ଭୁବନେଶ୍ୱର: କମିସନରେଟ୍ ପୁଲିସ ଭୁବନେଶ୍ୱରର ପରବର୍ତୀ ଡିସିପି କିଏ ହେବେ ଏହାକୁ ନେଇ ଏବେ ପୁଲିସ ମହଲରେ ଚର୍ଚା ଜୋର ଧରିଛି। ଏବର ଡିସିପି ସତ୍ୟବ୍ରତ ଭୋଇଙ୍କର ଡିଆଇଜି ର୍ୟାଙ୍କକୁ ପଦୋନ୍ନତି ଘଟିବା ପରେ ଡିସିପି ଦୌଡ଼ରେ ୬ ଜଣ ଯୁବ ଆଇପିଏସ୍ ଥିବାବେଳେ ଦୁଇ ଜଣ ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କ ନାଁ ଅଧିକ ଚର୍ଚାରେ ରହିଛି। ମୁଖ୍ୟତଃ ଭଦ୍ରକ ଏସ୍ପି ଅନୁପ କୁମାର ସାହୁ, କନ୍ଧମାଳ ଏସ୍ପି ମିତ୍ରଭାନୁ ମହାପାତ୍ର, ଅନୁଗୁଳ ଏସ୍ପି ବି୍ରଜେଶ କୁମାର ରାୟ, ସମ୍ବଲପୁର ଏସ୍ପି ସଂଜୀବ ଆରୋରା, ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ ଓ ଜଗତସିଂହପୁର ଏସ୍ପି ଜୟନାରାୟଣ ପଙ୍କଜ ପ୍ରମୁଖ ଏବେ ଡିସିପି ଦୌଡ଼ରେ ଥିବା ଜଣାପଡ଼ିଛି। ୨୦୦୬ ବ୍ୟାଚର ଆଇପିଏସ୍ ଅଫିସର ଅନୁପ କୁମାର ସାହୁ ଏବେ ଭଦ୍ରକ ଏସ୍ପି ଅଛନ୍ତି। ଭଦ୍ରକରେ ଦଙ୍ଗା ହେବା ପରେ ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସେଠାକୁ ରାତାରାତି ବଦଳି କରିଥିଲେ ରାଜ୍ୟ ସରକାର। ଅନୁପ ମଧ୍ୟ ଦଙ୍ଗାକୁ ଖୁବ୍ କମ୍ ଦିନ ମଧ୍ୟରେ ନିୟନ୍ତ୍ରଣକୁ ଆଣିଥିଲେ। ଯେଉଁଥିପାଇଁ ସେ ସରକାର ଓ ପୁଲିସ ବିଭାଗର ଆସ୍ଥାଭାଜନ ହୋଇ ପାରିଛନ୍ତି। ଏହା ପୂର୍ବରୁ ସେ ପୁରୀ ଓ ଯାଜପୁରରେ ଭଲ କାମ କରିଥିବା ନେଇ ରେକର୍ଡ ରହିଛି। ଏହାଛଡ଼ା ସେ ଜଣେ ଓଡ଼ିଆ ଆଇପିଏସ୍ ଅଫିସର ହୋଇଥିବାରୁ ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ତାଙ୍କ ପକ୍ଷରେ ସହଜ ହେବ ବୋଲି କୁହାଯାଉଛି।
ଅନୁପଙ୍କ ଭଳି ଅନ୍ୟ ଯେଉଁ ଓଡ଼ିଆ ଆଇପିଏସ୍ଙ୍କ ନାଁ ଚର୍ଚାକୁ ଆସୁଛି, ସେ ହେଉଛନ୍ତି ୨୦୧୦ ବ୍ୟାଚ୍ର ଆଇପିଏସ୍ ମିତ୍ରଭାନୁ ମହାପାତ୍ର। ମାଲାକାନାଗିରି ଏସ୍ପି ଥିବାବେଳେ ଏକାବେଳକେ ୨୮ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରି ସେ ଚର୍ଚାକୁ ଆସିଥିଲେ। ଏହାଛଡ଼ା ତାଙ୍କର ଗୁଇନ୍ଦା ଓ ଅପରାଧ ନିୟନ୍ତ୍ରଣ ଉପରେ ବିଶେଷ ଦକ୍ଷତା ରହିଛି। ମିତ୍ରଭାନୁଙ୍କ ପରେ ଯେଉଁ ଆଇପିଏସ୍ଙ୍କ ନାଁ ବେଶି ଚର୍ଚା ହେଉଛି, ସେ ହେଉଛନ୍ତି ୨୦୦୫ ମସିହାର ଆଇପିଏସ୍ ଅଫିସର ତଥା ସମ୍ବଲପୁର ଏସ୍ପି ସଂଜୀବ ଆରୋରା। ତାଙ୍କର ପୂର୍ବରୁ କମିସନରେଟ ପୁଲିସରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ଡି’ ବ୍ରଦର୍ସ ଓ ତାଙ୍କ ଗ୍ୟାଙ୍ଗକୁ ସଫା କରିବାରେ ସଂଜୀବଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ଏହାଛଡ଼ା ବର୍ତମାନର ଡିଜି ଓ ପୁଲିସ କମିସନରଙ୍କ ସେ ଖୁବ ବିଶ୍ୱସ୍ତ ଅଫିସର ଭାବେ ଜଣାଶୁଣା। ଦୌଡ଼ରେ ଥିବା ଅନୁଗୁଳ ଏସ୍ପି ତଥା ୨୦୦୯ ବ୍ୟାଚର ଆଇପିଏସ୍ ଅଫିସର ବ୍ରିଜେଶ କୁମାର ରାୟ ମଧ୍ୟ ଜଣେ ଦକ୍ଷ ଅଫିସର। କଳାହାଣ୍ଡି ଏସ୍ପି ଥିବାବେଳେ ତାଙ୍କର ନକ୍ସଲ ବିରୋଧୀ ଅପରେସନ ପ୍ରଶଂସନୀୟ ଥିଲା। ବି୍ରଜେଶ ନିଜ ଆଡୁ କମିସନରେଟ୍ ପୁଲିସକୁ ଆସିବାକୁ ଇଚ୍ଛୁକ ବୋଲି ଶୁଣିବାକୁ ମିଳୁଛି। ଅନ୍ୟମାନଙ୍କ ମଧ୍ୟରେ ୨୦୦୭ ବ୍ୟାଚର ଆଇପିଏସ୍ ତଥା ପୁରୀ ଏସ୍ପି ସାର୍ଥକ ଷଡଙ୍ଗୀ, ୨୦୦୫ ଆଇପିଏସ୍ ତଥା ଜଗତସିଂହପୁର ଏସ୍ପି ଜେଏନ୍ ପଙ୍କଜଙ୍କ ନାଁକୁ ନେଇ ବି ଚର୍ଚା ହେଉଛି।
ଭୁବନେଶ୍ୱର ଡିସିପି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦ ଭାର ସମ୍ଭାଳିବା ଏକ କଷ୍ଟକର ବ୍ୟାପାର। ଦୈନନ୍ଦିନ ଆଇନଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ସହିତ ଭିଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ଓ ଅପରାଧ ନିୟନ୍ତ୍ରଣ ଉପରେ ଯାହାର ଦକ୍ଷତା ଓ ଅଭିଜ୍ଞତା ଅଧିକ ଥିବ ସେ ହିଁ ଏଭଳି ଏକ ଗୁରୁତ୍ୱପୂର୍ଣ ପଦବି ପାଇବେ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସେହିଭଳି ଜଣେ ଆଇପିଏସ୍ଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ ଯାହାଙ୍କର ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ କରିବାର ଅସୀମ ଧୈର୍ଯର୍୍ୟ ଥିବ। ଏଭଳି ପରିସ୍ଥିତିରେ କିଛି ଦିନ ତଳେ ଭଦ୍ରକ ଏସ୍ପି ଅନୁପ ସାହୁ ଓ କନ୍ଧମାଳ ଏସ୍ପି ମିତ୍ରଭାନୁ ମହାପାତ୍ର ପ୍ରମୁଖ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ତାଙ୍କ କ୍ୟାମ୍ପ ଅଫିସରରେ ଭେଟଥିବାରୁ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣକୁ ଡିସିପି ଭୁବନେଶ୍ୱର ଭାବେ ଦାୟିତ୍ୱ ପ୍ରଦାନ କରାଯାଇପାରେ ବୋଲି ଅଧିକ ଚର୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ips-anup-sahoo.jpg)