୁନିକ କ୍ରୀଡ଼ା ପ୍ରାଙ୍ଗଣ, ଜିମ୍‌, ଇନ୍‌ଡୋର ‌ଷ୍ଟାଡିୟମ୍‌ କରିବାକୁ ମତ ଦେଇଥିଲେ। ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ପାଇଁ କେତେ ଟଙ୍କା ପାଉଛନ୍ତି ବୋଲି କୁଳପତି ପ୍ରଫେସର ଅଗ୍ରୱାଲଙ୍କଠାରୁ ଜାଣିବାକୁ ଚାହିଁଥିଲେ। ବାର୍ଷିକ ୧୫ରୁ ୨୦ କୋଟି ମିଳୁଥିବା କୁଳପତି ସୂଚନା ଦେବା ପରେ ଆସନ୍ତାବର୍ଷଠାରୁ ଭିତ୍ତିଭୂମି ଗ୍ରାଣ୍ଟ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ।

‘୫-ଟି’ ସଚିବ ଫେରିବା ପରେ ଓୟୁଏଟିର ଭିତ୍ତିଭୂମି ବିକାଶ ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ପୂର୍ତ୍ତ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ରହିଛନ୍ତି। ଏହି ପ୍ରତିନିଧି ଦଳ ଆସନ୍ତାକାଲି(ମଙ୍ଗଳବାର) ବିଶ୍ବବିଦ୍ୟାଳୟକୁ ଗସ୍ତ କରିବା ସହ ଭିତ୍ତିଭୂମି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର