ଭୁବନେଶ୍ୱର: ଇସ୍କନ୍ ମନ୍ଦିର ସମ୍ମୁଖରୁ କିପରି ପାଣି ନିଷ୍କାସନ ହେବ ଏବଂ ନୂଆପଲ୍ଲୀ ଅଞ୍ଚଳରେ ଲୋକ ଜଳବନ୍ଦୀ ନହେବେ ସେଥିପାଇଁ ମୁଖ୍ୟ ଡ୍ରେନ୍ ୧୦ର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ। ଏହି ଡ୍ରେନ୍ ନୂଆପଲ୍ଲୀର ଯେଉଁ ସ୍ଥାନରୁ ବାହାରିଛି ସେଠାରୁ ବିଦ୍ୟୁତ ମାର୍ଗ ପର୍ଯ୍ୟନ୍ତ ଡ୍ରେନ୍ର ଓସାର ୧୨ମିଟର ହେବ। ଡ୍ରେନ୍ର ଉଭୟ ପାର୍ଶ୍ୱରେ କଙ୍କ୍ରିଟ ପାଚେରି ନିର୍ମାଣ କରିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି। ବିଏମ୍ସି କମିସନର୍ କ୍ରିଷନ କୁମାର ବୁଧବାର ନୂଆପଲ୍ଲୀ ଅଞ୍ଚଳ ପରିଦର୍ଶନ କରିବା ପରେ ଜାତୀୟ ରାଜପଥରୁ କିପରି ବର୍ଷା ଜଳ ନିଷ୍କାସନ ସେନେଇ ବହୁତ ପଦକ୍ଷେପ ନେଇଛନ୍ତି। ଆଜି ମୁଖ୍ୟ ଡ୍ରେନ୍ ୧୦ର ସମ୍ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଏମ୍ସିର ଡ୍ରେନେଜ୍ ଡିଭିଜନ ଏବଂ ବିଡିଏ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ଏହି ଡ୍ରେନ୍ ଯାଇଥିବା ଅଞ୍ଚଳ ପରିଦର୍ଶନ କରିବା ସହ କେତେ ଜମି ଅଧିଗ୍ରହଣ ହେବ, କେତେ ଜବରଦଖଲ ଅଛି, କେତେ ଟଙ୍କା ଖର୍ଚ୍ଚ ହେବ ତାହାର ସର୍ଭେ କରି ରିପୋର୍ଟ ଦେବେ। ଏହାସହ ଡ୍ରେନ୍ର ୧୨ମିଟର ଓସାର ମଧ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ କୁହାଯାଇଛି। କ୍ରିଷ୍ଣା ଟାଓ୍ଵାରରୁ ମମତାଜ୍ ହାଇସ୍କୁଲ ଦେଇ ନୂଆପଲ୍ଲୀ ହଜ ଅଞ୍ଚଳ ପର୍ଯ୍ୟନ୍ତ ଡ୍ରେନ୍ ଓସାର ପାଇଁ ବି ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ। ଇସ୍କନ୍ ପାର୍ଶ୍ୱ ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ପାଣି ବେହେରା ସାହି ପାର୍ଶ୍ୱରେ ସାଇଫନ୍ ନିକଟରେ ଦୁଇ ଭାଗ ହୋଇ ଯାଉଛି। ଗୋଟିଏ ଡ୍ରେନ୍ ବେହେରା ସାହି ପାର୍ଶ୍ୱ ଦେଇ ଯାଉଥିବାବେଳେ ଆଉ ଗୋଟିଏ ଡ୍ରେନ୍ ଭୋଇ ସାହି ହୋଇ ଯାଉଛି। ଏହି ଦୁଇ ଡ୍ରେନ୍କୁ ଓସାର କରିବା ସହ ହରେକୃଷ୍ଣ ଖିମ୍ଜି ଲେନ୍ରୁ ଦମୟନ୍ତୀ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଡ୍ରେନ୍ଟି ସିଧା ନେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆବଶ୍ୟକୀୟ ଉଚ୍ଛେଦ ଏବଂ ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। ଡ୍ରେନେଜ୍ ଡିଭିଜନର ଫିଜିବିଲିଟି ଷ୍ଟଡି ପରେ ଭୋଇ ସାହି ଛକରୁ ମମତାଜ୍ ଅଲ୍ଲି ହାଇସ୍କୁଲ, ବେହେରାସାହି ଛକରୁ ନୂଆପଲ୍ଲୀ ହଜ ଏବଂ ବାଲୁଭ୍କେଶ୍ୱର ମନ୍ଦିର ନିକଟରୁ ନୂଆପଲ୍ଲୀ ହଜ ପର୍ଯ୍ୟନ୍ତ ତିନିଟି ନୂଆ ଡ୍ରେନ୍ ନିର୍ମାଣ କରିବାକୁ କୁହାଯାଇଛି। ସେହିପରି ନୂଆପଲ୍ଲୀ ହଜର ପୁନରୁଦ୍ଧାର କରାଯିବ। ଏଥିରେ ଯେପରି ଡ୍ରେନ୍ ପାଣି ନ ମିଶିବ ଏବଂ ହଜରୁ ବିଶୁଦ୍ଧ ପାଣି ମୁଖ୍ୟ ଡ୍ରେନ୍କୁ ନିର୍ଗତ ହେବ ସେନେଇ ବି ଯୋଜନା ପ୍ରସ୍ତୁତ ହେବ।
ୟୁନିଟ-୮ ଡିଏଭି ସ୍କୁଲକୁ ବିଏମ୍ସିର କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର: ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷ ବେଆଇନ ଭାବେ ରାସ୍ତା ଉପରେ ନିର୍ମାଣ ଓ ଭଗ୍ନାବଶେଷ ଆବର୍ଜନା ଗଦାଇ ଥିବାରୁ ଏବଂ ସ୍କୁଲର ବର୍ଜ୍ୟ ଜଳ ଓ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ନିକଟସ୍ଥ ଡ୍ରେନ୍କୁ ଛାଡ଼ୁଥିବାରୁ ବିଏମ୍ସି ପକ୍ଷରୁ ଆଜି ସ୍କୁଲ କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍ ଆକ୍ଟ-୨୦୦୩ର ଧାରା ୩୪୩(ବି) ଅନୁଯାୟୀ, କେହି ବି ରାସ୍ତା ଉପରେ ନିର୍ମାଣ ଓ ଭଗ୍ନାବଶେଷ ଆବର୍ଜନା ଗଦେଇ ପାରିବେନି। ତେଣୁ ବିଏମ୍ସିର ନିର୍ମାଣ ଓ ଭଗ୍ନାବଶେଷ ଆବର୍ଜନାନା ପରିଚାଳନା ଆଇନ୍, ୨୦୧୬ର ଧାରା ୪ ଏବଂ ୟୁଜର୍ସ ଚାର୍ଜେସ୍ ରେଗୁଲେସନ୍-୨୦୧୫ର କ୍ଲଜ୍ ୫ ଅନୁଯାୟୀ ୫ହଜାର ଟଙ୍କା ଜରିମାନା କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ର ୭ଦିନ ମଧ୍ୟରେ ଉତ୍ତର ରଖିବାକୁ ସ୍କୁଲ ଅଧ୍ୟକ୍ଷାଙ୍କୁ କୁହାଯାଇଛି। ଯଦି ସ୍କୁଲ କର୍ତ୍ତୃପକ୍ଷ ଜରିମାନା ନ ଦିଅନ୍ତି ତେବେ ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ, ୧୯୬୨ ଅନୁଯାୟୀ ମାମଲା ରୁଜୁ ହେବ।