ଭୁବନେଶ୍ୱର: ନେତ ବନ୍ଧା ସରିଛି। ଟାହିଆ ପ୍ରସ୍ତୁତି ସରିଛି। ପ୍ରଭୁ ବି ଗୁଣ୍ଡିଚା ବାଡ଼ି ଯିବାକୁ ଗୋଡ଼ ଟେକି ବସିଛନ୍ତି। ରାତି ପାହିଲେ, ଆରମ୍ଭ ହୋଇଯିବ ଶ୍ରୀଜିଉଙ୍କ ମାନବୀୟ ଲୀଳା। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ବୁଲିଯିବେ। ଏଣେ ରଥରେ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ଷା ଶାନ୍ତ ରହିଲେ ଚଳିଯିବ। କିନ୍ତୁ ଅଜାଡ଼ିଲେ ରାଜଧାନୀର ସ୍ଥିତି ବିଗିଡ଼ିବ। ତେବେ ଏନେଇ ସମସ୍ତ ମନ୍ଦିର କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା ହୋଇଛି।
୧୧ଟାରେ ପହଣ୍ଡି, ୩ଟା ପରେ ରଥଟଣା
ଇସ୍କନ୍ରେ ସକାଳ ସାଢ଼େ ୮ଟାରେ ରଥ ପ୍ରତିଷ୍ଠା ପରେ ୧୧ଟାରେ ପହଣ୍ଡି ଏବଂ ଦିନ ୨ଟାରେ ଛେରାପହଁରା କରାଯିବ। ସମ୍ଭବତଃ ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ୟୁନିଟ୍ ୮ ଡିଏଭି ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ବୋଲି ରାଧାକାନ୍ତ ଦାସ ସୂଚନା ଦେଇଛନ୍ତି। ସେହିଭଳି କିଟ୍, ପଟିଆ, ଆର୍ସିଏମ୍, ବରମୁଣ୍ଡା, ଜାଗମରା ଧର୍ମବିହାର, କୋଳଥିଆ ଭଳି ସ୍ଥାନରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। ରାଜଧାନୀରେ ଛୋଟବଡ଼ ହୋଇ ୬୦ରୁ ଊର୍ଧ୍ୱ ରଥ ଗଡ଼ିବାକୁ ଥିବା ବେଳେ ଅଧିକାଂଶ ସ୍ଥାନରେ ରଥ ୩ଟା ପରେ ଗଡ଼ିବ ବୋଲି ସୂଚନା ମିଳିଛି।
୨୮ ପ୍ଲାଟୁନ୍ ଫୋର୍ସ ମୁତୟନ
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି। ସମୁଦାୟ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ଏଥିପାଇଁ ନିୟୋଜିତ ହୋଇଛନ୍ତି। ଡିସିପି ଅନୁପ ସାହୁଙ୍କ ତତ୍ତ୍ୱାବଧାନରେ ଫୋର୍ସ କାମ କରିବ। ପୁଲିସକୁ ସହଯୋଗ କରିବାକୁ ଆମ୍ବୁଲାନ୍ସ, ଦମକଳ ଓ ସ୍ୱେଚ୍ଛାସେବୀମାନେ ସାଙ୍ଗରେ ରହିବେ। ଇସ୍କନ୍ ରଥଯାତ୍ରା ପାଇଁ କେତେକ ଟ୍ରାଫିକ କଟକଣା ଜାରି କରାଯାଇଛି। ଖଣ୍ଡଗିରି ପଟୁ ଆସୁଥିବା ଗାଡ଼ି ମୋଟର ସିଆର୍ପି ଛକରୁ ଏକାମ୍ର କାନନ ଆଡ଼କୁ ଛଡ଼ା ଯିବ। ସେହିପରି ବାଣୀବିହାର ପଟୁ ଯାଉଥିବା ଗାଡ଼ି ମୋଟରକୁ ହୋଟେଲ ସିଦ୍ଧାର୍ଥ ସମ୍ମୁଖ ରାସ୍ତାର ଓଭରବ୍ରିଜ୍ ତଳେ ଛଡ଼ା ଯିବ। ରଥ ଟଣା ସମୟରେ ଡିଏଭି ସ୍କୁଲ ଛକରୁ ସିଆର୍ପି ଛକ ପର୍ଯ୍ୟନ୍ତ ରାସ୍ତା ସଂପୂର୍ଣ ବନ୍ଦ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/m21-2.jpg)