ମୃତ୍ୟୁ ପରେ ବି ଅମର ୬ ବର୍ଷୀୟା ଶିଶୁକନ୍ୟା ଦିବ୍ୟାଶ୍ରୀ : ଅଙ୍ଗଦାନ କରି ବଞ୍ଚାଇଲା ୩ ଜଣଙ୍କ ଜୀବନ

ୟୁଏଇ/ଭୁବନେଶ୍ୱର: ମୃତ୍ୟୁ ପରେ ଅଙ୍ଗଦାନ କରି ୩ ଜଣଙ୍କୁ ନୂଆ ଜୀବନ ଦେଇଛି ମାତ୍ର ୬ବର୍ଷର ଜଣେ ଶିଶୁକନ୍ୟା। ସେ ହେଲା, ୟୁନାଇଟେଡ୍ ଆରବ ଏମିରେଟ୍‌ସ(ୟୁଏଇ)ରେ ରହୁଥିବା ଭାରତୀୟ ଦମ୍ପତି ଅରୁଣ କୁମାର ଓ କୀର୍ତ୍ତିଙ୍କ ଏକମାତ୍ର ଶିଶୁକନ୍ୟା ଦିବ୍ୟାଶ୍ରୀ। ସେ ଦୀର୍ଘ ଦିନ ଧରି ହୃଦ୍ ଓ ପଲମ୍ୟୁନାରି ରକ୍ତଚାପଜନିତ ସମସ୍ୟାରେ ପୀଡ଼ିତ ଥିଲା। ଗତ କିଛି ଦିନ ତଳେ ତା’ର ମୃତ୍ୟୁ ହୋଇଯିବା ପରେ ଅରୁଣ ଓ କୀର୍ତ୍ତି ତା’ର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିବ୍ୟାଶ୍ରୀର ଗୋଟିଏ କିଡ୍‌ନି ୟୁଏଇରେ ରହୁଥିବା ୭ ବର୍ଷର ଶିଶୁ ଆଡାମ୍ ଓ ଅନ୍ୟ ଗୋଟିଏ ଆବୁଧାବିରେ ରହୁଥିବା ୧୫ବର୍ଷୀୟ ଜଣେ କିଶୋର ଦେହରେ ପ୍ରତିରୋପଣ କରାଯାଇଛି। ସେହିପରି ସାଉଦି ଆରବର ଜଣେ ବ୍ୟକ୍ତିଙ୍କଠାରେ ତା’ର ଲିଭର୍ ପ୍ରତିରୋପଣ କରାଯାଇଛି।

ନୂଆ ଜୀବନ ପାଇଥିବା ଶିଶୁ ଆଡାମ୍ ମଧ୍ୟ ଜଣେ ଭାରତୀୟ। ସେ ଦୀର୍ଘ ୪ବର୍ଷ ଧରି ଗୁରୁତର କିଡ୍‌ନି ସମସ୍ୟାରେ ପୀଡ଼ିତ ଥିଲା। ଅରୁଣ କହିଛନ୍ତି ଯେ ଝିଅ ଆମକୁ ଛାଡ଼ି ଚାଲିଯିବା ପରେ ଆମେ ତା’ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଏବେ ଆମେ ଆମ ଝିଅକୁ ୩ଜଣଙ୍କ ଭିତରେ ଦେଖିପାରିବୁ। ସେହିପରି କୀର୍ତ୍ତି କହିଛନ୍ତି ଯେ ମାତ୍ର ୬ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲିଗଲା। କିନ୍ତୁ ସ୍ବଳ୍ପ କାଳ ମଧ୍ୟରେ ସତେଯେମିତି ସେ ଅନ୍ୟମାନଙ୍କୁ କିଛି ଦାନ କରିବା ପାଇଁ ଆସିଥିଲା। ଉଲ୍ଲେଖଯୋଗ୍ୟ, ଅରୁଣ ଓ କୀର୍ତ୍ତିଙ୍କ ଘର କୋରାପୁଟର ଜୟପୁର ଅଞ୍ଚଳ‌ରେ।

ସମ୍ବନ୍ଧିତ ଖବର