ଭୁବନେଶ୍ୱରରୁ ଆଜି ପୁଣି ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜଧାନୀ ଭୁବନେଶ୍ୱରରୁ ପୁଣି ୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩ଟି ସ୍ଥାନୀୟ ମାମଲା ରହିଥିବା ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଏଯାବତ ରାଜଧାନୀରେ ୨୯୨ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୬୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୨ଟି ସକ୍ରିୟ ମାମଲା ରହିଛି।

 

ହୋମ କ୍ୱାରେଣ୍ଟାଇନ୍‌ ଥିବା ୩ଜଣଙ୍କ ମଧ୍ୟରୁ ୨୪ବର୍ଷୀୟ ପୁରୁଷ ଦୁମଦୁମା ଫେଜ-୧ ଅଞ୍ଚଳରେ ବସବାସ କରନ୍ତି। ସେ କିଛିଦିନ ତଳେ ବେଙ୍ଗାଲୁରୁରୁ ଫେରିଥିଲେ। ସେହିପରି ୪୧ବର୍ଷୀୟ ପୁରୁଷ କିଛିଦିନ ତଳେ କୋଲକାତାରୁ ଫେରି ନୟାପଲ୍ଲୀ ଆଇଆରସିରେ ରହୁଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିବା ୩୮ବର୍ଷୀୟ ପୁରୁଷ ବାପୁଜୀ ନଗର ଅଞ୍ଚଳରେ ହୋମ କ୍ୱାରେଣ୍ଟାଇନ୍‌ରେ ରହୁଥିଲେ।

୩ଟି ସ୍ଥାନୀୟ ମାମଲା ମଧ୍ୟରୁ ମହିଳା ଆକ୍ରାନ୍ତ ଜଣକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ ବୋଲି ଜଣାପଡ଼ିଛି। ସେହିପରି ଟଙ୍କପାଣି ରୋଡ ରାଜାରାଣୀ ମନ୍ଦିର ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫୫ବର୍ଷୀୟ କରୋନା ଆକ୍ରାନ୍ତ ଜଣକ ୧୫.୦୬.୨୦୨୦ରେ ଭୁବନେଶ୍ୱରରୁ ଅନ୍ୟ ଜିଲ୍ଲାକୁ ଯାଇଥିଲେ। ଫରେଷ୍ଟ ଫାର୍କ ଅଞ୍ଚଳରୁ ଜଣେ ୩୬ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର