ପୁରୁଣା ଭୁବନେଶ୍ୱର: ଆଜି ଥିଲା ଶ୍ରାବଣ ମାସର ତୃତୀୟ ସୋମବାର। ଏନେଇ ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବାଳୟରେ ୬୦ହଜାରରୁ ଅଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସେମାନଙ୍କ ମଧ୍ୟରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନିକଟରେ ପ୍ରାୟ ୫୦ ହଜାର ଭକ୍ତ ପାଣି ଢାଳିଥିଲେ। ରବିବାର ଅପରାହ୍୍ଣରେ କାଉଡ଼ିିଆମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚି ମନ୍ଦିର ନିକଟରେ, ବିନ୍ଦୁସାଗର, କେଦାର ଗୌରୀ ମନ୍ଦିର ଆଦି ସ୍ଥାନରେ ମନ୍ଦିର ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ରାତି ୧୨ଟା ପରେ ବହୁ କାଉଡ଼ିଆ ବିନ୍ଦୁସାଗରରୁ ଜଳ ଆଣି ଧାଡ଼ି ବାନ୍ଧି ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଭୋର ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ପରେ କାଉଡ଼ିଆମାନେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିଥିଲେ। ରାତିରୁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କାର୍ଯ୍ୟାଳୟରେ ରହି କାର୍ଯ୍ୟ ତଦାରଖ କରିଥିଲେ। କାଉଡ଼ିଆମାନଙ୍କର ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ସଜାଗ ରହିଥିଲା। ତେବେ ଶ୍ରୀଲିଙ୍ଗରାଜ ମନ୍ଦିର ଛଡ଼ା ବିଭୀଷଣେଶ୍ୱର, ତୀର୍ଥେଶ୍ୱର, କପିଳେଶ୍ୱର, ଗୋସାଗରେଶ୍ୱର, ରାମେଶ୍ୱର, କେଦାରେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର ଆଦି ବିଭିନ୍ନ ଶିବ ମନ୍ଦିରରେ ହଜାର ହଜାର କାଉଡ଼ିଆ ଜଳଲାଗି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜଳଲାଗି ପରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ସଫେଇ
ଭୁବନେଶ୍ୱର: ଆଜି ଥିଲା ପବିତ୍ର ଶ୍ରାବଣମାସର ତୃତୀୟ ସୋମବାର। ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଜଳଲାଗି କରିବା ପରେ ମନ୍ଦିର ପରିସରରେ ବିଭିନ୍ନ ଆବର୍ଜନା ଜମା ହୋଇଯାଇଥିଲା। ଫଳରେ ସାମାଜିକ ଅନୁଷ୍ଠାନ ମିସିଂ ଫାଉଣ୍ଡେସନ, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ, ନୂଆଦିଲ୍ଲୀର ସାମାଜିକ ଅନୁଷ୍ଠାନ ଆଶ୍ରା ପ୍ରମୁଖ ମନ୍ଦିର ପରିସରରେ ସଫେଇ କରିଥିଲେ। ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ଲକ୍ଷ୍ମୀଧର ସ୍ୱାଇଁ, ପ୍ରିୟବ୍ରତ ପଣ୍ଡା, ପ୍ରଦୀପ୍ତ ରଞ୍ଜନ ରାଉତ, ନିରଞ୍ଜନ ସାହୁ, ରଞ୍ଜନ ଦାସ ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।