ଭୁବନେଶ୍ବର: ଏକ ଠକେଇ ମାମଲାର ଅଭିଯୁକ୍ତ ପ୍ରଭାତ ରଂଜନ ମଲ୍ଲିକକୁ ଗିରଫ କରିବାକୁ ରାଜଧାନୀରେ ଡେରା ପକାଇଛି ଝାଡ଼ଖଣ୍ଡ ପୁଲିସ। ପୁଲିସ ଆଜି ତାଙ୍କ ନୂଆପଲ୍ଲୀ ଘରେ ଚଢ଼ଉ କରିବା ବେଳେ ସେ ଅନୁପସ୍ଥିତ ଥିଲେ। ତାଙ୍କୁ ଗିରଫ କରିବାକୁ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ଉ କରିଥିବା ଜଣାଯାଇଛି। ସୂଚନାନୁସାରେ, ଝାଡ଼ଖଣ୍ଡ ଚିରକୁଣ୍ଡା ପୁଲିସ ଅଧୀନରେ ଏକ ଆଇରନ କମ୍ପାନିକୁ ୨୦୧୦ ମସିହାରେ ପ୍ରଭାତ କିଣିଥିଲେ। ଏ ନେଇ କମ୍ପାନି ମାଲିକ କାଜି ସକିଲ ଏକତାକୁ ସେ ୬ କୋଟି ଟଙ୍କାର ଏକ ଚେକ୍ ଦେଇଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ଚେକ୍ଟି ବାଉନ୍ସ ହୋଇଯାଇଥିଲା। ଏନେଇ ୨୦୧୯ ମସିହାରେ ସକିଲ ରାଞ୍ଚି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ପ୍ରଭାତଙ୍କୁ ହାଜର ହେବାକୁ ବାରମ୍ବାର ନୋଟିସ୍ କରିଥିଲେ ମଧ୍ୟ ସେ କୋର୍ଟରେ ହାଜର ହେଉନାହାନ୍ତି। ତେଣୁ ତାଙ୍କ ବିରୋଧରେ ସେଠାକାର ହାଇକୋର୍ଟ ଜାମିନ୍ ବିହୀନ ପରୱାନ ଜାରି କରିଛନ୍ତି। ୬ ମାସ ମଧ୍ୟରେ ତାଙ୍କୁ ଗିରଫ କରି ହାଜର କରାଇବାକୁ ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି।