ଖଣ୍ଡଗିରି: ରାଜଧାନୀ ଓ ୧୬ ନମ୍ବର ଜାତୀୟ ରାଜପଥରେ ସକ୍ରିୟ ଥିବା ଏକ କୁଖ୍ୟାତ୍ ୬ ଜଣିଆ ଛିନ୍ତାଇ ଗ୍ୟାଙ୍ଗ୍କୁ ଖଣ୍ଡଗିରି ଥାନା ପୁଲିସ ଠାବ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭରତପୁରରେ ରହୁଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଦେବୀପ୍ରସାଦ ଜେନା(୨୦) ଓରଫ୍ ବୁବୁ, ବାଲିପାଟଣା ମିଶ୍ର ସାହିର ପ୍ରଭୁଦେବ ତ୍ରିପାଠୀ(୨୩) ଓରଫ୍ ରିଙ୍କୁ, ପୋଖରୀପୁଟ ଅଞ୍ଚଳର ସନାତନ ବେହେରା(୨୧) ଓରଫ୍ ସନିଆ, ଖୋର୍ଧା ବୋଲଗଡ଼ର ରାଜେଶ ବେହେରା(୨୦) ଓରଫ୍ ଚେଙ୍ଗ, ବରମୁଣ୍ଡାରେ ରହୁଥିବା ଜଟଣୀ ଦେଉଳବସ୍ତର ଦୀପକ ସାହୁ(୧୯) ଓରଫ୍ ଦୀପୁ ଓ ବାଲେଶ୍ବର ସିମୁଳିଆର ଚନ୍ଦନ କୁମାର ଦାସ(୨୪)। ଏହି ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ବୁବୁ। ଏହି ଗ୍ୟାଙ୍ଗ୍ ନାମରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ସହିଦନଗର ଆଦି ଥାନାରେ ବହୁ ଆପରାଧିକ ମାମଲା ରହିଛି। ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ବୋମାମାଡ଼ ଘଟଣାରେ ବୁବୁ, ଚେଙ୍ଗ ଓ ଦୀପୁର ସମ୍ପୃକ୍ତି ଥିବା ଜଣାପଡ଼ିଛି। ସେମାନଙ୍କୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ସୂଚନାନୁସାରେ ଗତ ୨୪ ତାରିଖ ଭୋର୍ ପ୍ରାୟ ସାଢ଼େ ୩ଟାବେଳେ ଆଇଗିଣିଆ କୁବେରପୁରୀ ନିକଟରୁ ଏହି ଗ୍ୟାଙ୍ଗ୍ ଏକ ଟ୍ରକ୍ରୁ ଲୁଟ୍ପାଟ୍ କରିଥିଲେ। କୋଲକାତାରୁ ଆଳୁ ନେଇ ଆସିଥିବା ଏକ ଟ୍ରକ୍ ସକାଳେ ମାଲ୍ ଖାଲି କରିବା ପାଇଁ ପେଟ୍ରୋଲ ପମ୍ପ ନିକଟରେ ଅପେକ୍ଷା କରିଥିଲା। ବୁବୁ ଗ୍ୟାଙ୍ଗ୍ ଡ୍ରାଇଭର ଜଗନ୍ନାଥ ଦାସ ଓ ତାଙ୍କ ହେଲ୍ପରଙ୍କୁ ମାରଣାସ୍ତ୍ର ଦେଖାଇ ୩ ହଜାର ଟଙ୍କା ଓ ୨ଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ୬ ଜଣଯାକ ଗୋଟିଏ ବୁଲେଟ୍, ଗୋଟିଏ ପଲସର ୨୨୦ ଓ ହୋଣ୍ଡା ଆକ୍ଟିଭାରେ ଆସିଥିଲେ। ଡ୍ରାଇଭର ଜଗନ୍ନାଥ ଦାସ ଖଣ୍ଡଗିରି ଥାନା ପୁଲିସକୁ ଦୁର୍ବୃତ୍ତମାନଙ୍କ ବାବଦରେ ସୂଚନା ଦେବା ପରେ ପୁଲିସ ସେମାନଙ୍କ ପିଛା କରିଥିଲା। ଗତ କିଛି ଦିନ ହେଲା ଖଣ୍ଡଗିରି ଥାନା ଅଞ୍ଚଳରେ ଜାତୀୟ ରାଜପଥ ହେଉ କି ବିଭିନ୍ନ କଲୋନି ଭିତରେ ବାରମ୍ବାର ଦୁର୍ବୃତ୍ତମାନେ ଛିନ୍ତାଇ ଓ ରାହାଜାନି କରୁଥିବା ଅଭିଯୋଗ ହୋଇ ଆସୁଥିବାରୁ ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇଥିଲା।
ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ବୁଲେଟ୍କୁ ଟାର୍ଗେଟ୍ କରି ପୁଲିସ ସେମାନଙ୍କୁ ପିଛା କରିଥିଲା। ତେଣୁ ଆଇଗିଣିଆ କୁବେରପୁରୀ ଭିତରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍କୁ ଯାଞ୍ଚ କରାଯାଇଥିଲା। କୁବେରପୁରୀ ଭିତରେ ବୁବୁ ବୁଲେଟ୍ ଧରି ପଇଁତରା ମାରୁଥିବା ଫୁଟେଜ୍ ପୁଲିସକୁ ସେମାନଙ୍କ ନିକଟରେ ପହଞ୍ଚାଇବା ବାଟ ସହଜ କରି ଦେଇଥିଲା। ଭରତପୁରରୁ ବୁବୁକୁ ଉଠାଇବା ପରେ ତା’ ସୂଚନାକୁ ଆଧାର କରି ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଡ୍ରାଇଭର ଓ ହେଲପରଙ୍କ ମୋବାଇଲ୍ ଫୋନ୍ ସେଟ୍ ସହ ଲୁଟ୍ବେଳେ ବ୍ୟବହୃତ ମାରଣାସ୍ତ୍ର ଓ ୩ଟି ବାଇକ୍ ଜବତ କରାଯାଇଛି।