ରାଜଧାନୀରେ ହେବ ୬୦ ଷ୍ଟିଲ୍‌ ଶୌଚାଳୟ, ଖର୍ଚ ହେବ ୫.୮୦ କୋଟି ଟଙ୍କା

ଭୁବନେଶ୍ୱର: ସ୍ବଚ୍ଛତା ଓ ପରିଚ୍ଛନ୍ନତାକୁ ଦୃଷ୍ଟିରେ ରାଜଧାନୀରେ ସ୍ଥାପିତ ହେବ ୬୦ଟି ଷ୍ଟିଲ୍‌ ଶୌଚାଳୟ। ବିଏମ୍‌ସି ପକ୍ଷରୁ ଏଥିପାଇଁ ସହରର ୩୦ଟି ସ୍ଥାନ ଚିହ୍ନଟ ହୋଇଛି। ପ୍ରତ୍ୟେକ ସ୍ଥାନରେ ୨ଟି ଲେଖାଏଁ ଶୌଚାଳୟ ରହିବ। ଗୋଟିଏ ପୁରୁଷ ଏବଂ ଅନ୍ୟଟି ମହିଳାଙ୍କ ଉଦ୍ଦେଶ୍ୟରେ। ଏ ବାବଦରେ ୫.୮୦ କୋଟି ଟଙ୍କା ଖର୍ଚ ହେବ। ଥିରୁଅନନ୍ତପୁରମ୍‌ର ଏରମ୍‌ ସାଇଣ୍ଟିଫିକ୍ ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏଗୁଡ଼ିକ ସ୍ଥାପିତ ହେବ। ଏଥିମଧ୍ୟରୁ ୨୦ଟି ‌େଶୗଚାଳୟ ସମ୍ପୂର୍ଣ୍ଣ ନିଜସ୍ବ ପରିଚାଳିତ ହେବ। ଅର୍ଥାତ ଶୌଚ ପରେ ତାହା ଅ‌ାପେ ଆପେ ସଫା ହୋଇଯିବ। ଅନ୍ୟ ୪୦ଟି ସେମି ଅଟୋମେଟିକ୍‌ ଶୌଚାଳୟକୁ ଶୌଚ ପରେ ସଫା କରିବାକୁ ପଡ଼ିବ। ନିଲାମ ପ୍ରକ୍ରିୟାରେ ୩ଟି କମ୍ପାନି ସାମିଲ୍‌ ହୋଇଥିବା ବେଳେ ଶେଷରେ ଏରମ ସାଇଣ୍ଟିଫିକ୍ ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦାୟିତ୍ବ ଦିଆଯାଇଛି। ସଂସ୍ଥା ସହ ବିଏମ୍‌ସି ପକ୍ଷରୁ ଚୁକ୍ତିପତ୍ର ସ୍ବାକ୍ଷର ହେବା ପରେ ୮୦ ଦିନ ମଧ୍ୟରେ ଏହା ସ୍ଥାପିତ ହେବ। ଶୌଚାଳୟ ସମ୍ପୂର୍ଣ୍ଣ ଷ୍ଟିଲ୍‌ରେ ହୋଇଥିବାରୁ ଏହା ଦୀର୍ଘସ୍ଥାୟୀ ହେବ। ଏହାକୁ ଅତି ସହଜରେ ବ୍ୟବହାର କରିହେବ ଏବଂ ସାଧାରଣ ଶୌଚାଳୟ ଅପେକ୍ଷା ଏଥିରେ ଅଧିକ ସ୍ବଚ୍ଛତା ବଜାୟ ରହିପାରିବ। ସ୍ବୟଂଚାଳିତ ଶୌଚାଳୟ ବ୍ୟବହାର କରିବା ପାଇଁ ସ୍ବତନ୍ତ୍ର କାର୍ଡର ବନ୍ଦୋବସ୍ତ କରାଯିବ। ଶୌଚାଳୟର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଶୌଚାଳୟ ବ୍ୟବହାରକାରୀଙ୍କଠାରୁ କିଛି ନିର୍ଦ୍ଦିଷ୍ଟ ଦେୟ ଆଦାୟ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର