ଆଉ ୧୦ ପାଣି ଏଟିଏମ୍‌ ଯୋଜନା, ୪୦ପାଣି ଏଟିଏମ୍‌ କାମରେ ଲାଗୁନି

ଘଣ୍ଟାକୁ ୬୦ ଲିଟର ଥଣ୍ଡା ପାଣି ବାହାରିବ, କଏନ୍‌ ପକାଇଲେ, କାର୍ଡ ଘଷିଲେ ପାଣି ମିଳିବ

ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ସ୍ଥାନରେ ୪୦ଟି ପାଣି ଏଟିଏମ୍‌ ଲାଗିଥିବା ବେଳେ ଅଧିକାଂଶ ସ୍ଥାନରେ ଏହା ଖରାପ ହୋଇପଡ଼ିଛି। ଏପରିକି ଯେଉଁ କେତୋଟି ସ୍ଥାନରେ ଏହି ଏଟିଏମ୍‌ କାମ କରୁଛି, ସେଥିରୁ ଲୋକ ପାଣି ନେଉନାହାନ୍ତି। ଏଟିଏମ୍‌ଗୁଡ଼ିକ କର୍ପୋରେଟରଙ୍କୁ ଖୁସି କରିବା ପାଇଁ ବିନା ଯୋଜନାରେ ବିଭିନ୍ନ ସ୍ଥାନରେ ଲଗାଇ ଦିଆଯାଉଥିବାରୁ ଏହା ଲାଗିକି ବି ନ ଲାଗିଲା ଭଳି ଅଛି। ୪୦ଟି ଯାକ ପାଣି ଏଟିଏମ୍‌ କିପରି ଅଧିକ ବ୍ୟବହୃତ ହେବ, ସେ ଯୋଜନା ନକରି କର୍ତ୍ତୃପକ୍ଷ ଏବେ ଆଉ ୧୦ଟି ସ୍ଥାନରେ ପାଣି ଏଟିଏମ୍‌ ଲଗାଇବାକୁ ଟେଣ୍ଡର ଡାକିଛନ୍ତି। ଏଥର ବି ଯେଉଁଠି ଲୋକଙ୍କର ପାଣି ଏଟିଏମ୍‌ର ଆବଶ୍ୟକତା ଅଛି ଯେପରି ବସଷ୍ଟାଣ୍ଡ, ମାର୍କେଟ୍‌, ରେଳ ଷ୍ଟେସନ, ହସ୍ପିଟାଲ ଆଦି ଅଞ୍ଚଳକୁ ନଜରରେ ନରଖି ରାସ୍ତା କଡ଼ରେ ମନଇଚ୍ଛା ପାଣି ଏଟିଏମ୍‌ ଲଗାଇବାକୁ ଯୋଜନା ହେଉଛି। ମୁଖ୍ୟତଃ ଜନପଥ, ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ ମାର୍ଗରେ ଏହି ୧୦ଟି ଯାକ ପାଣି ଏଟିଏମ୍‌ ଲାଗିବ ବୋଲି ବିଏମ୍‌ସି ପକ୍ଷରୁ ଆପାତତଃ ନିଷ୍ପତ୍ତି ହୋଇଛି। ଫଳରେ ଏହି ପାଣି ଏଟିଏମ୍‌ଗୁଡ଼ିକର ବ୍ୟବହାର ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି। ଏହି ତିନିଟି ପ୍ରମୁଖ ରାସ୍ତାରେ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସହ ବ୍ୟବସାୟିକ ପ୍ରତିଷ୍ଠାନ ଅଛି। ହେଲେ ଏଠାକୁ ଆସୁଥିବା କର୍ମଚାରୀ, ବ୍ୟବସାୟୀ ଓ ଗ୍ରାହକ ପାଣି ଏଟିଏମ୍‌ରୁ ପାଣି ନେଇ ପିଇବା ସମ୍ଭାବନା କମ୍‌। ତେଣୁ ବିଏମ୍‌ସି ପକ୍ଷରୁ ଆବଶ୍ୟକୀୟ ସର୍ଭେ କରି ପାଣି ଏଟିଏମ୍‌ ଲଗାଇଲେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି କୁହାଯାଉଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ପୂର୍ବରୁ ଲାଗିଥିବା ୪୦ଟି ଯାକ ପାଣି ଏଟିଏମ୍‌ରେ ଯେଉଁଭଳି କଏନ୍‌ ପକାଇଲେ କି କାର୍ଡ ସ୍ୱାଇପ୍‌ କଲେ ପାଣି ମିଳୁଥିଲା ନୂଆ ଏଟିଏମ୍‌ରେ ବି ସେହି ସୁବିଧାରେ ପାଣି ମିଳିବ। ପାର୍ଥକ୍ୟ ଏତିକି ନୂଆ ଏଟିଏମ୍‌ରେ ଥଣ୍ଡା ପାଣି ମିଳିବ। ହକି ବିଶ୍ୱକପ୍‌କୁ ନଜରରେ ରଖି ରାଜଧାନୀର ପ୍ରମୁଖ ୧୦ଟି ସ୍ଥାନରେ ଦୁଇଟି ପର୍ଯ୍ୟାୟରେ ଏହି ପାଣି ଏଟିଏମ୍‌ ଲଗାଇବାକୁ ଯୋଜନା ହୋଇଛି।

ଏହି ପାଣି ଏଟିଏମ୍‌ ଉଭୟ ବିଦ୍ୟୁତ ଓ ସୌରଶକ୍ତି ଦ୍ୱାରା ଚାଲିବା ଭଳି ବ୍ୟବସ୍ଥା ରହିବ। ଏହି ଏଟିଏମ୍‌କୁ ଯେପରି ବିଦ୍ୟୁତ ସଂଯୋଗ ଦେବାରେ କୌଣସି ସମସ୍ୟା ରହିବନି ସେଥିପାଇଁ ଏହାକୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିକଟରେ ଲଗାଇବାକୁ ନିଷ୍ପତ୍ତି ହୋଇଛି। ହେଲେ କେଉଁଠି ଲାଗିବ, ତାହା ବିଏମ୍‌ସି ପକ୍ଷରୁ ସର୍ଭେ କରି ଚିହ୍ନଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ଟି ପାଣି ଏଟିଏମ୍‌ ଲାଗିବା ପରେ ଏଥିପାଇଁ ଯେତିକି ଅର୍ଥ ଖର୍ଚ୍ଚ ହେବ ତାହାକୁ ନଜରରେ ରଖି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ପାଣି ଏଟିଏମ୍‌ ଲାଗିବ। ପ୍ରତ୍ୟେକ ପାଣି ଏଟିଏମ୍‌ରେ ଏକସଙ୍ଗେ ହଜାରେ ଲିଟର ପାଣି ରହିବାର କ୍ଷମତା ରହିବ। କେଉଁ ଡିଜାଇନ୍‌ର ପାଣି ଏଟିଏମ୍‌ ଲାଗିବ ତାହା ବିଏମ୍‌ସି ହିଁ ଧାର୍ଯ୍ୟ କରିବ। ଏହାବାଦ୍‌ ପାଣି ଏଟିଏମ୍‌ ଲଗାଇବାକୁ ଥିବା ସଂସ୍ଥା ହିଁ ୫ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ କରିବ।

ଏହି ଏଟିଏମ୍‌ରେ ଯେପରି ଘଣ୍ଟାକୁ ୧୦୦ ଲିଟର ପାଣି ବାହାରୁଥିବ ଏବଂ ବିନା ସମସ୍ୟାରେ ଅତି କମ୍‌ରେ ୬୦ଲିଟର ୟୁଭି ଥଣ୍ଡା ପାଣି ବାହାରି ପାରୁଥିବ, ସେ ବ୍ୟବସ୍ଥା କରାଯିବ। ୬୦ ଲିଟର ଥଣ୍ଡା ପାଣି ସଂରକ୍ଷିତ ରହିବାର ବ୍ୟବସ୍ଥା ଏଥିରେ ରହିବ। ଗୋଟିଏ ଥରରେ ୩୦୦ ମିଲିଲିଟରରୁ ୨୦ଲିଟର ପର୍ଯ୍ୟନ୍ତ ପାଣି ବାହାରିବ। ପାଣିର ଟିଡିଏସ୍‌ ଯେପରି ୩ହଜାର ପିପିଏମ୍‌ ଅତିକ୍ରମ ନକରିବ ସେଥିପାଇଁ ଏଥିରେ ବ୍ୟବସ୍ଥା ରହିବ। ସର୍ବାଧିକ ୨୦ଡିିଗ୍ରି ପର୍ଯ୍ୟନ୍ତ ପାଣିର ତାପମାତ୍ରା ରହିବ। ଏଟିଏମ୍‌ର କ୍ୟାଟ୍ରିଜ୍‌୍‌ ସରିଗଲେ କି ପାଣି ସରିଗଲେ ଯେପରି କଣ୍ଟ୍ରୋଲ ରୁମ୍‌କୁ ସୂଚନା ଯିବ ସେଥିପାଇଁ ଏଥିରେ ଜିପିଏସ୍‌ ବ୍ୟବସ୍ଥା ରହିବ।

ସ୍ମାର୍ଟ ସିଟି ପକ୍ଷରୁ ଆରମ୍ଭ ହେବାକୁ ଥିବା କମନ୍‌ ପେମେଣ୍ଟ କାର୍ଡ ସମେତ ଟଙ୍କିକିଆ, ଦୁଇ ଟଙ୍କିଆ, ୫ଟଙ୍କିଆ ଏବଂ ୧୦ଟଙ୍କିଆ କଏନ୍‌ ଏଟିଏମ୍‌ରେ ପକାଇଲେ ପାଣି ବାହାରିବାର ବ୍ୟବସ୍ଥା ରହିବ। ଯଦି ଏହି ଏଟିଏମ୍‌ରେ କୌଣସି ପ୍ରକାରର ସମସ୍ୟା ରୁହେ ତେବେ ଏହାକୁ ସକାଳ ୯ଟାରୁ ଅପରାହ୍ନ ୪ଟା ୩୦ ମଧ୍ୟରେ ମରାମତି କରିବାକୁ କୁହାଯାଇଛି। ଏପରିକି କୌଣସି ସମସ୍ୟା ଦେଖାଦେଲେ ୩ଘଣ୍ଟା ମଧ୍ୟରେ ଏହାର ମରାମତି କରିବା ବାଧ୍ୟତାମୂଳକ କରାଯାଇଛି। ନଚେତ୍‌ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଟେଣ୍ଡର ପାଇବାକୁ ଥିବା ସଂସ୍ଥା ସହ ଚୁକ୍ତି ହେବାର ୪୫ ଦିନ ମଧ୍ୟରେ ଏହି ଏଟିଏମ୍‌ ଲାଗିବ।

ସମ୍ବନ୍ଧିତ ଖବର