ହାବିଲଦାରଙ୍କୁ ଆକ୍ରମଣ ଘଟଣାରେ ୬ କିନ୍ନର ଗିରଫ

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ୍ ଫାଣ୍ଡିର ହାବିଲଦାର ଦିନେଶ ବିଶ୍ବାଳଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଦେବା ଘଟଣାରେ ଭରତପୁର ପୁଲିସ୍‌ ଆଜି ୬ଜଣ କିନ୍ନରଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ପୋଖରୀପୁଟ କାର୍ଗିଲ ବସ୍ତିର ରାଜୁ ବେହେରା ଓରଫ ରିନି(୧୯), ସାଗର ଦାସ ଓରଫ ଶାଳିନୀ (୨୧), ପାପୁନ ସେଠୀ ଓରଫ ଲୋପା (୧୯), ନନ୍ଦ ଜେନା ଓରଫ ସୁନି, ତାରିଣୀ ବସ୍ତିର ତୋଫାନ ନାୟକ ଓରଫ ଦୀପାଳି(୧୯) ଓ କଳିଙ୍ଗ ଷ୍ଟୁଡ଼ିଓ ଛକ‌ରେ ରହୁଥିବା ସୁଜିତ ମଲିକ ଓରଫ ରେହେନା (୧୯)।

ମିଳିଥିବା ସୂଚନା ମୁତାବକ, ଗତରାତିରେ ଏହି ଅଭିଯୁକ୍ତମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଯାତ୍ରୀଙ୍କୁ ଲୁଟ୍‌ପାଟ କରୁଥିଲେ। ଖବର ପାଇ ହାବିଲଦାର ଦିନେଶ ବିଶ୍ବାଳ ଜଣେ ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପହଞ୍ଚିବା ଦେଖି କିନ୍ନରମାନେ ଦିନେଶଙ୍କୁ ଏକ ଲୁହା ରଡ୍‌ରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥି‌ଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍‌କୁ ମାଡ଼ ମାରୁଥିବା ଦେଖି ସ୍ଥାନୀୟ ଲୋକେ କିନ୍ନରଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ବରମୁଣ୍ଡା ଗାଁରୁ ପ୍ରାୟ ୧୦ରୁ ଅଧିକ କିନ୍ନର ଗୋଷ୍ଠୀ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଆହୁରି ବଢ଼ାଇଥିଲେ। ଏହି ଘଟଣାରେ ପୁଲିସ ୬ଜଣ କିନ୍ନରଙ୍କୁ ଗତକାଲି ବିଳମ୍ବିତ ରାତିରେ ଅଟକ ରଖିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରାୟ ୧୫ଦିନ ତଳେ ସମାନ ଘଟଣାରେ ଏକାଧିକ କିନ୍ନରଙ୍କୁ ବରମୁଣ୍ଡା ଫାଣ୍ଡିରେ ଅଟକ ରଖାଯାଇଥିଲା। ଏହା ପରେ ଯାତ୍ରୀଙ୍କ ଜିନିଷ ଫେରାଇବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧିତ ଖବର