ସରକାରୀ କ୍ବାର୍ଟର୍ସରୁ ୬.୫ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ଦୁଇ ଗିରଫ, ୭୯ ହଜାର ଟଙ୍କା ଜବତ

ଭୁବନେଶ୍ବର: କ୍ୟାପିଟାଲ ଥାନା ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ସରକାରୀ କ୍ବାର୍ଟର୍ସରୁ କଳାକନା ବୁଲାଇଲେ। ନଗଦ ସାଢେ଼ ୬ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ। ପୁଲିସ ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଗିରଫ ମଧ୍ୟ କଲା। ପୁଲିସକୁ ଆଂଶିକ ସଫଳତା ମିଳିଥିବା ବେଳେ ଆଉ କେତେଜଣ ଫେରାର ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖରେ ୟୁନିଟ୍-୨ରେ ଏକ ସରକାରୀ ବାସଭବନରୁ ଦୁର୍ବୃତ୍ତ ପଶି ୬ ଲକ୍ଷ ୫୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଗତକାଲି ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ଼ଗଡ଼ ଅଧେଇଖାଲର ପ୍ରଭାତ କୁମାର ମହାନ୍ତି ଓରଫ୍ କାହ୍ନା ଓ ଦୀପକ ଦାସ। ଉଭୟଙ୍କ ଠାରୁ ୭୯ ହଜାର ଟଙ୍କା ଜବତ କରାଯାଇଛି। ଡିସିପିଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇଛି। ସେଥିରେ ଅଭିଯୋଗକାରୀଙ୍କ ନାଁ କିମ୍ବା କେଉଁ ଅଞ୍ଚଳରେ ଘଟଣା ଘଟିଛି ତାହା ଦର୍ଶାଯାଇ ନାହିଁ। ପ୍ରେସ ରିଲିଜ୍ ତଥ୍ୟ ଅନୁଯାୟୀ, ଅଭିଯୋଗକାରୀ ତାଙ୍କ ପରିବାର ଲୋକଙ୍କ ସହ ଗତ ୨୧ ତାରିଖରେ ପୂର୍ବାହ୍ନ ସାଢ଼େ ୧୦ଟାରେ କଟକ ଯାଇଥିଲେ। ଅପରାହ୍ନ ସାଢ଼େ ୫ଟାରେ ଫେରିବା ପରେ ଘର ତାଲା ଭଙ୍ଗାଯାଇ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। କିନ୍ତୁ ଏହି ମାମଲାର ଅଭିଯୋଗକାରୀ କିଏ? ଚୋରିର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ କିଏ? କ୍ୟାପିଟାଲ ଥାନା ପୁଲିସ କାହିଁକି ପରିଚୟ ଲୁଚାଉଛି? ଏହା ପଛରେ କି ଉଦ୍ଦେଶ୍ୟ ରହିଛି? ଏ ସବୁ ଘଟଣା ପୁଲିସର ଭୂମିକାକୁ ସନ୍ଦେହ ପରିସରକୁ ଟାଣି ଆଣିଛି। ଏ ସମ୍ପର୍କରେ କ୍ୟାପିଟାଲ ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ଅଭିଯୋଗକାରୀ ଜଣେ ସରକାରୀ କର୍ମଚାରୀ। ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର