ନୂଆ ରୂପ ନେବ ତିନି ‘ଅର୍ବାନ ହାଟ’ ଖର୍ଚ୍ଚ ହେବ ୬ କୋଟି, ଅଧିକ ବୁଣାକାର ଓ କାରିଗରଙ୍କୁ ସୁଯୋଗ

ଭୁବନେଶ୍ବର: ନୂଆ ରୂପ ନେବାକୁ ଯାଉଛି ରାଜ୍ୟର ୩ ଅର୍ବାନ ହାଟ। ଭୁବନେଶ୍ବର ଏକାମ୍ର ହାଟ, ପୁରୀ ନୀଳାଚଳ ହାଟ ଓ କୋଣାର୍କର କୋଣାର୍କ ହାଟ। କାରିଗର ଓ ବୁଣାକାରମାନଙ୍କୁ ସିଧାସଳଖ ଗ୍ରାହକ ଯୋଗାଇ ଦେବା ଉଦ୍ଦେଶ୍ୟରେ ଖୋଲିଥିବା ଏହି ଅର୍ବାନ ହାଟକୁ ଅଧିକ ଚଳଚଞ୍ଚଳ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଣ୍ଟା ଭିଡ଼ିଛି। ଏକ ପ୍ରାକୃତିକ ପରିବେଶ ଭିତରେ କାରିଗର ଓ ବୁଣାକାରଙ୍କୁ ଅଧିକ ବଜାର ସୁବିଧା ଦେବା, ଲୋକକଳାର ପ୍ରଚାର ପ୍ରସାର, ଓଡ଼ିଆ ଖାଦ୍ୟର ପ୍ରଦର୍ଶନ ଓ ବର୍ଷ ସାରା କିଛି ନା କିଛି ପ୍ରଦର୍ଶନୀ/ମେଳା କରି ଦର୍ଶକଙ୍କୁ ଆକର୍ଷିତ କରିବାର ଏକ ବ୍ଲୁ ପ୍ରିଣ୍ଟ୍‌ ତିଆରି କରିଛି ଏହି ବିଭାଗ।

ବୁଣାକାର ଓ କାରିଗରମାନଙ୍କୁ ସିଧାସଳଖ ବଜାର ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ‘ଅର୍ବାନ୍ ହାଟ’ ଯୋଜନାରେ ଓଡ଼ିଶାରେ ତିନିଟି ହାଟ ନିର୍ମାଣ ହୋଇଥିଲା। ତିନିଟି ହାଟର ନିର୍ମାଣଶୈଳୀ ଗ୍ରାମୀଣ ଢାଞ୍ଚାରେ କରାଯାଉଥିବାରୁ ଏହା ବେଶ୍‌ ଆକର୍ଷଣୀୟ ହୋଇପାରିଥିଲା। ତିନିଟି ଯାକ ହାଟ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ନିର୍ମାଣ ହୋଇଥିଲେ ବି ସରକାରଙ୍କ ଆନ୍ତରିକତାର ଅଭାବରୁ ଏହା କାରିଗର ଓ ବୁଣାକାରଙ୍କ କାମରେ ଆସି ପାରି ନାହିଁ। କେବଳ ଏକାମ୍ର ହାଟରେ କିଛି କିଛି ବ୍ୟବସାୟ ହେଉଥିଲା ବେଳେ କୋଣାର୍କ ହାଟରେ ବର୍ଷସାରା ତାଲା ପଡ଼ୁଛି। ନୀଳାଚଳ ହାଟ ବି ବହୁ ସମସ୍ୟା ଘେରରେ।

ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଏକାମ୍ର ହାଟ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ର। ଏଠାରେ ଗ୍ରାମୀଣ ପରିବେଶ ସହ ଘାସ ଗାଲିଚା, ବଡ଼ ବଡ଼ ବୃକ୍ଷଘେରା ପରିବେଶ ଓ ମଧ୍ୟ ଭାଗରେ ଛୋଟ ପୁଷ୍କରିଣୀ ସହରବାସୀଙ୍କୁ ବେଶ୍‌ ଆକର୍ଷିତ କରିପାରୁଛି। କିନ୍ତୁ ଏଠାରେ କାରିଗରଙ୍କୁ ବଜାର ଯୋଗାଇ ଦେବାର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହେଉନାହିଁ। ଏହା କେବଳ ସୁସ୍ବାଦୁ ଖାଦ୍ୟର ପେଣ୍ଠସ୍ଥଳୀ ହୋଇ ରହିଯାଇଛି। ହାଟ ତିନିଟି ଇଡ୍‌କୋ ନିର୍ମାଣ କରିଥିଲା। ପରବର୍ତ୍ତୀ ସମୟରେ ଇଡ୍‌କୋ ହିଁ ରକ୍ଷଣାବେକ୍ଷଣ କଲା। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଏଥିରେ ମୁଣ୍ଡ ଖେଳାଇଲା ନାହିଁ। ପୁଣି ପର୍ଯ୍ୟଟନ ବିଭାଗର ପର୍ଯ୍ୟଟନସ୍ଥଳୀ ତାଲିକାରେ ଏହି ହାଟ ରହିଲା ନାହିଁ। ଫଳରେ ସମନ୍ବୟ ଅଭାବରୁ ମୂଳ ଲକ୍ଷ୍ୟରୁ ଏହା ବିଚ୍ୟୁତ ହୋଇଗଲା। ଗତ ୧୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅର୍ବାନ୍ ହାଟଗୁଡ଼ିକର ରକ୍ଷଣାବେକ୍ଷଣ କରିବ। ଇଡ୍‌କୋ ଏହାକୁ ହସ୍ତାନ୍ତର କରିବ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା କହିଛନ୍ତି ଯେ ଅର୍ବାନ ହାଟକୁ ଓଡ଼ିଶାର ପରମ୍ପରା ଓ ଅସ୍ମିତାର ପ୍ରାଣକେନ୍ଦ୍ର ଭାବେ ପ୍ରସ୍ତୁତ କରାଯିବ। ମନୋରଞ୍ଜନ ସହ ଖାଦ୍ୟ ଓ କିଣାକିଣିର ୩୬୫ ଦିନିଆ ଚଳଚଞ୍ଚଳ ଏକ ହାଟର ‌ଯୋଜନା ହୋଇଛି। ଚଳିତ ବର୍ଷ ହାଟ ତିନିଟି ନବୀକରଣ ପାଇଁ ୬ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ଏହି ସବୁ ହାଟରେ ଅଧିକରୁ ଅଧିକ ବୁଣାକାର ଓ କାରିଗରଙ୍କୁ ସୁଯୋଗ ଦେବାକୁ ପ୍ରୟାସ କରାଯିବ। ଏଣୁ ଖାଲି ସ୍ଥାନରେ ପିଣ୍ଡି ତିଆରି କରି କାରିଗରଙ୍କ ପାଇଁ ‌ଷ୍ଟଲ ପକାଇବା ବ୍ୟବସ୍ଥା କରାଯିବ। ନୀଳାଚଳ ହାଟ ଓ କୋଣାର୍କ ହାଟରେ ପର୍ଯ୍ୟାପ୍ତ ସ୍ଥାନ ଥିବାରୁ ସେଠାରେ ପିଣ୍ଡି ନିର୍ମାଣ କରାଯିବ। ଭୁବନେଶ୍ବର ଏକାମ୍ର ହାଟରେ ଖାଲି ସ୍ଥାନ ନାହିଁ, ଏଣୁ କିଛି କିଛି ସ୍ଥାନ ଖାଲି କରି ଯେତିକି ସ୍ଥାନ ବାହାରିବ, ସେହି ସ୍ଥାନରେ ପିଣ୍ଡି ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏକାମ୍ର ହାଟରେ ୧୦ଟି ପିଣ୍ଡି ତିଆରି କରିବାର ବ୍ୟବସ୍ଥା କରାଯିବ। କାରିଗରମାନଙ୍କୁ ଲଟେରି ବ୍ୟବସ୍ଥାରେ ଏଠାରେ ଷ୍ଟଲ ପକାଇବାର ଅନୁମତି ଦିଆଯିବ। ଏହି ପିଣ୍ଡି ପାଇଁ ଦୈନିକ ଦରଧାର୍ଯ୍ୟ ହେବ। ଫଳରେ କାରିଗରମାନଙ୍କୁ ୧୫ଦିନ କିମ୍ବା ମାସେ ଲେଖାଏ ସୁଯୋଗ ମିଳିବ। ଫଳରେ ଅଧିକ ‌କାରିଗର ଓ ବୁଣାକାର ନିଜ ସାମଗ୍ରୀ ବିକ୍ରି ପାଇଁ ବଜାରଟିଏ ପାଇବେ।

ଏଥିସହ ଅର୍ବାନ ହାଟ ଭିତରେ ଥିବା ମୁକ୍ତାକାଶ ମଞ୍ଚରେ ପ୍ରତିଦିନ ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶିତ ହେବ। ବର୍ଷକୁ ଅଧିକାଂଶ ସମୟ ଏଠାରେ ହସ୍ତଶିଳ୍ପ ଓ ହସ୍ତକଳା ପ୍ରଦର୍ଶନୀ ପକାଇବାର ଯୋଜନା ମଧ୍ୟ ରହିଛି। ଏଥିସହ ଏହାର ମୁଖ୍ୟ ଆକର୍ଷଣ ହେବାକୁ ଯାଉଛି ‘ଓଡ଼ିଆ ଖାଦ୍ୟ ପସରା’। ଓଡ଼ିଶାରେ ଓଡ଼ିଆ ଖାଦ୍ୟର ଏକ ପେଣ୍ଠସ୍ଥଳ ଭାବେ ଅର୍ବାନ ହାଟକୁ ଉଭା କରାଯିବାର ଯୋଜନା ପ୍ରସ୍ତୁତ ହେଉଛି। ଯେଉଁଠାରେ କି ଓଡ଼ିଶାର ସମସ୍ତ ପ୍ରସିଦ୍ଧ ଖାଦ୍ୟ ଉପଲବ୍ଧ ହେବ। ଏକାମ୍ର ହାଟର ପୁନରୁଦ୍ଧାର କାର୍ଯ୍ୟ ବିଭାଗ ସିଧାସଳଖ କରିବ। ନୀଳାଚଳ ହାଟର ପୁନରୁଦ୍ଧାର ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି ଓ କେଣାର୍କ ହାଟର ପୁନରୁଦ୍ଧାର କାର୍ଯ୍ୟ ‌କୌଣସି ଏଜେନ୍ସିକୁ ଦିଆଯିବ ବୋଲି ଯୁଗ୍ମ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର