ଭୁବନେଶ୍ବର: ସରକାରୀ ଓ ବେସରକାରୀ ଚାକିରି କରାଇବାକୁ କହି ଆାଶାୟୀମାନଙ୍କୁ ଚୂନ ଲଗାଉଥିବା ଜଣେ ଧୂର୍ତ୍ତକୁ ବାନ୍ଧିଛି କମିସନ‌ରେଟ୍‌ ପୁଲିସ। ଭୁବନେଶ୍ବର ଝାରପଡ଼ାରେ କନ୍‌ସଲ୍‌ଟାନ୍‌ସି ଖୋଲି ଏଭଳି ଖେଳ କରୁଥିବା ଠକ ସର୍ଦ୍ଦାର ହେଲା ଶୋଭନ୍‌ ରଞ୍ଜନ ବେହେରା। ତା’ଠାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ବ୍ୟାଙ୍କ୍‌, ପୋଷ୍ଟାଲ୍‌, ଲୋକସେବା ଭବନ ଓ ଆଇଟି ସେକ୍ଟରରେ ଚାକିରି କରାଇବା ଲୋଭ ଦେଖାଇ ସେ ଆଶାୟୀମାନଙ୍କୁ ଫସାଉଥିଲା। ଅଭିଯୋଗ ମୁତାବକ ୬ଜଣ ଆଶାୟୀଙ୍କଠାରୁ ସେ ୬୦ ଲକ୍ଷ ଟଙ୍କା ଠକି ନେଇଛି। କିନ୍ତୁ ଆହୁରି ଅନେକ ଆଶାୟୀଙ୍କୁ ସେ ଚୂନ ଲଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏବଂ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଠକିଛି ବୋଲି ସନ୍ଦେହ କରାଯାଉଛି। ବଡ଼ କଥା ହେଉଛି, ଶୋଭନ ଚଳାଉଥିବା ରୢାକେଟ୍‌ର ଚେର କୋଲକାତା, ମୁମ୍ବାଇ, ହାଇଦ୍ରାବାଦକୁ ଲମ୍ବିଥିବା ଜଣାପଡ଼ିଛି। କାରଣ ତା’ ଯୋଗା‌ଯୋଗରେ ଆସୁଥିବା ଆଶାୟୀମାନଙ୍କୁ ନେଇ ସେ ରାଜ୍ୟ ବାହାରେ ଟ୍ରେନିଂ ଓ ସାକ୍ଷାତକାର କରାଉଥିଲା। ତେଣୁ ରୢାକେଟ୍‌ର ମୂଳ ଉପାଡ଼ିବାକୁ ପୁଲିସ, ଶୋଭନକୁ ରିମାଣ୍ଡ୍‌ରେ ଆଣିବା ସହ ରାଜ୍ୟ ବାହାରେ ଥିବା ଠକ ଗ୍ୟାଙ୍ଗ୍‌କୁ ଗିରଫ କରିବ ବୋଲି ସୂଚନା ମିଳିଛି।  

Advertisment

ବନ୍ଧାହେଲା ଠକ ସର୍ଦ୍ଦାର ଶୋଭନ୍‌
କନ୍‌ସଲ୍‌ଟାନ୍‌ସି ଖୋଲି ଖେଳୁଥିଲା ୬ ଲକ୍ଷ ଜବତ
କୋଲକାତା, ମୁମ୍ବାଇ, ହାଇଦ୍ରାବାଦକୁ ଲମ୍ବିଛି ଚେର

ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ଏହି ଠକେଇ ଉପରେ ସୂଚନା ଦେଇଥିଲେ। ମାର୍ଚ୍ଚ ୨୩ ତାରିଖ ଦିନ ନୂଆପଲ୍ଲୀ ଥାନାରେ ବୌଦ୍ଧଜିଲ୍ଲା ରାମଗଡ଼ର ଦେବବ୍ରତ କର୍ଣ ପ୍ରଥମ ଅଭିଯୋଗ ଆଣିଥିଲେ। ଝାରପଡ଼ାରେ ‘ସଂଯୋଗ କନ୍‌ସଲ୍‌ଟାନ୍‌ସି’ ନାଁରେ ଏକ ପ୍ଲେସ୍‌ମେଣ୍ଟ ସଂସ୍ଥା ଚଳାଇଥିବା ଶୋଭନ୍‌ ତାଙ୍କୁ ବ୍ୟାଙ୍କ୍‌ ପିଓ ଚାକିରି କରାଇବ ବୋଲି ଲୋଭ ଦେଖାଇ ୧୩ ଲକ୍ଷ ଟଙ୍କା ନେଇଥିଲା। ଏହାଥିଲା ୨୦୨୩ ମସିହାର ଘଟଣା। ଏହାପରେ ଧୂର୍ତ୍ତ ଶୋଭନ୍‌ ତାଙ୍କୁ କୋଲକାତା ନେଇଥିଲା ଏବଂ ସେଠାରେ ନକଲି ଅଧିକାରୀ ବସାଇ ଦେବବ୍ରତଙ୍କ ସାକ୍ଷାତକାର ନେଇଥିଲା। ନକଲି ନିଯୁକ୍ତିପତ୍ର ନେଇ ଦେବବ୍ରତ ଉକ୍ତ ବ୍ୟାଙ୍କ୍‌କୁ ଯିବା ପରେ ତାଙ୍କୁ ଫେରାଇ ଦିଆଯାଇଥିଲା। ଠକାମିର ଶିକାର ହୋଇଥିବା ଜାଣିବା ପରେ ଦେବବ୍ରତ ଠକ ଶୋଭନକୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ସେ ୭ଲକ୍ଷ ଟଙ୍କା ଫେରାଇବା ପରେ ଆଉ ଧରାଛୁଆଁ ଦେଇ ନଥିଲା। ଶୋଭନ ନାଁରେ ଦେବବ୍ରତ ଅଭିଯୋଗ କରିବା ପରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଖୋଜିବା ଆରମ୍ଭ କଲା। ପରେପରେ ଆଉ ୫ ଅଭିଯୋଗ ହେଲା। ମଞ୍ଚେଶ୍ବରର ବିଶ୍ବରଞ୍ଜନ ଦାଶଙ୍କୁ ସେ ୧୫ ଲକ୍ଷ ଟଙ୍କା ଠକିଛି ବୋଲି ଅଭିଯୋଗ ହେଲା।

ସେହିଭଳି ବୌଦ୍ଧ ଜିଲ୍ଲା ଛତ୍ରଙ୍ଗାର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ୧୧ ଲକ୍ଷ, ସୁଧାଂଶୁ ଶେଖର ପାତ୍ରଙ୍କୁ ୧୧ ଲକ୍ଷ ଟଙ୍କା, ଗଞ୍ଜାମ ଖଲିକୋଟର ଦୈତାରି ବେହେରାଙ୍କୁ ୧୭.୭୫ ଲକ୍ଷ ଟଙ୍କା ଠକିଛି ବୋଲି ଅଭିଯୋଗ ଆସିଲା। ଏସବୁ ଠକେଇ ୨୦୨୩ ମସିହାରେ ହିଁ ହୋଇଥିଲା। ସମସ୍ତ ଅଭିଯୋଗକାରୀଙ୍କୁ ‌ଠକ ଶୋଭନ, ଦେବବ୍ରତଙ୍କୁ ଚୂନ ଲଗାଇବା ଶୈଳୀରେ ହିଁ ଠକିଥିଲା। କାହାକୁ ମୁମ୍ବାଇ ତ କାହାକୁ ହାଇଦ୍ରାବାଦ ନେଇ ସାକ୍ଷାତକାର କରାଇଥିଲା ଏବଂ ନକଲି ନିଯୁକ୍ତିପତ୍ର ଦେଇଥିଲା। ଧୂର୍ତ୍ତ ଶୋଭନ ଏମ୍‌ସିଏ ଡିଗ୍ରି ହାସଲ କରିଛି। କିନ୍ତୁ ନିଜେ ଭଲ ଚାକିରି କରିବା ବଦଳରେ ସେ ଏଭଳି ଠକେଇକୁ ପେସା କରିଥିଲା। ସହଜରେ କୋଟିକୋଟି ଟଙ୍କା ରୋଜଗାର କରିବା ଲୋଭର ବଶବର୍ତ୍ତୀ ହୋଇ ସେ ଏମିତି ଏକ ରୢାକେଟ୍‌ ଚଳାଇଥିଲା। ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦ ଭଳି ସହରରେ ଥିବା ପ୍ଲେସ୍‌ମେଣ୍ଟ ସଂସ୍ଥାମାନଙ୍କ ସହ ଯୋଗ‌ାଯୋଗ କରି ସେ ଓଡ଼ିଆ ଯୁବକମାନଙ୍କୁ ଚୂନ ଲଗାଉଥିଲା।