ନିୟମ ଉଲ୍ଲଂଘନ କରି ୬ ଦୋକାନ ସିଲ୍

ଖୋର୍ଦ୍ଧା: ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନୀଙ୍କୁ ସାମାଜିକ ଦୂରତ୍ବ ରକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଆଜି ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରି ଖୋର୍ଦ୍ଧା ସହରର ୬ ଦୋକାନୀ ପରିଣାମ ଭୋଗିଛନ୍ତି। ପୌର ପ୍ରଶାସନ ପକ୍ଷରୁ ଉକ୍ତ ଦୋକାନଗୁଡ଼ିକୁ ସିଲ କରି ଦିଆଯାଇଛି।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନର ମାଲିକମାନେ ସେମାନଙ୍କ ଦୋକାନରେ ଓ ଦୋକାନ ବାହାରେ ସାମାଜିକ ଦୂରତ୍ବ ରକ୍ଷା କରିବେ। ଦୋକାନର ମାଲିକମାନେ ସାମାଜିକ ଦୂରତା ରଖିବା ପାଇଁ ସେମାନଙ୍କ ଦୋକାନ ବାହାରେ ୫ ଫୁଟ ବ୍ୟବଧାନରେ ଗୋଲ କିମ୍ବା ୪ କୋଣିଆ ଆକାରରେ ସ୍ଥାୟୀ ଚିହ୍ନ କରିବେ। ଯାହା ମଧ୍ୟରେ ଜଣେ ଗ୍ରାହକ ଧାଡ଼ିରେ ଠିଆ ହୋଇ ଜିନିଷ କିଣିବେ। ଏହି ନିର୍ଦ୍ଦେଶ ପାଳନ ନକଲେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ପୁଲିସ ସହାୟତାରେ ଦୋକାନ ବନ୍ଦ କରିଦେବାକୁ ଚେତାବନୀ ଦିଆଯାଇଥିଲା। ଏହା ସହ ଆଇପିସି ୧୮୮ ଅନୁସାରେ ପଦକ୍ଷେପ ନେଇ ସମ୍ପୃକ୍ତ ଦୋକାନର ଟ୍ରେଡ୍ ଲାଇସେନ୍ସ ରଦ୍ଦ କରାଯିବ। ଏହା ସତ୍ତ୍ବେ ଆଜି ସକାଳେ ୪ଟି ଚାହା ଦୋକାନ, ଗୋଟିଏ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ହୋଲ୍‌ସେଲ ଦୋକାନ ଓ ଗୋଟିଏ ଭୋଗ ଦୋକାନ ସମେତ ୬ଟି ଦୋକାନ ଏହି ସାମାଜିକ ଦୂରତ୍ବ ରକ୍ଷା ନିୟମ ଉଲ୍ଲଂଘନ କରିଥିବାରୁ ପୌର ନିର୍ବାହୀ ଅଧିକାରୀ ସେମାନଙ୍କ ଦୋକାନକୁ ସିଲ୍ କରିଛନ୍ତି। ଏନେଇ ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ କହିଛନ୍ତି ଯେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର