ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍‌ ଓ ଓଟିଟିମୁହାଁ ପ୍ରଯୋଜକ

Advertisment
ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍‌ ଓ ଓଟିଟିମୁହାଁ ପ୍ରଯୋଜକ

ଭୁବନେଶ୍ବର: ଆସିଛି ପାର୍ବଣ ଋତୁ। କରୋନାର କରାଳଛାୟା ଭିତରେ ମଧ୍ୟ ଓଲିଉଡ୍‌ ୬ଟି ଚଳଚ୍ଚିତ୍ର ଭେଟି ଦେବାକୁ ଅଣ୍ଟା ଭିଡ଼ିଛି। ସିନେମା ହଲ୍‌ ବନ୍ଦ ଥିବା ସତ୍ତ୍ବେ ଓଲିଉଡ୍‌ ବିଭିନ୍ନ ପ୍ଲାଟଫର୍ମରେ ଚଳଚ୍ଚିତ୍ରଗୁଡ଼ିକର ମୁକ୍ତିଲାଭ କରାଇବା ଲକ୍ଷ୍ୟରେ ଅଛନ୍ତି। କରୋନା କଟକଣାରେ ଘରେ ଗୃହବନ୍ଦୀ ଭଳି ଜୀବନ ବିତାଉଥିବା ଦର୍ଶକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ପ୍ରଯୋଜକମାନେ ଏଭଳି ନୂତନ ତଥା ବିକଳ୍ପ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମିତିକି କିଛି ପ୍ରଯୋଜକ ଘରୋଇ ଟିଭି ଚ୍ୟାନେଲ୍‌ ଜରିଆରେ ସେମାନଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରାଇବାକୁ ଯୋଜନା କରୁଥିବାବେଳେ ଆଉ କିଛି ଓଟିଟି ପ୍ଲାଟଫର୍ମ ମୁହାଁ ହୋଇଛନ୍ତି। ଓଡ଼ିଆ ଦର୍ଶକ ଓଟିଟି ପ୍ଲାଟଫର୍ମ ସହ ପରିଚିତ ନଥିଲେ ମଧ୍ୟ କିଛି ପ୍ରଯୋଜକ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିବା ଜଣାପଡ଼ିଛି।

publive-image

ମହାମାରୀ କରୋନା ସଂକ୍ରମଣ ଥମିବା ନାଁ ଧରୁନଥିବାରୁ ଚଳିତ ପାର୍ବଣ ଋତୁରେ ସିନେମା ହଲ୍‌ ଖୋଲିବା ଆଶା ମଉଳି ଯାଇଛି। ତେଣୁ ପ୍ରଯୋଜକମାନେ ଘରୋଇ ଚ୍ୟାନେଲ୍, ସୋସିଆଲ୍ ମିଡିଆ ଓ ଓଟିଟି ପ୍ଲାଟ୍‌ଫର୍ମକୁ ଚଳଚ୍ଚିତ୍ର ମୁକ୍ତିଲାଭର ମାଧ୍ୟମଭାବେ ଗ୍ରହଣ କରି ନେଇଛନ୍ତି। ସୂଚନାନୁସାରେ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ‘ଜି-ସାର୍ଥକ’ ଫିଲ୍ମସ୍‌ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଦୁର୍ଗତିନାଶିନୀ’। ସେଥିରେ ନି‌ର୍ଦେଶନା ଦେଇଛନ୍ତି ରାଜା ଡି। ଚୁଲ୍‌ବୁଲି ନାୟିକା ଅର୍ଚ୍ଚିତା ସାହୁ ଏଥିରେ ଦମ୍‌ଦାର ଆକ୍ସନ୍ ରୋଲ୍‌ରେ ଦେଖାଦେବେ। ଜଣେ ଆଦର୍ଶ ଆଇପିଏସ୍ ଚରିତ୍ରରେ ଅର୍ଚ୍ଚିତାଙ୍କୁ ଦର୍ଶକମାନେ ଦେଖିବେ।

publive-image The Daily Iowan

ସେହିଭଳି ଘରୋଇ ଚ୍ୟାନେଲ୍‌ରେ ଅଜୁ ରାଉତଙ୍କ ପ୍ରଯୋଜନାରେ ଅଭିନେତା ଆକାଶ ଦାସନାୟକ ଓ ଅଭି‌ନେତ୍ରୀ ଲିପ୍ସା ମିଶ୍ରଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଥିବା ଚଳଚ୍ଚିତ୍ର ‘ପ୍ରେମ ନା ପାଗଳପଣ’ ଆସୁଛି। ଏହାର ନିର୍ଦେଶନା ଦେଇଛନ୍ତି ଅଶ୍ବିନୀ ଗଡ଼ନାୟକ। ସେହିପରି  ରମେଶ ବାରିକଙ୍କ ପ୍ର‌ଯୋଜନାରେ  ନିର୍ମିତ ଭିନ୍ନସ୍ବାଦର କାହାଣୀକୁ ନିର୍ମିତ ଚଳଚ୍ଚିତ୍ର ‘ପାରୋ ହେଟ୍‌ସ ଦେବଦାସ’ ନୂଆ ଓଡ଼ିଆ ମନୋରଞ୍ଜନ ଚାନେଲ୍ ‘ମଞ୍ଜରୀ’ରେ  ରିଲିଜ୍ ହେବାକୁ ଯାଉଛି । ଅଭିନେତ୍ରୀ ପ୍ରିୟା ଚୌଧୁରୀ, ବବି ମିଶ୍ର, ଶ୍ରୀଜିତ୍ ଓ ମନସ୍ବିନୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ଅଶୋକ ପତି। ଆର୍‌ଆର୍‌ ଇଭେଣ୍ଟସ୍ ପ୍ରାୟୋଜିତ ରମେଶ ବାରିକଙ୍କ ଅନ୍ୟତମ ଚଳଚ୍ଚିତ୍ର ‘ଇନ୍ଦ୍ରଜାଲ୍’ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ପାଇଁ ଅଣ୍ଟା ଭିଡ଼ିଛି। ଚିନୁ ନାୟକଙ୍କ ନିର୍ଦେଶିତ ଅଭିନେତା ସମ୍ବିତ୍‌ ଆଚାର୍ଯ୍ୟ ଓ ଦେବଜାନୀ ଦେଘୁରିଆଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଏକ ଦ୍ବନ୍ଦ୍ବ ପ୍ରେମ କାହାଣୀ ଉପରେ ଆଧାରିତ।

ହାପି ସାମଲଙ୍କ ପ୍ରଯୋଜିତ ଓ ଅଭିନୀତ ମୁରଲି କ୍ରିଷ୍ଣାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ବାଳି’ ମଧ୍ୟ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ଅପେକ୍ଷାରେ ରହିଛି। ଏନ୍‌ବି ଏଣ୍ଟରଟେନ୍‌ମେଣ୍ଟ୍ ପ୍ରଯୋଜିତ ‘ରୋମିଓ ରାଜା’ରେ ଅଭିନେତା ଅମ୍ଳାନ ଦାସ ଓ ଅଭିନେତ୍ରୀ ତମନ୍ନାଙ୍କ ମଧ୍ୟରେ ଏକ ଅଦ୍ଭୂତ ପ୍ରେମ କାହାଣୀ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ ବୋଲି ନିର୍ଦେଶକ ରାକେଶ ସାମଲ ଓ ପ୍ରଯୋଜକ ସୁଶାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ପରେ ଏହି ସବୁ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମଧ୍ୟ ପ୍ରଦର୍ଶିତ ହେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe