ଭୁବନେଶ୍ବର: ଘରେ ବସି ରୋଜଗାର କରିବା ପାଇଁ ମହିଳା ଚିନ୍ତା କରୁଥିଲେ। ହ୍ବାଟସଆପରେ ତାଙ୍କୁ ଘରୁ କାମ କରି ଟଙ୍କା ରୋଜଗାର କରିବାର ଅଫର ଆସିଲା। ମହିଳା ଏକ ଗ୍ରୁପରେ ଯୋଗ ଦେବା ପରେ ଲିଙ୍କରେ କ୍ଲିକ୍ କରିବା ପାଇଁ କୁହାଗଲା। କିଛି କାମ କରିବା ପାଇଁ କହି ଠକ ତାଙ୍କ ଠାରୁ ୬ ଲକ୍ଷ ଲୁଟି ନେଲେ। ଏ ନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ରାଜସ୍ବ ବିହାର ସେଣ୍ଟ୍ରାଲ ରେଭିନ୍ୟୁ କଲୋନୀରେ ରହନ୍ତି ସୁଶାନ୍ତ କୁମାର ମିଶ୍ର। ଗତ ୨ ତାରିଖରେ ତାଙ୍କ ପତ୍ନୀଙ୍କ ହ୍ବାଟସଆପକୁ ଵାର୍କ ଫ୍ରମ୍ ହୋମ୍ ଚାକିରି ନାଁରେ ଏକ ମେସେଜ୍ ଆସିଥିଲା। ଘରୁ କାମ କରିବା ପାଇଁ ସେ ରାଜି ହେବା ପରେ ତାଙ୍କୁ ଏକ ଟେଲିଗ୍ରାମ୍ ଗ୍ରୁପରେ ଆଡ୍ କରା ଯାଇଥିଲା। ଏହା ପରେ ଦିଆ ଯାଇଥିବା ଏକ ଲିଙ୍କ୍‌କୁ କ୍ଲିକ୍ କରିବା ପାଇଁ ତାଙ୍କୁ କୁହା ଯାଇଥିଲା। ଏହା ପରେ ତାଙ୍କୁ ୟୁ-ଟ୍ୟୁବ୍ ଭିଡିଓ ଲାଇକ୍, ସେୟାର କରିବା ପାଇଁ କୁହା ଯାଇଥିଲା। ସେ ଏହାକୁ ଲାଇକ୍ ସେୟାର କରିବା ପରେ କିଛି ଅର୍ଥ ପାଇଥିଲେ। ସେଲିବ୍ରିଟି, ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଭିଡିଓ ଲାଇକ୍, ସେୟାର କଲେ ଅଧିକ ଟଙ୍କା ମିଳିବ ବୋଲି ଠକମାନେ କହିଥିଲେ। ଏଥିପାଇଁ କିଛି ଅର୍ଥ ଦେଲେ ତାଙ୍କୁ ଟଙ୍କା ମିଳିବ ବୋଲି କୁହା ଯାଇଥିଲା। ମହିଳା ଜଣକ ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କୁ କିଛି ମିଳି ନ ଥିଲା। ଏକା ଥରକେ ଲକ୍ଷାଧିକ ଟଙ୍କା ମିଳିବାର ଲୋଭ ଦେଖାଇଥିଲେ ଠକ। ଏମିତି କରି ମହିଳାଙ୍କ ଠାରୁ ୬ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହାକୁ ଟେଲିଗ୍ରାମ ଠକେଇ ବୋଲି କୁହାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍ ନଂ-୬୭/୨୩ ଓ ଆଇପିସି ଦଫା-୪୧୯,୪୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।