ମାଙ୍କଡ଼ ବଞ୍ଚାଇବାକୁ ୬୦ ମିନିଟ୍‌: ମାନବିକତା ଦେଖାଇଲେ ଯୁବକ, ଯୁବତୀ

ଭୁବନେଶ୍ବର: ସମୟ ପୂର୍ବାହ୍ନ ୧୦ଟା ୪୫। ସ୍ଥାନ ଏଜି-ରାଜଭବନ ରାସ୍ତା। ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲା ଦୁର୍ଘଟଣାଗ୍ରସ୍ତ ଏକ ପାତି ମାଙ୍କଡ଼। ବ୍ୟସ୍ତ ସମୟ। ତେଣୁ କେହିକେହି ଦେଖି ବି ନଦେଖିବା ଭଳି ଚାଲି ଯାଉଥିଲେ। ଆଉ କିଛି ବ୍ୟକ୍ତି ଅଟକି ଯାଇ ଆଃ.. ବୋଲି କହି ଚାଲି ଯାଉଥିଲେ। ହେଲେ ସେଇ ବାଟ ଦେଇ ଯିବା ବେଳେ ଅଟକି ଯାଇଥିଲା କିଛି ଯୁବକ ଯୁବତୀଙ୍କ ବାଇକ୍‌। ରାସ୍ତା ଉପରେ ଛଟପଟ ହେଉଥିବା ମାଙ୍କଡ଼ ନିକଟକୁ ଧାଇଁ ଆସି ତାକୁ ଘେରି ଯାଇଥିଲେ। ଅଟୋରିକ୍ସା ଅଟକାଇ ମଙ୍କଡ଼ଟିକୁ ଓୟୁଏଟି ଭେଟେରିନାରିକୁ ନେଲେ। କିନ୍ତୁ, ଘଣ୍ଟାଏ କସରତ ପରେ ବି ମାଙ୍କଡ଼ର ଜୀବନ ଚାଲିଗଲା। ମାଙ୍କଡ଼ ସିନା ସବୁଦିନ ପାଇଁ ଆଖି ବୁଜିଦେଲା, କିନ୍ତୁ କିଛି ଯୁବକ ଯୁବତୀଙ୍କ ଏହି ପ୍ରଶଂସନୀୟ ଉଦ୍ୟମକୁ ଅଙ୍ଗେ ନିଭାଉଥିବା ବ୍ୟକ୍ତିବିଶେଷଙ୍କ ଆଖି ଖୋଲି ଯାଇଥିଲା। ‌ସେମାନଙ୍କୁ ଦେଖିବା ବେଳେ କିଛି ଲୋକଙ୍କ ଅନ୍ତରରୁ ସ୍ବତଃ ଆସୁଥିଲା ମାନବିକତା ମରିନାହିଁ।

ମିଳିଥିବା ସୂଚନା ମୁତାବକ, ଜଣେ ବ୍ୟକ୍ତି ବାଇକ୍‌ରେ ଏଜି ଛକରୁ ରାଜଭବନ ରାସ୍ତାରେ ଯାଉଥିବା ବେଳେ ରାଜଭବନ ଛକ ନିକଟରେ ଘଟିଥିଲା ଦୁର୍ଘଟଣା। ମାଙ୍କଡ଼ଟି ଡିଭାଇଡରରୁ ରାସ୍ତା ପାରି ହେଉଥିବା ବ‌େଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଡ଼ି ଉପରକୁ ଡେଇଁ ପଡ଼ିଥିଲା। ତେଣୁ ବ୍ୟକ୍ତି ଜଣକ ବ୍ରେକ୍‌ ମାରିଦେବାରୁ ନିଜେ ୫୦ ମିଟର ଯାଏ ଘୁଷୁଡ଼ି ଯାଇଥିଲେ। ସୌଭାଗ୍ୟକୁ ବ୍ୟକ୍ତିଜଣକ ଅଳ୍ପରେ ବର୍ତି ଯାଇଥିଲେ। ହେଲେ ମାଙ୍କଡ଼ ବର୍ତି ପାରିନଥିଲା। ମୁଣ୍ଡରୁ ଓ ପାଟିରୁ ରକ୍ତସ୍ରାବ ହୋଇଥିଲା। ତା’ପରର ଚିତ୍ର ଯେତିକି କରୁଣ ଥିଲା, ମାଙ୍କଡ଼କୁ ବଞ୍ଚାଇବାର ଉଦ୍ୟମ ସେତିକି ଆଶା ସଞ୍ଚାର କରୁଥିଲା।

ଏହି ୬୦ ମିନିଟ୍‌ର ମାଙ୍କଡ଼ ବଞ୍ଚାଇବା କସରତରେ ସାମିଲ୍‌ ଥିବା ସନ୍ତୋଷ ପ୍ରଧାନ କହିଛନ୍ତି, ବନ ବିଭାଗକୁ ଯୋଗାଯୋଗ କଲୁ। ଆମ୍ବୁଲାନ୍‌ସ ହେଲ୍‌ପଲାଇନ୍‌ ନମ୍ବରକୁ ବି ଯୋଗାଯୋଗ କଲୁ। କିନ୍ତୁ କେହି ଆସିଲେ ନାହିଁ। ଏ ସମୟରେ ମାଙ୍କଡ଼କୁ ଉଠାଇ ବାଇକ୍‌ରେ ନେବାକୁ ଚେଷ୍ଟା କରିଥିଲେ ହେଁ ଯନ୍ତ୍ରଣା ଜର୍ଜରିତ ମାଙ୍କଡ଼ ଆକ୍ରମଣ କରୁଥିଲା। ତେଣୁ ଭୟ ପାଇଯାଇଥିଲୁ। ଯେତେବେଳେ କୌଣସି ସୂତ୍ରରୁ ସହଯୋଗ ମିଳିଲାନି, ଶିକ୍ଷକତା କରୁଥିବା ଯୁବତୀ ମୌସୁମୀ ରଥ ଓ ଅନ୍ୟ ଯୁବତୀଙ୍କ ସହଯୋଗରେ ମାଙ୍କଡ଼କୁ ଅଟୋରେ ନେଇ ଭେଟେରିନାରିକୁ ଯାଇଥିଲୁ। କିନ୍ତୁ ତାକୁ ବଞ୍ଚାଇ ପାରିଲୁନାହିଁ। ଏହା ବେଶି କଷ୍ଟ ଦେଉଛି। ଦୈନିକ ରାଜରାସ୍ତାରେ ବହୁ ବ୍ୟକ୍ତିବିଶେଷ ଦୁର୍ଘଟଣାଗ୍ରସ୍ତ ହୁଅନ୍ତି। ଏ ଘଟଣା ଦେଖି କିଛି ଲୋକ ସ୍ବତଃ ସାହାଯ୍ୟ କରିବାକୁ ଦୌଡ଼ି ଆସନ୍ତି। ମାତ୍ର ହିଂସ୍ର ପଶୁମାନଙ୍କ ଜୀବନ ପ୍ରତି ବିପଦ ଥିବା ଦେଖିବା ମାତ୍ରେ ଯେ ତାକୁ ବଞ୍ଚାଇବା ପାଇଁ ଯୁବପିଢ଼ି ଆଗଭର ହୋଇପାରନ୍ତି ତାହା ଆଜିର ଏହି ଚିତ୍ରରୁ ପ୍ରମାଣିତ ହେଉଥିଲା। ଆଜିକାଲିର ଯୁବପିଢ଼ିଙ୍କୁ ନେଇ ଅନେକ ସମୟ‌ରେ ପ୍ରଶ୍ନ ଉଠୁଥିବା ବେଳେ ସେମାନଙ୍କ ଏହି ଉଦ୍ୟମ ସୂଚେଇ ଦେଉଥିଲା, ତାଙ୍କ ଭିତ‌ରେ ବି ଜୀବେ ଦୟାର ଭାବନା ବଞ୍ଚି ରହିଛି।

ସମ୍ବନ୍ଧିତ ଖବର