‘ହୃଦୟକୁ ଛୁଉଁଥିବା ସାହିତ୍ୟ କାଳଜୟୀ’

ଶାନ୍ତିସେନାର ଛଅ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଶାନ୍ତିସେନା ପ୍ରକାଶନୀ ସଂସ୍ଥା ତରଫରୁ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ଏକା‌ସଙ୍ଗେ ୬ଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ନିତ୍ୟାନନ୍ଦ ପଣ୍ଡାଙ୍କ ‘ମହାବନ୍ୟା’, କମଳା ପ୍ରସାଦ ମହାପାତ୍ରଙ୍କ ‘ଉଦାସ ବଳୟ’, କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ତଥା ଗାଳ୍ପିକ ଶୈଳେନ୍ଦ୍ର କୁମାର ଜେନାଙ୍କ ‘ପଞ୍ଜୁରି’, ଔପନ୍ୟାସିକା ନମିତା ସାହୁଙ୍କ ‘ମୋହମୁକ୍ତି’, କବି ଶାରଦା ପ୍ରସାଦ ଆଚାର୍ଯ୍ୟଙ୍କ ‘ସ୍ୱର ଅନୁଭବର’, ଗାଳ୍ପିକ ବିଶ୍ୱନାଥ ନାୟକଙ୍କ ‘ମାଟିସ୍ୱର୍ଗ’ ଉନ୍ମୋଚିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସଭାପତିତ୍ୱ କରି କହିଥିଲେ, ହୃଦୟକୁ ଛୁଉଁଥିବା ସାହିତ୍ୟ ହିଁ କାଳଜୟୀ ସାହିତ୍ୟ। ସାହିତ୍ୟ ସମାଜକୁ ଯୋଡ଼େ, ଗଢ଼େ ଓ ପରିପୁଷ୍ଟ କରିଥାଏ। ମୁଖ୍ୟ ଅତିଥି ଶିକ୍ଷାବିତ୍‌ ତଥା ସାହିତ୍ୟିକ କମଳା ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଇଂ ବିଷ୍ଣୁ ସାହୁ ‘ପଞ୍ଜୁରି’, ଇପ୍ସିତା ଷଡ଼ଙ୍ଗୀ ‘ସ୍ୱର ଅନୁଭବର’, ପ୍ର. ହରେକୃଷ୍ଣ ଦାଶ ‘ମହାବନ୍ୟା’, ରଶ୍ମି ସାମଲ ‘ମୋହମୁକ୍ତି’, ଫକୀର ସିଂହ ‘ମାଟିସ୍ୱର୍ଗ’, ପ୍ର. ଦୁର୍ଗାପ୍ରସାଦ ଆଚାର୍ଯ୍ୟ ‘ଉଦାସ ବଳୟ’ର ସମୀକ୍ଷା କରିଥିଲେ। ଏହି ଅବସରରେ ସମସ୍ତ ଲେଖକ ନିଜ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶାନ୍ତିସେନାର ପ୍ରକାଶକ ରଜତରଶ୍ମି ସ୍ୱାଇଁ ସ୍ବାଗତ ଭାଷଣ ଦେଇଥିଲେ। କବୀ ତଥା ଅଧ୍ୟାପିକା ସୌଦାମିନୀ ବେହେରା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଯୋଜନା କରିଥିଲେ। ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର