ଷ୍ଟେସନ୍‌ରୁ ୬ ଶିଶୁ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ୍‌ରୁ ଆଜି ୬ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ରେଳବାଇ ଚାଇଲ୍ଡ ଲାଇନ୍ ସେମାନଙ୍କୁ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି ସମ୍ମୁଖରେ ଉପସ୍ଥାପନ କରିଛି। ସମିତିର ନିର୍ଦ୍ଦେଶକ୍ରମେ ସେମାନଙ୍କୁ ବିଶ୍ବଜୀବନ ସେବା ସଂଘ ଓ ରୁଚିକା ସେବା ସଂଘରେ ରଖାଯାଇଛି। ଉଦ୍ଧାର ଶିଶୁମାନଙ୍କର ବୟସ ୧୩ରୁ ୧୫ ବର୍ଷ ମଧ୍ୟରେ ହେବ। ସେମାନଙ୍କ ମଧ୍ୟରେ ୪ଜଣ ବାଳକ ରହିଥିବା ବେଳେ ୨ ଜଣ ନାବାଳିକା ରହିଛନ୍ତି। ଝାଡ଼ଖଣ୍ଡର ୨ବାଳକ ଏଣେତେଣେ ବୁଲୁଥିବା ବେଳେ ୧ ନମ୍ବର ପ୍ଲାଟଫର୍ମରେ ତାଙ୍କୁ ଚାଇଲ୍‌ଡ ଲାଇନ୍‌ ସଂଯୋଜକ ନେପାଲ ଘଡ଼େଇ ଠାବ କରିଥିଲେ। ପଚରାଉଚରା ପରେ ସେମାନଙ୍କର କେହି ଅଭିଭାବକ ନଥିବା ଜଣାପଡ଼ିଥିଲା। ‌ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେମାନେ କାମ କରିବା ପାଇଁ ଆସିଥିବା କହିଛନ୍ତି। ସେହିଭଳି ନାବାଳିକାଙ୍କ ମଧ୍ୟରୁ ଜଣେ ନିଜ ଦାଦାଙ୍କୁ ଖୋଜିଖୋଜି କରି ଏଠାରେ ପହଞ୍ଚିବା ପରେ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ଲାଟଫର୍ମରେ ବସିଥିଲା। ଅନ୍ୟ ଜଣେ ନାବାଳିକା ଓ ଜଣେ ନାବାଳକ ଘରୁ ରାଗି ଚାଲି ଆସିଥିବା କହିଛନ୍ତି। ଅନ୍ୟ ଜଣେ ନାବାଳକ କାମ କରିବା ପାଇଁ କୋଲକାତା ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିଲା। ଟ୍ରେନ୍‌ ବିଳମ୍ବ ହେବାରୁ ସମସ୍ତ ୬ଜଣ ଉଦ୍ଧାର ହୋଇଛନ୍ତି।

ସମ୍ବନ୍ଧିତ ଖବର