୬୦ ଦିନ ପରେ ବି ମିଳୁନି ଦ୍ୱିତୀୟ ଡୋଜ୍‌, ରାତିରୁ ଟର୍ଚ୍ଚ ଲାଇଟ୍‌ ଧରି ଧାଡ଼ି ବାନ୍ଧୁଛନ୍ତି ବରିଷ୍ଠ ନାଗରିକ

ବାଲିପାଟଣା: ଟିକାକରଣରେ ଦେଖା ଯାଉଥିବା ବ୍ୟାପକ ଅନିୟମିତତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି। ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏଥିପାଇଁ ସଂଗ୍ରାମ କରିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି। ଅବଧି ପୂରିବା ପରେ ବି ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ମିଳୁ ନାହିଁ। ଟିକାକେନ୍ଦ୍ରରେ ପ୍ରବଳ ଭିଡ଼ ହେଉଥିବାରୁ ବରିଷ୍ଠ ନାଗରିକମାନେ ରାତିରୁ ଟର୍ଚ୍ଚ ଲାଇଟ୍‌ ସାଙ୍ଗରେ ଆଣି ଟିକା କେନ୍ଦ୍ରରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି। ତଥାପି ଦାୟିତ୍ୱରେ ଥିବା କର୍ମଚାରୀମାନେ ସେମାନଙ୍କ ସମ୍ପର୍କୀୟଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି। ବିନା ଲାଇନ୍‌ରେ ଥାଇ ବି ଲୋକଙ୍କୁ ଟିକା ମିଳୁଥିବା ବେଳେ ଲାଇନ୍‌ରେ ଠିଆ ହୋଇ ହୋଇ ଲୋକେ ହତାଶ ହୋଇ ଫେରୁଛନ୍ତି ବୋଲି କହିଛନ୍ତି।

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବନମାଳୀପୁର ଓ ରାଜସ ସବ୍‌ସେଣ୍ଟରରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି। ୧୨ ଶହ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ସେମାନଙ୍କ ଦ୍ୱିତୀୟ ଡୋଜ୍‌ ପାଇଁ ଅବଧି ପୂରିଗଲାଣି। ଏଣେ ଭିଡ଼ ଯୋଗୁଁ ସେମାନେ ମାଇଲ୍‌ ମାଇଲ୍‌ ଦୂରରୁ ରାତି ଅନ୍ଧାରରେ ଟର୍ଚ୍ଚ ଲାଇଟ୍‌ ସାଙ୍ଗରେ ଆଣି ଆସୁଛନ୍ତି। ଧାଡ଼ିରେ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି। ଏଥିପାଇଁ କିଛି ଲୋକ ଭୋକ ଉପାସରେ ବି ଅପେକ୍ଷା କରୁଛନ୍ତି। ମାତ୍ର ପଞ୍ଜୀକରଣରେ ଘୋର ଅବ୍ୟବସ୍ଥା ଥିବାରୁ ଶେଷରେ ସେମାନଙ୍କୁ ଫେରିବାକୁ ପଡ଼ୁଛି। ବାଲିପାଟଣାର ମହେନ୍ଦ୍ର ବାରିକ ମାର୍ଚ୍ଚ ୬ ରେ ପ୍ରଥମ ଡୋଜ୍‌ ନେଇଥିଲେ। ଏହାରି ଭିତରେ ୬୦ ଦିନ ବିତିଲାଣି। ଟିକା ନେବା ପାଇଁ ୪/୫ ଥର ଆସି ଫେରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ନୂଆଗାଁର ରବୀନ୍ଦ୍ର ବେହେରା, ବିଶ୍ୱନାଥପୁରର ପ୍ରଫୁଲ କୁମାର ସାଠୁଆ ଭୋର୍‌ରୁ ଟିକାକେନ୍ଦ୍ରକୁ ଆସି ଲାଇନ୍‌ରେ ଠିଆ ହୋଇଥିଲେ। ହେଲେ ତାଙ୍କୁ ଟିକା ମିଳିଲା ନାହିଁ ଓ ଲାଇନ୍‌ରେ ନଥିବା ‌‌ଲୋକେ ଟିକା ପାଇଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ବାଲିପାଟଣା ବ୍ଲକ ମଣ୍ଡଳ ଉନୟନ୍ନ ଅଧିକାରୀ ମିତାଞ୍ଜଳି ଦାଶଙ୍କ ସୂଚନାନୁସାରେ, ଏଣିକି ବ୍ଲକ ପ୍ରଶାସନ ଟିକା ଦାୟିତ୍ୱ ନେଇଛି। ଖୁବ୍‌ ଶୀଘ୍ର ଛୋଟମୋଟ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର