୬ ଲକ୍ଷ ମହିଳା ଏସ୍‌ଏଚ୍‌ଜି ଓଡ଼ିଶାର ବଡ଼ ଶକ୍ତି: କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗରେ ଦକ୍ଷତା ବିକାଶ ପାଇଁ ପରାମର୍ଶ

ୱେଲ୍ଡିଂ, ପ୍ଲମ୍ବିଂ ଏବଂ ରୋବୋଟିକ୍ସରେ ଓଡ଼ିଆ ଝିଅ ବେଶି ସଫଳ

ଭୁବନେଶ୍ବର: ଓଡ଼ିଶା ଦେଶରେ ଉଦ୍ୟୋଗୀମାନଙ୍କ ରାଜଧାନୀ ହୋଇ ସାରିଛି। ଛଅ ଲକ୍ଷ ମହିଳା ଏସ୍‌ଏଚ୍‌ଜି ରାଜ୍ୟର ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ର ପାଇଁ ବଡ଼ ଶକ୍ତି। କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ସହରାଞ୍ଚଳର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀମାନେ ଗ୍ରାମସ୍ତରରେ ମାଇକ୍ରୋ ଉଦ୍ୟୋଗୀମାନଙ୍କ ସହ ସହଭାଗିତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି। ବ୍ୟବସାୟରେ ମହିଳାଙ୍କୁ ନେଇ ହୋଇଥିବା ଆଲୋଚନାରେ ସେ କହିଛନ୍ତି, ଆମେ ଛୋଟ ଥିବାବେଳେ ଝିଅମାନଙ୍କୁ କେବଳ ଡାକ୍ତର କିମ୍ବା ଶିକ୍ଷକ ହେବା ପାଇଁ ପରାମର୍ଶ ଦିଆଯାଉଥିଲା। ୧୮ ବର୍ଷ ବୟସରେ ଦେଶର ପ୍ରଥମ ମହିଳା ଆଇପିଏସ କିରଣ ବେଦିଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ୧୯୭୭ ମସିହାରେ ରାଜ୍ୟ ଛାଡ଼ିବା ବେଳକୁ ଓଡ଼ିଶାରେ ଜଣେ ମଧ୍ୟ ମହିଳା ଆଇଏଏସ ନଥିଲେ। କିନ୍ତୁ ଆଜି ବ୍ୟବସ୍ଥାର ପରିବର୍ତ୍ତନ ହୋଇ ସାରିଛି। ଆଇଏଏସ, ଆଇପିଏସ କିମ୍ବା ଇଞ୍ଜିନିୟର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଦେଖିବା ସାଧାରଣ ହୋଇ ସାରିଛି। ଏଥିପଛର କାରଣ ହେଲା ଶିଶୁ ଅବସ୍ଥାରୁ ହିଁ ଝିଅକୁ କୁହାଯାଉଛି ସେ ଯାହା ଚାହିଁଲେ ତାହା ହୋଇ ପାରିବ। ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ତାହା ହିଁ ଦେଖାଯାଉଛି।

କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗରେ ଦକ୍ଷତା ବିକାଶ ପାଇଁ ପରାମର୍ଶ
ୱେଲ୍ଡିଂ, ପ୍ଲମ୍ବିଂ ଏବଂ ରୋବୋଟିକ୍ସରେ ଓଡ଼ିଆ ଝିଅ ବେଶି ସଫଳ
ଉଦ୍ୟୋଗରେ ମହିଳାଙ୍କୁ ନେଇ ସୁବ୍ରତ ବାଗ୍‌ଚିଙ୍କ ସହ ଆଲୋଚନା

ଆଜି ବ୍ୟବସାୟ କ୍ଷେତ୍ରରେ ଅନେକ ମହିଳା ପ୍ରବେଶ କରିସାରିଛନ୍ତି। ବ୍ୟବସାୟରେ ବିଫଳତା ବାସ୍ତବତା। କିନ୍ତୁ ଜଣେ ମହିଳା ବିଫଳ ହେଲେ ତାଙ୍କୁ ହତୋତ୍ସାହିତ କରାଯାଏ। ଚାକିରି କର, ଘରେ ରୁହ କିମ୍ବା ଛୁଆମାନଙ୍କ ଯତ୍ନ ନିଅ ଭଳି ପରାମର୍ଶ ଦିଆଯାଏ। ବିଶ୍ବରେ ଜନସଂଖ୍ୟାର ୫୦ ପ୍ରତିଶତ ମହିଳା କିନ୍ତୁ ସଙ୍ଗଠିତ କ୍ଷେତ୍ରରେ ସେମାନଙ୍କ ଅନୁପାତ ୨୦ ପ୍ରତିଶତ ମଧ୍ୟ ନୁହେଁ। ଉଦ୍ୟୋଗ କ୍ଷେତ୍ରରେ ଏହା ଆହୁରି କମ। ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ମହିଳାମାନଙ୍କୁ ଶିକ୍ଷା, ନିଯୁକ୍ତି ଏବଂ ଉଦ୍ୟୋଗ କ୍ଷେତ୍ରରେ ହେଉ କି ସେମାନଙ୍କୁ ବ୍ୟାପକ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ପିଢ଼ିଗତ ଭାବରେ ଯେଉଁ ଭୁଲ କରାଯାଇଛି ତାର ସୁଧାର ଆବଶ୍ୟକତା ରହିଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଲିଙ୍ଗଗତ ବିଷମତାର ପାରମ୍ପରିକ ବିଶ୍ବାସରୁ ମୁକ୍ତ ହୋଇ ପାରିଛି। ଏଠାରେ ଝିଅମାନଙ୍କୁ ଆଇଟିଆଇ, ପଲିଟେକନିକ ଭଳି କ୍ୟାରିୟରରେ ପ୍ରୋତ୍ସାହିତ କରାଯାଏ। ‌ୱେଲ୍ଡିଂ ପ୍ଲମ୍ବିଂ ଏବଂ ରୋବୋଟିକ୍ସ ଭଳି କ୍ଷେତ୍ରରେ ଓଡ଼ିଆ ଝିଅମାନେ ସଫଳତା ହାସଲ କରିଛନ୍ତି। ୬ ବର୍ଷ ମଧ୍ୟରେ ଏଠାରେ ଉଦ୍ୟୋଗ ବିକାଶ, ଦକ୍ଷତା ପ୍ରଶିକ୍ଷାର୍ଥୀଙ୍କୁ ପ୍ରାଥମିକତା ଦିଆଯାଉଛି। ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ଓଡ଼ିଶାରେ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ସୃଷ୍ଟିର ଧାରାକୁ ହରାଇଛି। ଏଥିଯୋଗୁଁ ସେହି ରାଜ୍ୟ ଅପେକ୍ଷା ଏଠାରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇ ପାରିନାହିଁ। ବିଶେଷକରି କୃଷି, ଉତ୍ପାଦନ ଏବଂ ସେବାରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଶ୍ରୀ ବାଗ୍‌ଚି କହିଛନ୍ତି।

ସମ୍ବନ୍ଧିତ ଖବର