‘ସଂଚାର’ର ପଞ୍ଚମ ସ୍ୱନକ୍ଷତ୍ର ଉତ୍ସବ

ସମ୍ବାଦପତ୍ର ଆଉ ନିରପେକ୍ଷ ହୋଇ ରହିନାହିଁ

ଭୁବନେଶ୍ୱର : ଅତୀତରେ ସମ୍ବାଦପତ୍ରଗୁଡ଼ିକ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ସଚେତନ ଥିଲେ। ସ୍ୱାଧୀନତା ପୂର୍ବରୁ ହେଉ ବା ପରେ ସମ୍ବାଦପତ୍ରଗୁଡ଼ିକ ସମାଜକୁ ବହୁଭାବରେ ପ୍ରଭାବିତ କରିଛନ୍ତି। ପୂର୍ବରୁ ସମ୍ବାଦପତ୍ର ଲାଭ କରିବା ଉଦ୍ଦେଶ୍ୟରେ ପ୍ରକଶ ପାଉ ନ ଥିଲା। ମାତ୍ର ଏବେର ସମ୍ବାଦପତ୍ରର ମାଲିକାନାସତ୍ତ୍ୱ ବ୍ୟବସାୟୀଙ୍କ ହାତକୁ ଚାଲି ଯାଇଛି। ଫଳରେ ସମ୍ବାଦପତ୍ର ଆଉ ନିରପେକ୍ଷ ହୋଇ ରହିନାହିଁ ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।

ଆଜି ଜୟଦେବ ଭବନରେ ‘ସଂଚାର’ର ପଞ୍ଚମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ସଂଚାର’ର ପ୍ରତିଷ୍ଠାତା ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାମଲ ଆହୁରି କହିଲେ, ଇଂରାଜୀ ସମ୍ବାଦପତ୍ରକୁ ମିଳୁଥିବା ବିଜ୍ଞାପନର ଦର ଆଞ୍ଚଳିକ ସମ୍ବାଦପତ୍ରକୁ ମିଳୁଥିବା ଦରଠାରୁ ଯଥେଷ୍ଟ ଅଧିକ। ନୂଆ ସମ୍ବାଦପତ୍ରକୁ କିଭଳି ବିଜ୍ଞାପନ ମିଳିବ ସେଥିପାଇଁ ଯତ୍ନବାଦ ହେବା ଦରକାର। କାର୍ଯ୍ୟକାରୀ ସାମ୍ବାଦିକ ଆଇନର ଧାରାରେ ପରିବର୍ତନ ନ ହେଲେ ସାମ୍ବାଦିକମାନଙ୍କୁ ସାମାଜିକ ସୁରକ୍ଷା କ୍ଷେତ୍ରରେ ସୁବିଧା ମିଳିବ ନାହିଁ। ତେଣୁ ସମ୍ବାଦପତ୍ର ବଞ୍ଚାଇ ରଖିବାକୁ ହେଲେ ସମସ୍ତେ ଏହା ପଢ଼ିବା ଓ କିଣିବା ଆବଶ୍ୟକ ବୋଲି ଶ୍ରୀ ସାମଲ କହିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଖବରର ଆବଶ୍ୟକତା ସବୁବେଳେ ରହିଛି। ମାତ୍ର ଏହି ଖବର ଆଗାମୀ ଦିନରେ ଛାପା ହୋଇ ଲୋକଙ୍କ ନିକଟରେ ପହଞ୍ଚିବ କି ନାହିଁ ତାହା ଏବେଠାରୁ କହିବା ସମ୍ଭବ ନୁହେଁ। ଏହାସହ ସମ୍ବାଦପତ୍ରର ଦୁଃଖ ପ୍ରତି ଗ୍ରାହକମାନେ ସଚେତନ ହେଲେ ସମ୍ବାଦପତ୍ର ଶିଳ୍ପ ବଞ୍ଚିପାରିବ। ଅନେକ ସମୟରେ ବିଜ୍ଞାପନର ଚାପ ଯୋଗୁଁ ସମ୍ବାଦପତ୍ରଗୁଡ଼ିକ ସବୁ କଥା ଲେଖିବା ସମ୍ଭବପର ହୋଇପାରି ନ ଥାଏ। ଏଭଳି କ୍ଷେତ୍ରରେ ବିନା ବିଜ୍ଞାପନରେ ପ୍ରକାଶିତ ହେଉଥିବା ସମ୍ବାଦପତ୍ରଗୁଡ଼ିକର ସ୍ୱାଧୀନତା ଅଧିକ। ସମ୍ବାଦପତ୍ରକୁ ଅଧିକ ଶସ୍ତାରେ ବିକ୍ରି କରିବା ଅର୍ଥ ହେଉଛି ଗଣମାଧ୍ୟମ ପ୍ରତି ଷଡ଼ଯନ୍ତ୍ର କରିବା। ଗ୍ରାହକମାନେ ଯଦି ସମ୍ବାଦପତ୍ରର ମୂଲ୍ୟ ଦେବାକୁ ପ୍ରସ୍ତୁତ ହୁଅନ୍ତି ତେବେ ବିଜ୍ଞାପନର ଚାପ ରହିବ ନାହିଁ। ରାଜ୍ୟ ସରକାର ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମ୍ମାନିତି ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ କହିଲେ, ସମ୍ବାଦପତ୍ର ହେଉଛି ଲୋକସ୍ୱରର ପ୍ରତିନିଧି। ତେବେ ଗତବର୍ଷ ଡର୍ବାନ ସମ୍ମିଳନୀରେ ସମ୍ବାଦପତ୍ର ଉପରେ ଲୋକଙ୍କ ଭରସା ତୁଟି ଯାଉଥିବା କଥା ଉଠିଥିଲା। ତଥ୍ୟର ବିଶ୍ୱସନୀୟତା ଓ ତର୍ଜମାରେ ମତ ନିର୍ମାଣକାରୀ ଶକ୍ତି ରହୁ ନ ଥିବା କୁହାଯାଇଥିଲା। ସମ୍ବାଦପତ୍ର ନିରପେକ୍ଷ ନ ହୋଇ ପକ୍ଷ ନେବା ଜରୁରୀ। କିନ୍ତୁ କିଭଳି ପକ୍ଷ ନେଉଛି ତାହା ଜଣାପଡ଼ିବା ଦରକାର ବୋଲି ସେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ‘ସଞ୍ଚାର’ର ସଂପାଦକ ପ୍ରଶାନ୍ତ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକାଶକ ସମ୍ବିତ ରାଉତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର